ଆଡପ ମଣ୍ଡପକୁ ବିଜେ ହେଲେ ଚତୁର୍ଦ୍ଧା ମୂର୍ତ୍ତି , ବର୍ଷକ ପରେ ଭକ୍ତ ପାଇଲେ ଆଡପ ଅଭଢା



କେନ୍ଦ୍ରାପଡ଼ା,୨୧ା୭:ତୁଳସୀକ୍ଷେତ୍ରର ଆରାଧ୍ୟ ମହାପ୍ରଭୁ ଶ୍ରୀବଳଦେବଜୀଉ ଭାଇ ଶ୍ରୀଜଗନ୍ନାଥ ଓ ଭଉଣୀ ସୁଭଦ୍ରାଙ୍କୁ ସାଥିରେ ଧରି ଶ୍ରୀମନ୍ଦିରରୁ ଗୁଣ୍ଡିଚା ଯାତ୍ରାରେ ବହାରି ମାଉସୀ ମା’ ଆଡ଼ପ ମଣ୍ଡପରେ ବିଜେ ହୋଇଛନ୍ତି। ରଥଯାତ୍ରାର ତୃତୀୟ ଦିବସରେ ପହଣ୍ଡି ହେବା ପରେ ଶନିବାର ବିଳମ୍ବିତ ରାତିରେ ଚତୁର୍ଦ୍ଦା ମୂର୍ତ୍ତି ଆଡ଼ପ ମଣ୍ଡପକୁ ବିଜେ କରିଥିଲେ। ଆଡ଼ପ ମଣ୍ଡପ ମଣ୍ଡପରେ ଦର୍ଶନ କରିବାର ପୂଣ୍ୟ ପାଇବା ପାଇଁ ରବିବାର ଭକ୍ତଙ୍କ ପ୍ରବଳ ଭିଡ଼ ଜମିଥିଲା। ଭକ୍ତମାନେ ବ୍ୟାକୁଳ ହୋଇ ଶ୍ରୀଜୀଉଙ୍କ ଦର୍ଶନଲାଭ କରିଥିଲେ। ରଥଯାତ୍ରା ଯୋଗୁ ମୁଖ୍ୟ ମନ୍ଦିରରେ ଅବଢା ବନ୍ଦ ଥିଲା। ତେଣୁ ଭକ୍ତମାନେ ରବିବାର ଆଡ଼ପ ଅବଢା ପାଇଥିଲେ। ଆଡ଼ପ ମଣ୍ଡପ ଅବଢା ଶ୍ରୀମନ୍ଦିର ଅବଢା ଠାରୁ ଭିନ୍ନ ହୋଇଥାଏ। ଏହି ପ୍ରସାଦ ପାଇବା ପାଇଁ ଭକ୍ତମାନେ ବର୍ଷେ ଅପେକ୍ଷା କରିଥାନ୍ତି। ରଥଯାତ୍ରାର ଚତୁର୍ଥ ଦିନରେ ଏହି ଅବଢାକୁ ପାଇ ଶ୍ରଦ୍ଧାଳୁମାନେ ଆନନ୍ଦ ଲାଭ କରିଥିଲେ। ଝିପି ଝିପି ବର୍ଷା ସତ୍ତ୍ୱେ ଆଡ଼ପ ମଣ୍ଡପରେ ଶ୍ରୀଜୀଉମାନଙ୍କୁ ଦର୍ଶନ କରିବା ପାଇଁ ଜିଲ୍ଲାର ବିଭିନ୍ନ ଗ୍ରାମରୁ ଭକ୍ତମାନେ ଆସିଥିଲେ। ସେଥିପାଇଁ ତୁଳସୀକ୍ଷେତ୍ରରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା। ରାତି ୧୨ଟା ପର୍ଯ୍ୟନ୍ତ ମାଉସୀ ମା’ ମନ୍ଦିରରେ ଭକ୍ତଙ୍କ ଗହଳି ଚହଳି ଲାଗି ରହିଥିଲା। ସଂସ୍କୃତି ବିଭାଗ ଆନୁକୂଲ୍ୟରେ ମାଉସୀ ମା’ ମନ୍ଦିର ସାଂସ୍କୃତିକ ମଣ୍ଡପରେ ରବିବାର ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ଚିତାକର୍ଷକ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ। କେନ୍ଦ୍ରାପଡ଼ା ସହରସ୍ଥ କାକଟ ମଙ୍ଗଳା ନାଟ୍ୟ ପରିଷଦ ଦ୍ୱାରା ରାମଲୀଳା ପରିବେଷଣ କରାଯାଇଥିଲା। ପରିଷଦର ସଭାପତି ପୌରସଭ୍ୟ ଉମେଶ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସେହିପରି ଉଷାରାଣୀ ଗୀତିନାଟ୍ୟ ପରିଷଦ ପକ୍ଷରୁ ଗୀତିନାଟ୍ୟ ଅନୁଷ୍ଠିତ ହୋଇଥିଲା। ସଂସ୍କୃତି ବିଭାଗ ପକ୍ଷରୁ ରାଜକିଶୋର ଓ ଯୋଗଗୁରୁ ସଞ୍ଜୟ ମଥାନ ମଞ୍ଚ ପରିଚାଳନା କରିଥିଲେ। ଶ୍ରଦ୍ଧାଳୁମାନେ ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଥିଲେ। ଏହାପରେ ଭକ୍ତମାନେ ରଥଦାଣ୍ଡରେ ମେଳା ବୁଲିବାର ମଜା ନେଇଥିଲେ। ଆବାଳ ବୃଦ୍ଧ ବନିତା ଶ୍ରୀଜୀଉମାନଙ୍କ ଦର୍ଶନ ସରିବା ପରେ ରଥଦାଣ୍ଡରେ କିଛି ସମୟ କାଟିଥିଲେ। ରଥଦାଣ୍ଡରେ ରଙ୍ଗ ବେରଙ୍ଗର ପସରା ମେଲିଛି। ଏହି ପସରାରୁ ଘର କରଣା ଜିନିଷ କିଣିବ ପାଇଁ ମହିଳାମାନଙ୍କ ବେଶ ଭିଡ଼ ଜମାଇାଇଥିଲା। ସେହିପରି କଲେଜ ଛାତ୍ରୀ ଓ ଯୁବତୀମାନେ ପ୍ରସାଧନ ସାମଗ୍ରୀ କିଣିବାରେ ବେଶ ମଜା ନେଇଥିଲେ। ଛୋଟ ପିଲାଙ୍କ ପାଇଁ ବିଭିନ୍ନ ପ୍ରକାରର ଦୋଳି ପଡିଥିଲା। ଏହି ଦୋଳିରେ ବସି ଛୋଟ ପିଲାମାନେ ବେଶ ମଜା ନେଇଥିଲେ।


Be the first to comment

Leave a Reply

Your email address will not be published.