ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଂଚଳରେ ମଧୁ ପେନସନ ବଂଟନ

ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଂଚଳରେ ମଧୁ ପେନସନ ବଂଟନ

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ସାମାଜିକ ସୁରକ୍ଷା ଯୋଜନାରେ ମଧୁ ପେନସନ ବଂଟନ କାର୍ଯ୍ୟକ୍ରମ ୭ଦିନ ବ୍ୟାପି ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ବିଡ଼ିଓ ଶୁଭାଂଶୁ ସାହୁଙ୍କ ପୌରାହିତ୍ୟରେ ବ୍ଲକ ସମ୍ମିଳନୀ କକ୍ଷରେ ଆୟୋଜିତ ଭତ। ବଂଟନ ଉତ୍ସବରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ସମାଜରେ ଅବହେଳିତ ଅବସ୍ଥାରେ ଥିବା ଅସହାୟ ବୃଦ୍ଧ ବୃଦ୍ଧା, ବିଧବା, ଅକର୍ମଣ୍ୟମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇ ଦେବା ପାଇଁ ନବୀନ ସରକାର ନୂତନ ଭାବେ ୪ଲକ୍ଷ ୫୦ହଜାର ଭତା ମଧୁ ପେନସନ ଯୋଜନାରେ ମଂଜୁର କରିଛନ୍ତି । ବ୍ଲକ ଓ ପୌର ପ୍ରଶାସନ ନିଷ୍ଠାର ସହିତ କାର୍ଯ୍ୟ କରି ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାକୁ ସଫଳ କରିବାକୁ ପରାମର୍ଶ ଦେଇଥିଲେ । ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଥିବା ବେଳେ ବ୍ଲକ ଉପାଧକ୍ଷା ଜୟନ୍ତୀ ସ୍ୱାଇଁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସପ୍ତାହ ବ୍ୟାପି ଆୟୋଜିତ ଭତ।। ବଂଟନ କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ବ୍ଲକର ଅଣ୍ଢରା, ଅମୃତମଣୋହି, ବଲୁରିଆ, ପେଣ୍ଠପାଳ, ତରଡ଼ିପାଳ, ଅଳପୁଆ, ସିଂହଗାଁ, ନୀଳକଣ୍ଠପୁର, ବାଲିପାଟଣା, ଶ୍ରୀରାମପୁର, ଡାମରପୁର, ବଳଭଦ୍ରପୁର, ଶାସନ, ସଂସାରଫଳ, ଚନ୍ଦନନଗର, ଦୋଷିଆ, ବିଲିକଣା, ଖଣତା, ଓଉପଦା, ବଡ଼ପଡା, ବଡ଼ମୋହନପୁର, ଦିହୁଡିପୁର, ସାନଜରିଆ, ଅରଡ଼ପକ୍କା, ଗଙ୍ଗାରାମ ପୁର, କଖାରୁଣୀ, ଖଡ଼ିଅଂଟା, ବଡ଼ମୂଳବସନ୍ତ, ଡିହାପଡା, ନରସିଂହପୁର ଆଦି ୩୧ ପଂଚାୟତର ୨୧୨୫ ହିତାଧିକାରୀଙ୍କୁ ଭତା ବଂଟନ କରାଯାଇଥିଲା । ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଉଦର ସୁନ୍ଦର ସ୍ୱାଇଁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେବା ସହିତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଶେଷରେ ସାମାଜିକ ସମୀକ୍ଷକ ନଳିନୀକାନ୍ତ ସ୍ୱାଇଁ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମଧୁ ପେନସନ ଯୋଜନା ହିତାଧିକାରୀ, ବିଭିନ୍ନ ପଂଚାୟତ ସରପଂଚ ଓ ସମିତି ସଭ୍ୟ ଯୋଗ ଦେଇଥିଲେ । ସେହିପରି ପଟ୍ଟାମୁଣ୍ଡାଇ ପୌରପରିଷଦ ଅଡ଼ିଟୋରିୟମରେ ମଧୁ ପେନସନ ଯୋଜନାରେ ପୌରାଂଚଳର ହିତାଧିକାରୀଙ୍କୁ ଭତା ବଂଟନ କରାଯାଇଛି । ଏହି ଉପଲକ୍ଷେ ପୌର ନିର୍ବାହୀ ଅଧିକାରୀ ଅଜିତ ନାରାୟଣ ଗିରିଙ୍କ ପୌରହିତ୍ୟରେ ଆୟୋଜିତ ଭତା ବଂଟନ ଉତ୍ସବରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି, ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ ଓ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ସମ୍ମାନିତଅତିଥି ଭାବେ ଯୋଗ ଦେଇ ପୌରାଂଚଳର ବିଭିନ୍ନ ୱାର୍ଡର ହିତାଧିକାରୀଙ୍କୁ ଭତା ବଂଟନ କରିଥିଲେ । ଏହି ଉତ୍ସବରେ ବିଭିନ୍ନ ୱାର୍ଡ କାଉନସିଲର ଓ ହିତାଧିକାରୀମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସି ଏମ ଏମ ମାମିନୀ ପଣ୍ଡା, ସି ଓ ଇତିଶ୍ରୀ ଦାଶ, ସରୋଜ ପଣ୍ଡା, ସତ୍ୟାନନ୍ଦ ସାହୁ, ହୃଷିକେଶ ନାଥ ପ୍ରମୁଖ ପରିଚାଳନା କରିଥିଲେ ।