ଆସନ୍ତା ପଞ୍ଚାୟତ ନିର୍ବାଚନରେ ରେକର୍ଡ ସୃଷ୍ଟି କରିବ ଓଜେସିପି



କେନ୍ଦ୍ରାପଡ଼ା,୨ା୮:ଆସନ୍ତା ୨୦୨୭ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଓଡ଼ିଶା ଜନତା କଂଗ୍ରେସ ପାର୍ଟି(ଓଜେସିପି) ରେକର୍ଡ ସଂଖ୍ୟକ ସିଟରେ ବିଜୟୀ ହେବ। ଓଜେସିପି ସମର୍ଥନରେ କେନ୍ଦ୍ରାପଡା ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତରେ ପ୍ରାର୍ଥୀ ଦିଆଯିବ। ଫଳରେ ଓଡ଼ିଶା ରାଜନୀତିରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିବ ବୋଲି ଓଜେସିପିର କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ଅଶୋକ ପ୍ରତିହାରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଗୋପଛକ ସ୍ଥିତ ଏକ ଘରୋଇ ମଣ୍ଡପରେ ଦଳର ସଭ୍ୟ ସଂଗ୍ରହ ଅଭିଯାନରେ ଯୋଗଦେଇ ଶ୍ରୀ ପ୍ରତିହାରୀ କହିଛନ୍ତି ଯେ କେନ୍ଦ୍ରାପଡ଼ା ଜିଲ୍ଲା ଏକ ଶିଳ୍ପ ବିହୀନ ଜିଲ୍ଲା ହୋଇଥିବାରୁ ଏହି ଜିଲ୍ଲାରେ କିପରି ଶିଳ୍ପ ପ୍ରତିଷ୍ଠା ହୋଇପାରିବ ସେ ନେଇ ତାଙ୍କ ଦଳ ରାଜ୍ୟ ସରକାରଙ୍କ ଉପରେ ଗଣତାନ୍ତ୍ରିକ ଉପାୟରେ ଚାପ ପ୍ରୟୋଗ କରିବ। କେନ୍ଦ୍ରାପଡ଼ା ଜିଲ୍ଲାରେ ଶିଳ୍ପ ନ ଥିବା ବେଳେ ପାରାଦୀପର ସମସ୍ତ ପ୍ରଦୂଷଣ ଏହି ଜିଲ୍ଲାବାସୀ ଗ୍ରହଣ କରୁଛନ୍ତି। ଫଳରେ ଆମ ଜିଲ୍ଲାର ଲୋକ କେବଳ ରୋଗାଗ୍ରସ୍ତ ହେଉଛନ୍ତି। ତେଣୁ ଶିଳ୍ପ ସଂସ୍ଥା ଗୁଡିକ ସେମାନଙ୍କ ସିଏସଆର ପାଣ୍ଠିକୁ କିପରି ଏହି ଜିଲ୍ଲାରେ ଅଧିକ ଖର୍ଚ୍ଚ କରିବ ସେ ନେଇ ଦଳ ପଦକ୍ଷେପ ଗ୍ରହଣ କରିବ। ଆମ ଜିଲ୍ଲାରେ ଜଳସେଚନର ସୁବିଧା ପାଇଁ ଚେକ ଡ୍ୟାମ ନାହିଁ। ଯାହା ଫଳରେ ବର୍ଷା ଜଳ ସମୁଦ୍ରକୁ ଚାଲି ଯାଉଛି। ତେଣୁ କିପରି ଚେକଡ୍ୟାମ ନିର୍ମାଣ ହେବ ସେ ନେଇ ଦଳ ପଦକ୍ଷେପ ନେବ ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଦଳର ରାଜ୍ୟ ସାଧାରଣ ସମ୍ପାଦକ ସୁଜିତ ସ୍ୱାଇଁ, କଟକ ଜିଲ୍ଲା କମିଟି ସଭାନେତ୍ରୀ ଗିରିବାଳା ବେହେରା, ରାଜ୍ୟ କମିଟି ଉପସଭାପତି ନିକୁଞ୍ଜ ପଶାୟତ, ରାଜ୍ୟ ମହିଳା କମିଟି ସଭାନେତ୍ରୀ ଶୈଳବାଳା ଜେନା, ରାଜ୍ୟ କମିଟି ଯୁବ ସଭାପତି ଆର୍ଯ୍ୟବୀର ଲେଙ୍କା, କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ସଂଗ୍ରାମ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।


Be the first to comment

Leave a Reply

Your email address will not be published.