
ପଟ୍ଟାମୁଣ୍ଡାଇ ତା ୧/୧-ପଟ୍ଟାମୁଣ୍ଡାଇ ବ୍ଲକର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ପଂଚାୟତ ଭାବେ ବଡ଼ପଡା ପଂଚାୟତ ପରିଚିତ । ବଡପଡା ସରପଞ୍ଚ ସୌଦାମିନୀ ସେଠୀଙ୍କ ବିୟୋଗ ଯୋଗୁ ପ୍ରାୟ ଦେଢ଼ ବର୍ଷ ପରେ ପଂଚାୟତ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ରାଜନୈତିକ ସ୍ପର୍ଶକାତର ପଂଚାୟତ ହୋଇଥିବାରୁ ଏହି ଉପନିର୍ବାଚନର ଫଳାଫଳ ଯଥେଷ୍ଟ ଗୁରୁତ୍ୱ ବହନ କରୁଛି । ଏହି ଉପନିର୍ବାଚନରେ ସରପଞ୍ଚ ପଦବୀ ହାସଲ କରିବା ପାଇଁ ଶାସକ ବିଜେପି ବିରୋଧୀ ବିଜେଡି ଓ କଂଗ୍ରେସ ପୁରା ଦମରେ ଲାଗି ପଡିଛନ୍ତି । ବଡ଼ପଡା ପଂଚାୟତ ୧୩ଟି ୱାର୍ଡକୁ ନେଇ ଗଠିତ ।ଏହି ପଂଚାୟତର ଭୋଟର ସଂଖ୍ୟା ୪୬୦୩ ବୋଲି ଜଣାପଡିଛି । ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ଶେଷ ଦିନରେ ଆଜି ୪ଜଣ ପ୍ରାର୍ଥୀ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ପ୍ରାର୍ଥୀପତ୍ର ଦାଖଲ କରିଥିବା ପ୍ରାର୍ଥୀ ମାନେ ହେଲେ ଅନନ୍ୟା ଶୁଭସ୍ମିତା ସେଠୀ (୨ସେଟ) ଜ୍ୟୋତ୍ସ୍ନାରାଣୀ ସେଠୀ (୨ସେଟ )ଲିଲା ମଲିକ (୨ସେଟ )ଓ ମମତା ମଲିକ (୧ସେଟ ) । ପଟ୍ଟାମୁଣ୍ଡାଇ ବିଡ଼ିଓ ତଥା ବ୍ଲକ ନିର୍ବାଚନ ଅଧିକାରୀ ଶୁଭ୍ରାଂଶୁ ସାହୁଙ୍କୁ ଏବିଡ଼ିଓ ସନ୍ତୋଷ କୁମାର ମନ୍ତ୍ରୀ, ଜି ପି ଡି ଓ ପିତାମ୍ବର ଜେନା,ପି ଇ ଓ ପ୍ରଭାତ ମଲ୍ଲିକ ଓ ରଂଜିତ କୁମାର ପରିଡା ନିର୍ବାଚନ ପରିଚାଳନାରେ ସହଯୋଗ କରିଛନ୍ତି । ଆସନ୍ତାକାଲି ପ୍ରାର୍ଥୀପତ୍ର ଯାଞ୍ଚ ପାଇଁ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଇଥିବାବେଳେ ୪ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯିବା ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ଆସନ୍ତା ୨୮ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହୋଇ ୨୯ତାରିଖରେ ପଟ୍ଟାମୁଣ୍ଡାଇ ବ୍ଲକ ଅଫିସରେ ଭୋଟ ଗଣନା କରାଯାଇ ଫଳାଫଳ ଓ ବିଜୟୀ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ ବୋଲି ଜଣାପଡିଛି ।
















