ଅଢ଼ାଯୋଡ଼ି ପି.ୟୁ.ପି. ସ୍କୁଲରେ କୃତ୍ରିମ ବନ୍ୟା, ପାଣିରେ ଭାସୁଛି ବିଦ୍ୟାଳୟ ପରିସର,ବିପଦରେ ଯାତାୟାତ କରୁଛନ୍ତି ଛାତ୍ରୀଛାତ୍ର


ପଟ୍ଟାମୁଣ୍ଡାଇ ୨୮/୭ – ଗତ କିଛି ଦିନ ହେବ କ୍ରମାଗତ ଲଗାଣ ବର୍ଷା ଯୋଗୁଁ ପଟ୍ଟାମୁଣ୍ଡାଇ ଅଂଚଳରେ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବିଶେଷ କରି ସଠିକ୍ ଜଳ ନିଷ୍କାସନ ବ୍ୟବସ୍ଥା ନଥିବାରୁ ବିଭିନ୍ନ ସ୍ଥାନରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି କ୍ରମରେ ପଟ୍ଟାମୁଣ୍ଡାଇ ବ୍ଲକ୍ ଅନ୍ତର୍ଗତ ଅଢ଼ାଯୋଡ଼ି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆଣ୍ଠୁଏ ଉଚ୍ଚର ବର୍ଷା ପାଣି ଜମି ରହିବା ସହ ସ୍କୁଲଟି ସମ୍ପୂର୍ଣ୍ଣ ଜଳମଗ୍ନ ହୋଇପଡ଼ିଛି।ଶ୍ରେଣୀଗୃହଠାରୁ ଆରମ୍ଭ କରି ବିଦ୍ୟାଳୟର ସାମ୍ନା ପଡ଼ିଆ ଓ ରୋଷେଇ ଘର ଚାରିପାଖରେ ପାଣି ଲହଡ଼ି ମାରୁଥିବାରୁ କୋମଳମତି ଛାତ୍ରୀଛାତ୍ରମାନେ ବିଦ୍ୟାଳୟକୁ ଆସିବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନେକ ଶ୍ରେଣୀଗୃହ ଭିତରେ ପାଣି ପଶିଯିବା ଫଳରେ ପାଠପଢ଼ା ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି।ଯାହାକୁନେଇ ଅଭିଭାବକ ଓ ଛାତ୍ରୀଛାତ୍ରମାନେ ଅସନ୍ତୋଷ ପ୍ରକାଶ ପାଇଛି । । ପଟ୍ଟାମୁଣ୍ଡାଇ ବ୍ଲକ ଚନ୍ଦନନଗର ପଂଚାୟତ ଅଢାଯୋଡ଼ି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧ମରୁ ୮ମ ପର୍ଯ୍ୟନ୍ତ ୮ଟି ଶ୍ରେଣୀ ରହିଛ ଓ ପ୍ରାୟ ୧୪୫ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଶିକ୍ଷାଦାନ ପାଇଁ ୪ଜଣ ଶିକ୍ଷକ ନିୟୋଜିତ ହୋଇଛନ୍ତି । ୮ଟି ଶ୍ରେଣୀ ପାଇଁ ନିଯୁକ୍ତ ୪ଜଣ ଶିକ୍ଷକ ବହୁ କଷ୍ଟରେ ଶିକ୍ଷାଦାନ ବଜାୟ ରଖିଛନ୍ତି । ପ୍ରକାଶ ଯେ. ପ୍ରତ୍ୟେକ ବର୍ଷ ବର୍ଷା ଦିନରେ ସ୍କୁଲ ପରିସରରେ କୁତ୍ରିମ ବନ୍ୟା ସୃଷ୍ଟି ହୋଇ ବର୍ଷା ପାଣି ଲହଡି ଭାଙ୍ଗୁ ଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକାର ବ୍ୟବସ୍ଥା କରାଯାଇନାହଁ । ବିଦ୍ୟାଳୟ ପାର୍ଶ୍ୱରେ ଥିବା ନିଷ୍କାସନ ନାଳଗୁଡ଼ିକ ଜବରଦଖଲ ହୋଇପଡ଼ିଥିବା ଓ ପୋତି ହୋଇଯାଇଥିବାରୁ ବର୍ଷାପାଣି ନିଷ୍କାସିତ ହୋଇପାରୁନାହିଁ। ସ୍କୁଲ ପରିସରରେ ବର୍ଷା ପାଣି ସହ ଦୂଷିତ ପାଣି ଜମି ରହୁଥିବାରୁ ବିଷାକ୍ତ କୀଟପତଙ୍ଗ ଓ ସାପ ଭୟ ମଧ୍ୟ ବୃଦ୍ଧି ପାଇଛ । ଯାହା ଛୋଟଛୋଟ ଛାତ୍ରୀଛାତ୍ରମାନଙ୍କ ସୁରକ୍ଷା ପ୍ରତି ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବାରମ୍ବାର ସ୍ଥାନୀୟ ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କୁ ଜଣାଯାଇଥିଲେ ସୁଦ୍ଧା କୌଣସି ସ୍ଥାୟୀ ପ୍ରତିକାର କରାଯାଉନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସମ୍ପ୍ରତି ଲଘୁଚାପଜନିତ ଲଗାଣବର୍ଷାରେ ସ୍କୁଲ ପରିସର ଜଳାର୍ଣ୍ଣବ ହୋଇପଡ଼ିଥିବାବେଳେ ବର୍ଷା ପାଣି ନିଷ୍କାସନ ପାଇଁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିବାରୁ ଅଭିଭାବକ ଓ ଛାତ୍ରୀଛାତ୍ରମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏଥି ସହିତ ନାୟକ ସାହି ବ୍ରାହ୍ମଣସାହି ଓ ଅଙ୍ଗନବାଡି କେନ୍ଦ୍ର ମଧ୍ୟ ଜଳ ଘେରରେ ରହିଛି । ରାଜ୍ୟ ସରକାର ଜିଲା ତଥା ସ୍ଥାନୀୟ ପ୍ରଶାସନ ଅବିଳମ୍ବେ ଅଢାଯୋଡି ସ୍କୁଲ ପରିସରରୁ ବର୍ଷା ଜଳ ନିଷ୍କାସନ ପାଇଁ ପଦକ୍ଷେପ ନେବାକୁ ଗ୍ରାମବାସୀ ଅଭିଭାବକ ମାନେ ଦାବୀ କରିଛନ୍ତି ।


Be the first to comment

Leave a Reply

Your email address will not be published.