ବ୍ରାହ୍ମଣୀରେ ପ୍ରଥମ ବନ୍ୟାଜଳ, ପଟ୍ଟମୁଣ୍ଡାଇ ଧୋୟାଂଚଳ ଜଳମଗ୍ନ


  • ରାସ୍ତାରେ ଗାଢ ଗଛ ଉପୁଡ଼ି ଯାତାୟାତ ବାଧା
  • ନୀଳକଣ୍ଠପୁରରେ ମରାମତି ହୋଇନଥିବା ଘାଇ ଦେଇ ଗାଁରେ ପଶିଲା ପାଣି
  • ବୁଡ଼ିଗଲା ନଳକୂପ, ବିଶୁଦ୍ଧ ପାନୀୟ ଜଳର ସଙ୍କଟ
  • ଧୋୟାଂଚଳରେ କୁମ୍ଭୀର ଆତଙ୍କ, ଆଶଙ୍କାରେ ଗ୍ରାମବାସୀ

 


ପଟ୍ଟମୁଣ୍ଡାଇ ୩୦/୭ – ଚଳିତ ବର୍ଷ ବ୍ରାହ୍ମଣୀ ବୈତରଣୀ ଓ କାଣୀ ନଦୀରେ ପ୍ରଥମ ବନ୍ୟା ଆସିବା ଫଳରେ ପଟ୍ଟମୁଣ୍ଡାଇ ଧୋୟାଂଚଳରେ ଜନଜୀବନ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଶହ ଶହ ଏକର ଚାଷଜମି ଏବଂ ପ୍ରମୁଖ ରାସ୍ତାଘାଟ ଜଳମଗ୍ନ ହୋଇଥିବା ବେଳେ ରାସ୍ତାରେ ‘ରେନ୍‌-କଟ୍‌’ ସହ ଅନେକ ବଡ଼ ବଡ଼ ବୃକ୍ଷ ଉପୁଡ଼ି ଯାତାୟାତ ବିଚ୍ଛିନ୍ନ ହୋଇଛଗତବର୍ଷର ପୂର୍ବ ବନ୍ୟା ଘାଇଗୁଡ଼ିକର ସଠିକ୍ ମରାମତି ହୋଇ ନ ଥିବାରୁ ସେଗୁଡ଼ିକ ଓସାର ହୋଇ ଗାଁ ଭିତରକୁ ବନ୍ୟାପାଣି ମାଡ଼ିଆସିଛି। ତଳିଆ ଅଂଚଳର ବହୁ ଘର ଦ୍ୱାର ସହ ନଳକୂପଗୁଡ଼ିକ ବୁଡ଼ି ରହିବାରୁ ପାନୀୟ ଜଳର ଘୋର ସଙ୍କଟ ଦେଖାଦେଇଛି। ଏସବୁ ମଧ୍ୟରେ ବନ୍ୟାଜଳ ସହ ଗାଁ ନିକଟକୁ କୁମ୍ଭୀର ଚାଲିଆସିବା ଭୟ ଲୋକଙ୍କ ନିନ୍ଦ ହଜାଇ ଦେଇଛି।

 


କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ଚଳିତ ବର୍ଷର ବାରମ୍ବାର ଲଘୁଚାପଜନିତ ଲଗାଣବର୍ଷା ଓ ରେଙ୍ଗାଲି ପାଣି ଛାଡିବା ଯୋଗୁଁ ବ୍ରାହ୍ମଣୀ, ବୈତରଣୀ ଓ କାଣୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପଟ୍ଟାମୁଣ୍ଡାଇ ବ୍ଲକ ସିଂହଗାଁ, ଅଳପୁଆ, ତରଡ଼ିପାଳ, ପେଣ୍ଠପାଳ, ଅଣ୍ଢରା, ଅମୃତମଣୋହି ବଲୁରିଆ, ବାଲିପାଟଣା, ଶ୍ରୀରାମପୁର, ଡାମରପୁର, ବଳଭଦ୍ରପୁର ବାଛରା, ନିଳକଣ୍ଠପୁର ଓ ଶାସନ ଆଦି ପଂଚାୟତର ଅନେକ ଗ୍ରାମର ବନ୍ୟା ପାଣି ମାଡି ଯାଇଛି । ସେହିପରି ପଟ୍ଟାମୁଣ୍ଡାଇ ପୌରାଂଚଳର ବାଲିପଡ଼ା, କଷଣଅଂଟା, ତଳବାଲିପଡ଼ା, ସିଦ୍ଧପାଟଣା, ବଳଦେବନଗର, ତନୁପୁର, ନନ୍ଦିନୀନଗର, କାକୁଡିପଲ୍ଲୀ, ନୂଆଗାଁ ଅଳଭା, ଷଣ୍ଢପଲ୍ଲୀ ଆଦି ଅଂଚଳର ଚାଷ ଜମିରେ ବନ୍ୟା ଜଳ ପ୍ରବେଶ କରିଛି ।

ପଟ୍ଟାମୁଣ୍ଡାଇ ବ୍ଲକର ସବୁଠାରୁ ଦୁର୍ଗମ ଅଂଚଳ ଭାବେ ପରିଚିତ ସିଂହଗାଁ ପଂଚାୟତ ବାହ୍ୟଜଗତରୁ ବିଛିନ୍ନ ହୋଇପଡିଛି । ଦାଣ୍ଡିସାହି ହାଇସ୍କୁଲ ଓ କଲେଜ ସମ୍ମୁଖ ରାସ୍ତାରେ ବନ୍ୟା ସୁଅ ଛୁଟିଛି । ସେହିପରି ମାଳିପୁର ରାସ୍ତା ବୁଡି ଯାଇ ଥିବାରୁ ଶ୍ରୀରାମପୁର, ଡାମରପୁର ବାହ୍ୟ ଜଗତରୁ ବିଛିନ୍ନ ହୋଇପଡିଛି । ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ତନୁପୁର ରାସ୍ତା ବୁଡି ଯାଇ ଥିବାରୁ ବାଲିପାଟଣା, ଖଡ଼ିପାଳ ତନୁପୁର,ନଦିନୀନଗର ବାହ୍ୟ ଜଗତରୁ ବିଛିନ୍ନ ହୋଇପଡିଛି । ପଟ୍ଟାମୁଣ୍ଡାଇ ବ୍ଲକର ବାଛରା ପଂଚାୟତ ମଣ୍ଡପଡା ବାଛରା ରାସ୍ତା ବୁଡି ଯାଇଥିବାରୁ ବାଛରା ମଣ୍ଡପଡା ବାହ୍ୟଜଗତ୍ରରୁ ବିଛିନ୍ନ ହୋଇପଡିଛି ।


ଚଳିତ ବର୍ଷ ଲଗାଣ ବର୍ଷାରେ ଧୋୟାଂଚଳର ବହୁ ସ୍ଥାନରେ ରେନକଟ୍ ସୃଷ୍ଠି ହୋଇ ଗାଢ ସୃଷ୍ଠି ହୋଇଥିଲା । ଚଳିତ ବନ୍ୟାଜଳ ରାସ୍ତାରେ ପ୍ରବାହିତ ହେବା ଯୋଗୁଁ ବିଭିନ୍ନ ସ୍ଥାନରେ ଲେିକେଜ ଦେଖାଦେଇଛି । ବାଲିପାଟଣା ପଂଚାୟତ ଖରିପାଳ ଗ୍ରାମର ବହୁ ଗୁରୁତ୍ୱପୂର୍ଣ୍ଣ ରାସ୍ତାଘାଟ ସହ ଏକର ଏକର ଚାଷଜମି ଜଳମଗ୍ନ ହୋଇପଡ଼ିଛି। ଖରିପାଳ ଗ୍ରାମ ରାସ୍ତାରେ ଏକ ବିରାଟ ଗଛ ଉପୁଡ଼ି ଯାତାୟାତ ବାଧାପ୍ରାପ୍ତ ହୋଇଛି।

ବନ୍ୟାର ପ୍ରବଳ ସ୍ରୋତ ଯୋଗୁଁ ଅନେକ ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ତଳିଆ ଅଂଚଳର ଅନେକ ଘର ସହିତ ସାଧାରଣ ନଳକୂପ ଗୁଡ଼ିକ ମଧ୍ୟ ବନ୍ୟାଜଳରେ ବୁଡ଼ି ରହିଛି। ଫଳରେ ସ୍ଥାନୀୟ ଲୋକଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳର ଘୋର ସଙ୍କଟ ଦେଖାଦେଇଛି। ଲୋକେ ପିଇବା ପାଣି ମୁନ୍ଦାଏ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।


ଅପରପକ୍ଷରେ ଜଳ ସମ୍ପଦ ବିଭାଗର ଆନ୍ତରିକତାହୀନତା ଓ ଅପାରଗତା ଯୋଗୁଁ ଗତ ବନ୍ୟାରେ ସୃଷ୍ଟି ହୋଇଥିବା ଘାଇଗୁଡ଼ିକର ସଠିକ୍ ମରାମତି ହୋଇପାରିନଥିବା ଅଭିଯୋଗ ହୋଇଛି। ବିଶେଷକରି ନୀଳକଣ୍ଠପୁର ଗ୍ରାମରେ ଥିବା ପୁରୁଣା ଘାଇଟି ପୁନର୍ବାର ଓସାରିଆ ହୋଇ ଗାଁ ଭିତରକୁ ବନ୍ୟାପାଣି ମାଡ଼ି ଆସିଛି।


ଏହାରି ଭିତରେ ବନ୍ୟାଜଳ ସହ ନଦୀରୁ କୁମ୍ଭୀରମାନେ ଗାଁ ଓ ବିଲପାଟକୁ ଚାଲିଆସୁଥିବାରୁ ସମଗ୍ର ଧୋୟାଂଚଳବାସୀ ଏବେ କୁମ୍ଭୀର ଆତଙ୍କରେ ଥରହର ହେଉଛନ୍ତି। ତୁରନ୍ତ ପ୍ରଶାସନିକ ସହାୟତା, ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଯୋଗାଇଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।


Be the first to comment

Leave a Reply

Your email address will not be published.