

ପଟ୍ଟାମୁଣ୍ଡାଇ୮/୫– କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ଏକ ଅଦ୍ଭୁତ ଏବଂ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ସ୍ଥାନୀୟ ଅଂଚଳରେ ହଳଦିଆ ରଙ୍ଗର କେତେଗୁଡିଏ ବେଙ୍ଗ ଠାବ କରାଯାଇଛି। ସାଧାରଣତଃ ଉପକୂଳ ଅଂଚଳରେ ଶାଗୁଆ କିମ୍ବା ମାଟିଆ ରଙ୍ଗର ବେଙ୍ଗ ଦେଖିବାକୁ ମିଳିଥିବା ବେଳେ ଏହି ଚମକଦାର ହଳଦିଆ ଓ ସୁନା ରଙ୍ଗର ବେଙ୍ଗଙ୍କୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପ୍ରକାଶ ପାଇଛି।
ଗତ ତିନିଦିନ ହେବ ପଟ୍ଟାମୁଣ୍ଡାଇ ଅଂଚଳରେ ବର୍ଷା ଲାଗିରହିଥିଲା । ଏହାରି ଭିତରେ ସହରର ନୂଆ ବଷଷ୍ଟାଣ୍ଡ ପଛପାଖ ଖାଲି ସ୍ଥାନରେ କେତେଗୁଡିଏ ହଳଦିଆ ରଙ୍ଗର ବେଙ୍ଗ ବାହାରୀ ରାବ ଦେଇଥିଲେ । ଏଭଳି ବିରଳ ବେଙ୍ଗକୁ ଦେଖି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟଚକିତ ହୋଇପଡ଼ିଥିଲେ। କିଏ କିଏ ବେଙ୍ଗ ମାନଙ୍କର ମୋବାଇଲରେ ଫଟୋ ଓ ଭିଡିଓ ଉଠାଇ ସାମାଜିକ ଗଣମାଧ୍ୟମରେ ସେୟାର କରିଥିଲେ। କେତେକ ଲୋକ ଏହାକୁ ଏକ ବିରଳ ପ୍ରାକୃତିକ ଘଟଣା ବୋଲି କହିଥିଲେ । ଅନ୍ୟମାନେ ଏହାକୁ ଦେଖି ବିଭିନ୍ନ ଆଲୋଚନା କରୁଥିବା ଦେଖାଯାଇଥିଲା।
ବନ୍ୟଜନ୍ତୁ ବିଶେଷଜ୍ଞ ମହାକାଳପଡା ରେଂଜର ଶାତନୁ ଦଳାଇଙ୍କ ପଚାରିବାରେ କେତେକ ବେଙ୍ଗର ଶରୀରରେ ରଙ୍ଗ ସୃଷ୍ଟି କରୁଥିବା ରଞ୍ଜକର ପରିବର୍ତନ କିମ୍ବା ବଂଶଗତ କାରଣରୁ ଏଭଳି ହଳଦିଆ ରଙ୍ଗ ଦେଖାଯାଇପାରେ। ଏଭଳି ବେଙ୍ଗ ଅତ୍ୟନ୍ତ ବିରଳ ହୋଇଥାଏ ଏବଂ ପ୍ରକୃତିର ଏକ ଅନନ୍ୟ ବୈଚିତ୍ର୍ୟର ଉଦାହରଣ ବୋଲି କୁହାଯାଇପାରେ ବୋଲି କହିଥିଲେ ।
ଅବଶରପ୍ରାପ୍ତ ମତ୍ସ୍ୟ ବିଶେଷଜ୍ଞ ଶଂଶାଙ୍କ ଶେଖର ସାହୁ ମତ ନେବାରୁ ସେ କହିଥିଲେ ବର୍ଷା ଦିନେ ବେଙ୍ଗ ମାନଙ୍କର ପ୍ରଜନନ ଋତୁର ସମୟ ଆସେ । ଏହି ସମୟ ଆରମ୍ଭରୁ ଅଣ୍ଡିରା ବେଙ୍ଗ ମାନଙ୍କର ହରମୋନ୍ର ପରିବର୍ତର୍ନ ହୋଇ ଗାଢ଼ ହଳଦିଆ ରଙ୍ଗର ହୋଇଯାନ୍ତି। ବେକ ପାଖରେ ଥିବା ସ୍ୱର ଥଳି ଗୁଡ଼ିକ ଚମକଦାର ନୀଳ ରଙ୍ଗର ହୋଇଯାଏ। ଯେଉଁ ବେଙ୍ଗର ରଙ୍ଗ ଯେତେ ବେଶୀ ଗାଢ଼ ଓ ଚମକଦାର ହୋଇଥାଏ, ସେମାନେ ମାଈ ବେଙ୍ଗକୁ ଆକର୍ଷିତ କରିବାରେ ସେତେ ସଫଳ ହୁଅନ୍ତି। ହଳଦିଆ ରଙ୍ଗ ସାହାଯ୍ୟରେ ଅଣ୍ଡିରା ବେଙ୍ଗମାନେ ମାଈ ବେଙ୍ଗମାନଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ଚେଷ୍ଟା କରନ୍ତି। ଏହି ପୁରୁଷ ବେଙ୍ଗମାନେ ନୀଳ ଥଳିକୁ ଫୁଲାଇ ବଡ଼ ପାଟିରେ ରଡ଼ି ଛାଡ଼ନ୍ତି । ଯାହାଦ୍ୱାରା ମାଈ ବେଙ୍ଗମାନେ ସେମାନଙ୍କର ସ୍ଥିତି ଜାଣିପାରନ୍ତି। ପ୍ରଜନନ ଋତୁ ଶେଷ ହେବା ମାତ୍ରେ ସେମାନେ ପୁଣି ନିଜର ସାଧାରଣ ମାଟିଆ କିମ୍ବା ଶାଗୁଆ ରଙ୍ଗକୁ ଫେରିଆସନ୍ତି। ଏହା କୌଣସି ରୋଗ କିମ୍ବା ଅଲୌକିକ ଘଟଣା ନୁହେଁ । ବରଂ ପ୍ରକୃତିର ଏକ ସୁନ୍ଦର ନିୟମ ବୋଲି କୁହାଯାଇପାରିବ । କେତେକ କ୍ଷେତ୍ରରେ ଜେନେଟିକ୍ ପରିବର୍ତନ ବା ଲ୍ୟୁସିଜିମ୍ କାରଣରୁ ମଧ୍ୟ ବେଙ୍ଗଙ୍କ ଚର୍ମର ରଙ୍ଗ ହଳଦିଆ ଦେଖାଯାଇଥାଏବୋଲି କହିଥିଲେ ।
ପରିବେଶବିତ୍ ଡଃ ନିଳମଣୀ ଲେଙ୍କା କୁହନ୍ତି ଏହି ବେଙ୍ଗଗୁଡ଼ିକ ବିଷାକ୍ତ ନୁହନ୍ତି ଏବଂ ପରିବେଶର ସନ୍ତୁଳନ ରକ୍ଷା କରିବାରେ ଏମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ଏମାନଙ୍କୁ କୌଣସି ପ୍ରକାରର କ୍ଷତି ନପହଁଚ।।ଇବାକୁ ଏବଂ ସୁରକ୍ଷିତ ଭାବେ ସେଠାରେ ରହିବାକୁ ସ୍ଥାନୀୟ ଲୋକଙ୍କୁ ଅନୁରୋଧ କରିଛନ୍ତି। ଏହି ବିରଳ ଦୃଶ୍ୟ ସ୍ଥାନୀୟ ଅଂଚଳରେ ଏବେ ଏକ ଚର୍ଚ୍ଚାର ବିଷୟ ପାଲଟିଛି।

Leave a Reply