ସୁନାବେଶରେ ଝଲସିଲେ ଶ୍ରୀଜିଉ



ପୁରୀ,୨୫ା୭- ଦାରୁବ୍ରହ୍ମ ଆଜି ମହଣ ମହଣ ସୁନାରେ ଛାଉଣି ହୋଇଥିଲେ। ଆଷାଢ଼ ଶୁକ୍ଳ ଏକାଦଶୀ ତିଥି (ଶନିବାର) ବଡ଼ତଢ଼ାଉ ତଥା ସୁନାବେଶରେ ଦର୍ଶନ ଦେଇଛନ୍ତି ଶ୍ରୀବିଗ୍ରହ। ଗୁଣ୍ଡିଚା ଲୀଳା ସାରି ବାହୁଡ଼ିବା ପରେ ମହାପ୍ରଭୁ ସିଂହଦ୍ୱାରରେ ବିଶ୍ରାମ ନେଇଛନ୍ତି। ରତ୍ନବେଦିକୁ ବାହୁଡ଼ିବା ପୂର୍ବରୁ ରଥାରୂଢ଼ ହୋଇ ସୁନାବେଶରେ ଝଟକିଛନ୍ତି ଜଗତାଧିପତି। ଆପାଦ ମସ୍ତକ ସୁନାରେ ସଜେଇ ହୋଇ ମହାପ୍ରଭୁ ରାଜବେଶରେ ଦର୍ଶନ ଦେଉଥିବାରୁ ଏହି ବେଶ ସଂଦର୍ଶନ ପାଇ ବହୁ ଭକ୍ତ ଆତ୍ମବିଭୋଗର ହୋଇଛନ୍ତି। ସୁବର୍ଣ୍ଣ ମୁକୁଟ, ସୁବର୍ଣ୍ଣ ଶ୍ରୀହସ୍ତ, ସୁବର୍ଣ୍ଣ ଶ୍ରୀପୟର। ଶଙ୍ଖ, ଚକ୍ର, ଗଦା। ଅଙ୍ଗେ ଅଙ୍ଗେ ଅପାର ଐଶ୍ୱର୍ଯ୍ୟ। ରଥ ଉପରେ ହୋଇଛି ମହାପ୍ରଭୁଙ୍କୁ ଦୁର୍ଲଭ ସୁନାବେଶ। ମହଣ ମହଣ ସୁନାରେ ସଜେଇ ହୋଇ ରଥ ଉପରେ ଲକ୍ଷ ଲକ୍ଷ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ। ଅଲୌକିକ ଓ ଅବର୍ଣ୍ଣନୀୟ ବେଶ ଦେଖି ଭାବବିହ୍ୱଳ ହୋଇପଡ଼ିଛନ୍ତି ଲକ୍ଷ ଲକ୍ଷ ଭକ୍ତ। ମହାପ୍ରଭୁଙ୍କ ଏହି ବେଶକୁ ବଡତଢାଉ ବେଶ, ରାଜାଧିରାଜ ବେଶ, ରାଜରାଜେଶ୍ୱର ବେଶ ବୋଲି ମଧ୍ୟ କୁହାଯାଏ। ଗଜପତି ମହାରାଜ କପିଳେନ୍ଦ୍ର ଦେବଙ୍କ ସମୟରୁ ଏହି ବେଶ ହୋଇଆସୁଥିବା କୁହାଯାଏ। ତିନିଠାକୁରଙ୍କୁ ଶ୍ରୀଭୁଜ ଓ ଶ୍ରୀପୟର ସହିତ ବଡତଢାଉ ନାମକ କଣ୍ଠମାଳା, ରତ୍ନପଦକ, ସୁବର୍ଣ୍ଣ କିରୀଟ, କାନଫୁଲ, ମର୍କତ ମୁକୁଟ, ପଦ ପଲ୍ଲବ, ମୁଦି,କଣ୍ଠି ମାଳ, ମର୍କତ ଯାଉଁଳି, ବଳା, ବାହୁଟି, କାନ୍ତ, ଜରକବର ଓ କଟି ମେଖଳା ଆଦି ୧୩୮ପ୍ରକାର ରତ୍ନ ଅଳଙ୍କାର ଲାଗି ହୋଇଥିଲା। ଭକ୍ତମାନଙ୍କର ଶୃଙ୍ଖଳିତ ଦର୍ଶନ ତଥା ଭିଡ଼ ନିୟନ୍ତ୍ରଣ ପାଇପ୍ରତିବର୍ଷ ଭଳି ମାର୍କେଟ୍ ଛକରୁ ବଡ଼ଦାଣ୍ଡରେ ବାରିକେଡ୍ ବ୍ୟବସ୍ଥା କରାଯାଇଥିଲା। ଭକ୍ତ ବଡ଼ଦାଣ୍ଡରେ ବାମପାର୍ଶ୍ୱରୁ ଦର୍ଶନ ପାଇଁ ପ୍ରବେଶ କରିଥିଲେ। ରଥ ଆଗ ଦେଇ ଦର୍ଶନ ସାରିବା ପରେ ଡାହାଣ ପାର୍ଶ୍ୱରେ ପ୍ରସ୍ଥାନ କରିଥିଲେ। ଶ୍ରୀଜଗନ୍ନାଥ କିରୀଟ, ଶ୍ରୀଭୁଜ, ଶ୍ରୀପୟର, ଓଡ଼ିଆଣି, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ସ୍ୱର୍ଣ୍ଣ ଚକ୍ର, ରୌପ୍ୟ ଶଙ୍ଖ, ହରିଡ଼ା, ବାହାଡ଼ା ମାଳି, ତାବିଜ ମାଳି, ସେବତୀ ମାଳି ଓ ତ୍ରିଖଣ୍ଡିକା କମରପଟିରେ ସଜ୍ଜିତ ହୋଇଥିଲେ। ସେହିପରି ଶ୍ରୀବଳଭଦ୍ର ଶ୍ରୀପୟର, ଶ୍ରୀଭୁଜ, କିରୀଟ, ଓଡ଼ିଆଣି, କୁଣ୍ଡଳ, ତ୍ରିଖଣ୍ଡିକା କମରପଟି, ଚନ୍ଦ୍ରସୂର୍ଯ୍ୟ, ସେବତୀ ମାଳି, ଆଡ଼କାନି, ବାଘନଖ ମାଳି, ଘାଗଡ଼ା ମାଳି, ବାହାଡ଼ା ମାଳି, କଦମ୍ବ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବା କଣ୍ଠି, ହଳ ଓ ମୂଷଳରେ ସଜ୍ଜିତ ହୋଇଥିଲେ। ଅନ୍ୟପଟେ ଦେବୀ ସୁଭଦ୍ରା କିରୀଟ, ଓଡ଼ିଆଣି, କାନ, ଚନ୍ଦ୍ରସୂର୍ଯ୍ୟ, ଘାଗଡ଼ା ମାଳି, କଦମ୍ବ ମାଳି, ୨ଟି ତଗଡ଼ି, ସେବତୀ ମାଳିରେ ସଜ୍ଜିତ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ। ସୁନା ବେଶରେ ପ୍ରବଳ ଜନସମାଗକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ଭକ୍ତଙ୍କ ସୁରକ୍ଷା, ଗହଳି ନିୟନ୍ତ୍ରଣ ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ୧୩ହଜାର ପୁଲିସ ଫୋର୍ସ, ୨୦ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବାହିନୀ, ପ୍ରାୟ ୨ହଜାର ପୁଲିସ ଅଧିକାରୀ ନିୟୋଜିତ ହୋଇଥିଲେ। ୨୩ ଆଇପିଏସ୍ ଅଧିକାରୀଙ୍କୁ ସୁରକ୍ଷା ବ୍ୟବସ୍ଥା ତଦାରଖ ଦାୟିତ୍ୱ ଦିଆଯାଇଥିଲା।


Be the first to comment

Leave a Reply

Your email address will not be published.