

କେନ୍ଦ୍ରାପଡ଼ା, ତା. ୧୦/୭ : କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ କମିଟିର ଆନୁକୂଲ୍ୟରେ ଆଜି ଜିଲ୍ଲା କଂଗ୍ରେସ ଭବନ ସଭାକକ୍ଷରେ ଏକ ସମବାୟବିତ୍ ସମ୍ମିଳନୀ ଜିଲ୍ଲା କଂଗ୍ରେସର ସଙ୍ଗଠନ ଉପସଭାପତି ସତ୍ୟପ୍ରିୟ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ଆରମ୍ଭରେ ରାଜ୍ୟ କଂଗ୍ରେସ ସମବାୟ ପ୍ରକୋଷ୍ଠର ଅଧ୍ୟକ୍ଷ ଏବଂ ନିଖିଳ ଭାରତ କିଷାନ କଂଗ୍ରେସର ସଂଯୋଜକ ଅମିୟ ପଟ୍ଟନାୟକ ଜିଲ୍ଲା କଂଗ୍ରେସ ଭବନରେ ଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ ସେ ସମ୍ମିଳନୀକୁ ଉଦ୍ଘାଟନ କରି କୃଷକ ଓ ସମବାୟ ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ମତ ରଖିଥିଲେ। ସେ କହିଥିଲେ ଯେ କେନ୍ଦ୍ରାପଡ଼ା ଜିଲ୍ଲାର ନୂଆ ଓ ପୁରୁଣା ସେବା ସମବାୟ ସମିତିଗୁଡ଼ିକରେ କୃଷି ଋଣ ପ୍ରଦାନ ସମୟରେ ରାଜନୈତିକ ଉଦ୍ଦେଶ୍ୟରେ ପାତରଅନ୍ତର କରାଯାଉଛି, ଯାହା ଦ୍ୱାରା ପ୍ରକୃତ କୃଷକମାନେ ବଞ୍ଚିତ ହେଉଛନ୍ତି। ଜିଲ୍ଲାରେ କୃଷକଙ୍କ ସ୍ୱାର୍ଥରେ ଶୀତଳ ଭଣ୍ଡାର ସ୍ଥାପନ, ସମୟୋପଯୋଗୀ ସାର ଓ କୀଟନାଶକ ଯୋଗାଣ ଏବଂ ଜଳସେଚନ ବ୍ୟବସ୍ଥାର ଉନ୍ନତି ପାଇଁ ସରକାର ତୁରନ୍ତ ପଦକ୍ଷେପ ନେବାକୁ ସେ ଦାବି କରିଥିଲେ। ବିଶେଷ କରି ପଟ୍ଟାମୁଣ୍ଡାଇ ଓ କେନ୍ଦ୍ରାପଡ଼ା କେନାଲରେ ଜଳ ନଥିବାରୁ ଚାଷୀମାନେ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଥିବାବେଳେ ଏଥିପାଇଁ ଡବଲ୍ ଇଞ୍ଜିନ ବିଜେପି ସରକାରକୁ ଦାୟୀ କରିଥିଲେ। ଉପସ୍ଥାପିତ ସମସ୍ତ ଦାବିର ସମାଧାନ ନହେଲେ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ଡ଼ଃ ଦେବସ୍ମିତା ଶର୍ମାଙ୍କ ନେତୃତ୍ୱରେ ସମବାୟ ବିଭାଗ ପକ୍ଷରୁ ଜିଲ୍ଲାବ୍ୟାପୀ ଦୁର୍ବାର ଆନ୍ଦୋଳନ କରାଯିବ ବୋଲି ସତର୍କ କରାଯାଇଥିଲା। ଏହି ଆଲୋଚନାଚକ୍ରରେ ପୂର୍ବତନ ଜିଲ୍ଲା କଂଗ୍ରେସ ସଂଯୋଜକ ପ୍ରଫୁଲ୍ଲ କୁମାର ଦାସ, ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ, କୋଷାଧ୍ୟକ୍ଷ ଭାଗୀରଥି ଜେନା, ବରିଷ୍ଠ ନେତା ଫକୀର ଖଟୁଆ, ଜିଲ୍ଲା ସାଧାରଣ ସମ୍ପାଦକ ସନ୍ତୋଷ ବେହେରା, ସର୍ବେଶ୍ୱର ସେଠୀ, ବ୍ଲକ କଂଗ୍ରେସ ସଭାପତି ପଙ୍କଜ ଦାଶ, ରବିନାରାୟଣ ବେହେରା, ରାଜୀବ ଲୋଚନ ମିଶ୍ର, ଶିକାଂଶୁ ଶେଖର ଲେଙ୍କା, ହରିଶ ପଟ୍ଟନାୟକ, ନଗର ସଭାପତି ଦିଲ୍ଲୀପ ପ୍ରଧାନ, ତପନ ପାତ୍ର, ବିଧୁଭୂଷଣ ମହାପାତ୍ର, ରାମମୋହନ ସ୍ୱାଇଁ, ରତ୍ନାକର ସେଠୀଙ୍କ ସମେତ ଜିଲ୍ଲା କଂଗ୍ରେସ କମିଟିର ବହୁ କର୍ମକର୍ତ୍ତା ଓ କର୍ମୀ ଉପସ୍ଥିତ ଥିଲେ।

Leave a Reply