

କେନ୍ଦ୍ରାପଡ଼ା,୧୨ା୭:କେନ୍ଦ୍ରାପଡା ସହରରେ ଭାରତ ପେଟ୍ରୋଲିୟମ ପକ୍ଷରୁ କେତେକ ଜନକଲ୍ୟାଣ କାର୍ଯ୍ୟକ୍ରମ ପୂର୍ବତନ ବିଧାୟିକା ଡ. ସିପ୍ରା ମଲ୍ଲିକଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ସଂପ୍ରତି ଚାଲୁ ରହିଥିବା ସ୍ୱଛତା ପଖୱାଡ ସନ୍ଦର୍ଭରେ କେନ୍ଦ୍ରାପଡା ସହରରେ ଭାରତ ପେଟ୍ରୋଲିୟମ ଏବଂ ଏହାର କେନ୍ଦ୍ରାପଡାସ୍ଥିତ ସମସ୍ତ ଭାରତ ପେଟ୍ରୋଲପମ୍ପର କର୍ମଚାରୀମାନଙ୍କ ଦ୍ୱାରା ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ରଥଦାଣ୍ଡରେ ଏକ ସ୍ୱଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡାର ଜଗନ୍ନାଥ ଫିଲିଂଷ୍ଟେସନ, ଜୟଶ୍ରୀ ଫିଲିଂଷ୍ଟେସନ, ବିଜୟ ସର୍ଭିସଷ୍ଟେସନ, ଚଉଦକୁଲାଟର ଜୟ ଜଗନ୍ନାଥ ପେଟ୍ରୋଲପମ୍ପ, ପଟ୍ଟାମୁଣ୍ଡାଇର ସନ୍ତୋଷୀ ଫିଲିଂଷ୍ଟେସନ, ଚାନ୍ଦୋଳର ରୁଦ୍ରାଣୀ ଫିଲିଂଷ୍ଟେସନ ପ୍ରମୁଖର ସମସ୍ତ କର୍ମଚାରୀମାନେ ମିଶି ଶ୍ରୀବଳଦେବଜୀଉଙ୍କ ବଡଦାଣ୍ଡକୁ ସଫେଇ କରିବା ସହିତ ଜନସାଧାରଣଙ୍କୁ ଏଦିଗରେ ସଚେତନ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ରଘୁରାମ ଆର. ଆୟର ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଅନ୍ୟତମ ଅତିଥି ଭାବେ ପୂର୍ବତନ ବିଧାୟିକା ଡ. ସିପ୍ରା ମଲ୍ଲିକ, ଭାରତ ପେଟ୍ରୋଲିୟମର ବରିଷ୍ଠ ଅଧିକାରୀ ପୃଥୀରାଜ ଦାସ, ଅନିମେଷ ଜାଦବ, ଶୁଭମ ପଲ ପ୍ରମୁଖ ଯୋଗଦେଇ କର୍ମଚାରୀମାନଙ୍କୁ ଉତ୍ସାହିତ କରିବା ସହ ସମସ୍ତଙ୍କୁ ହାଇଜିକ୍ କିଟ୍ ପ୍ରଦାନ କରିଥିଲେ। ଏହି ଅବସରରେ ଭାରତ ପେଟ୍ରୋଲିୟମ ପକ୍ଷରୁ ଶ୍ରୀଜୀଉଙ୍କ ମନ୍ଦିର ଟ୍ରଷ୍ଟବୋର୍ଡକୁ ଏକ ହୁଇଲ ଚେୟାର ଓ କିଛି ଡଷ୍ଟବିନ୍ ପ୍ରଦାନ କରାଯାଇଥିଲା। ଏଥିସହିତ ଭାରତ ପେଟ୍ରୋଲିୟମ ପକ୍ଷରୁ ଗରାପୁରସ୍ଥିତ ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପିଇବା ପାଇଁ ଏକ ଥଣ୍ଡାପାନୀୟ ଜଳ ମେସିନ ପ୍ରଦାନ କରାଯାଇଥିଲା। ଏହି ମେସିନକୁ ଜିଲ୍ଲାପାଳ ଶ୍ରୀ ଆୟାର ଉଦଘାଟନ କରିଥିଲେ। ଏଥିସହିତ ବିଦ୍ୟାଳୟ ପରିସରରେ ଜିଲ୍ଲାପାଳ ଓ ପୂର୍ବତନ ବିଧାୟିକା ଡ. ମଲ୍ଲିକ ବିଭିନ୍ନ ବୃକ୍ଷର ଚାରା ରୋପଣ କରିଥିଲେ। ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମ ଗରାପୁରସ୍ଥିତ ଜଗନ୍ନାଥ ଫିଲିଂଷ୍ଟେସନର ମାଲିକ ସମରେନ୍ଦ୍ର ମିଶ୍ର ପରିଚାଳନା କରିଥିଲେ।

Leave a Reply