ଲଘୁଚାପଜନିତ ଲଗାଣ ବର୍ଷା ,ପୌରାଞ୍ଚଳରେ ଜଳବନ୍ଦୀ ସ୍ଥିତି



ପଟ୍ଟାମୁଣ୍ଡାଇ, ୨୮/୭ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ବିଗତ କିଛି ଦିନ ହେବ ଜାରି ରହିଥିବା ଅବିରତ ଲଗାଣ ବର୍ଷା ଯୋଗୁଁ ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି। ଲଗାଣ ବର୍ଷା ଯୋଗୁଁ ଅଧିକାଂଶ ୱାର୍ଡର ତଳିଆ ଅଂଚଳରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି। ଅନେକ ଲୋକଙ୍କ ଘର ଭିତରେ ବର୍ଷା ପାଣି ପଶିଯିବା ଫଳରେ ରୋଷେଇ ଗ୍ୟାସ, ଖାଦ୍ୟସାମଗ୍ରୀ, ବିଛଣା ଓ ନିତ୍ୟବ୍ୟବହାର୍ଯ୍ୟ ଜିନିଷପତ୍ର ଭିଜିଯାଇଛି। ପୌର ପରିଷଦର ବିଭିନ୍ନ ୱାର୍ଡରେ ଥିବା ଚାଷ ଜମି ନକସା ପରିବର୍ତନ କରି ଘର ଦ୍ୱାର କରିଯିବାରୁ ଉଦବୃର୍ତ୍ତ ବର୍ଷା ଜଳ ନିଷ୍କାସନ ବାଟ ଧିରେ ଧିରେ ବନ୍ଦ ହେବାକୁ ବସିଲାଣି । ଫଳରେ ସାମାନ୍ୟ ବର୍ଷା ହେଲେ ବର୍ଷା ପାଣି ନିଷ୍କାସିତ ହୋଇନପାରି ପୈାରାଚଂଳରେ କୃତିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପୌରପରିଷଦର ୧୨ନଂ ୱାର୍ଡର ପ୍ରାୟ ୩୫ ପରିବାର ପାଣି ଘେରରେ ରହି ନର୍କ ଯନ୍ତ୍ରଣା ଭୋଗ କରୁଛନ୍ତି । ବକ୍ତାରପୁର ଗ୍ରାମରେ ପାଣି ବାଟ ଅବରୋଧ ହେବା ଫଳରେ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି । ଡ୍ରେନେଜ୍ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିବାରୁ ବର୍ଷା ପାଣି ସହ ଦୂଷିତ ନାଳ ପାଣି ମିଶି ରାସ୍ତାଘାଟ ଓ ଦାଣ୍ଡରେ ଲହଡ଼ି ଭାଙ୍ଗୁଛି। ବକ୍ତାରପୁର ଗ୍ରାମର ବିନୋଦ ମହାଳିକ , ଶରତ ପଣ୍ଡା ନିରଞ୍ଜନ ପ୍ରଧାନ , ତ୍ରିଲୋଚନ ପଣ୍ଡା , ବିଶେଷ ପଣ୍ଡା , ସନ୍ତୋଷ ପଣ୍ଡା , ବିପନ ମହାଳିକ ,ନିଧି ମହାଳିକ , ବାବୁ ପଣ୍ଡା ରିଙ୍କୁ ସାହୁ ସୁନାକର ପଣ୍ଡା ଙ୍କ ସମେତ ୩୫ ପରିବାର ପାଣି ଘେରରେ ରହିଛନ୍ତି । ଉପଯୁକ୍ତ ଜଳ ନିଷ୍କାସନ ବ୍ୟବସ୍ଥା ନଥିବାରୁ ଅସରାଏ ବର୍ଷା ହେଲେ ପାଣି ଲହଡି ଭାଙ୍ଗୁଛି । ସ୍ଥାନୀୟ ଅଧିବାସୀ ଜଳ ନିଷ୍କାସନ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପଟ୍ଟାମୁଣ୍ଡାଇ ପୌର ନିର୍ବାହୀ ଅଧିକାରୀଙ୍କୁ ବାରମ୍ବାର ଭେଟି ଦାବୀ କରିଛନ୍ତି । ଉପଯୁକ୍ତ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ଜଳନିଷ୍କାସନ ହେଉନଥିବା ସ୍ଥାନୀୟ ଅଧିବାସୀ ମାନେ ଅଭିଯୋଗ କରିଛନ୍ତି । ଆଗକୁ ଆହୁରି ବର୍ଷା ଲାଗିରହିଲେ ସମସ୍ୟା ଆହୁରି ଅଧିକ ଜଟିଳ ହେବାର ଆଶଙ୍କା କରାଯାଉଛି ! ପୌରନିର୍ବାହୀ ଅଧିକାରୀ ରଞ୍ଜନ ଦାସ ତୁରନ୍ତ ସମସ୍ୟାର ସ୍ଥାୟୀ ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି !


Be the first to comment

Leave a Reply

Your email address will not be published.