ପଟ୍ଟାମୁଣ୍ଡାଇରେ ଶାରଦୀୟ ଦୁର୍ଗାପୂଜା ବଙ୍ଗଳୀଦୂର୍ଗାଙ୍କ ନିକଟରେ ଅପରାଜିତା ପୂଜା, ସିନ୍ଦୂର ଖେଳ

0
KUMARI PUJANA (1)

କେନ୍ଦ୍ରାପଡା ୨୨/୧୦ -କେନ୍ଦ୍ରାପଡ଼ା ଜିଲାର ପ୍ରସିଦ୍ଧ ଆଧ୍ୟାତ୍ମିକ ଓ ସାଂସ୍କୃତିକ ସହର ପଟ୍ଟାମୁଣ୍ଡାଇ ଅଂଚଳର ଅନନ୍ୟ ଗଣପର୍ବ ଶାରଦୀୟ ଦୁର୍ଗାପୂଜା ପାଇଁ ସମଗ୍ର ଅଂଚଳ ଏବେ ଉତ୍ସବମୁଖର । ପଟ୍ଟାମୁଣ୍ଡାଇର ଦୁର୍ଗାପୂଜାର ନିଆରା ଆକର୍ଷଣ, ଭବ୍ୟ ତୋରଣ, ଆଲୋକମାଳା ଓ ଆଧ୍ୟାତ୍ମିକ ପରିବେଶ ସମଗ୍ର ଜିଲା ତଥା ଆଖପାଖ ଅଂଚଳର ଶ୍ରଦ୍ଧାଳୁଙ୍କୁ ପଟ୍ଟାମୁଣ୍ଡାଇ ମୁହାଁ କରିଛି। ବୁଧବାର ସମସ୍ତ ପୂଜା ମଣ୍ଡପଗୁଡ଼ିକରେ ବିଧି ପରମ୍ପରା ଅନୁଯାୟୀ ବିଜୟା ଦଶମୀ ପୂଜା ପାଳିତ ହୋଇଯାଇଛି। ଧରାପୃଷ୍ଠରୁ ମା’ ଜଗତଜନନୀ ଦୁର୍ଗା ବିଦାୟ ନେଉଥିବାରୁ ଏହି ପବିତ୍ର ଅବସରରେ ବିଭିନ୍ନ ପୂଜା ପେଣ୍ଡାଲରେ ମା’ଙ୍କ ଶେଷ ଦର୍ଶନ ଓ ବିଦାୟ ସମ୍ବର୍ଦ୍ଧନା ଚାଲିଛି।
ପଟ୍ଟାମୁଣ୍ଡାଇର ଐତିହାସିକ ବଙ୍ଗଳୀସାହି ପୂଜା ମଣ୍ଡପରେ ବଙ୍ଗୀୟ ପରମ୍ପରା ଅନୁଯାୟୀ ବିଶେଷ ଆଡ଼ମ୍ବରର ସହ ପାରମ୍ପରିକ ଅପରାଜିତା ପୂଜା ସମ୍ପନ୍ନ ହେବା ପରେ ମହିଳାମାନଙ୍କ ଦ୍ୱାରା ସିନ୍ଦୂର ଖେଳ ଅନୁଷ୍ଠିତ ହୋଇଛି। ମା’ଙ୍କ ବିଦାୟ ପୂର୍ବରୁ ସଧବା ମହିଳାମାନେ ମା’ ଦୁର୍ଗାଙ୍କୁ ସିନ୍ଦୂର, ଭୋଗ ଓ ନୈବେଦ୍ୟ ଅର୍ପଣ କରିବା ସହ ମା’ଙ୍କ ମଥାରେ ସିନ୍ଦୂର ଲଗାଇ ପାରିବାରିକ ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରି ଆଶୀର୍ବାଦ ଭିକ୍ଷା କରିଛନ୍ତି। ଏହାପରେ ସମସ୍ତ ମହିଳା ପରସ୍ପରକୁ ସିନ୍ଦୂର ଲଗାଇ ଶୁଭେଚ୍ଛା ଜଣାଇବା ସହ ଏହି ସିନ୍ଦୂର ଖେଳ ପରମ୍ପରାକୁ ଅତ୍ୟନ୍ତ ଉତ୍ସାହର ସହ ପାଳନ କରିଛନ୍ତି। ମା’ଙ୍କୁ ବିଦାୟ ଦେବା ମୁହୂର୍ତରେ ଏକ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ଢୋଲ, ବାଜା, ଶଙ୍ଖ ଧ୍ୱନି ଓ ଭକ୍ତିମୟ ଜୟକାର ମଧ୍ୟରେ ମା’ଙ୍କୁ ମେଲାଣି ଓ କନକଅଞ୍ଜୁଳି ଦେବା ପାଇଁ ବଙ୍ଗଳୀସାହିରେ ବ୍ୟାପକ ପ୍ରସ୍ତୁତି ଚାଲିଛି।
ଅପରପକ୍ଷରେ, ନୀଳକଣ୍ଠପୁର ପୂଜା ମଣ୍ଡପରେ ଏକ ଭିନ୍ନ ଓ ନିଆରା ପରମ୍ପରା ଦେଖିବାକୁ ମିଳିଥିଲା। ନବମୀ ତିଥି ସନ୍ଧ୍ୟାରେ ଶହ ଶହ ମାନସିକଧାରୀ ଭକ୍ତ ନିର୍ଜଳା ବ୍ରତ ରଖି ମୁଣ୍ଡ ଉପରେ ଜଳନ୍ତା ନିଆଁ ପଲମ ରଖିଥିଲେ। ସେଥିରେ ଝୁଣା ଢାଳି ମା’ଙ୍କ ପାଦପଦ୍ମରେ ସମର୍ପଣ କରିବା ସହ ନିଜର ମାନସିକ ଜଣାଇଥିଲେ। ଦୁର୍ଗାପୂଜାର ନବମୀ ତିଥିରେ ମା’ଙ୍କ ଛାମୁରେ ଝୁଣା ପୋଡ଼ିଲେ ସାତ ଜନ୍ମର ପାପ କ୍ଷୟ ହେବା ସହ ମାନସିକ ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏହି ଅଲୌକିକ ଓ ନିଆରା ପରମ୍ପରା ଦେଖିବା ପାଇଁ ନୀଳକଣ୍ଠପୁର ପୂଜାମଣ୍ଡପରେ ଭକ୍ତଙ୍କ ପ୍ରବଳ ଗହଳି ଜମିଥିଲା।
ବିଜୟାଦଶମୀ ପରିପ୍ରେକ୍ଷୀରେ, ପୋଖରିଆପଡ଼ା ଦୁର୍ଗା ପୂଜା ସମିତି ପକ୍ଷରୁ ବୁଧବାର ରାତିରେ ବିଧି ମୁତାବକ ଅଧର୍ମ ଉପରେ ଧର୍ମର ବିଜୟର ପ୍ରତୀକ ରାବଣପୋଡ଼ି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

ଶିବାନନ୍ଦ ଆଶ୍ରମରେ ନବଦୁର୍ଗା କୁମାରୀ ପୂଜନ

କେନ୍ଦ୍ରାପଡା ଗରାପୁରସ୍ଥିତ ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମରେ ନବଦୁର୍ଗା କୁମାରୀ ପୂଜନ ଅନୁଷ୍ଠିତ ହୋଇଯାଇଛି। ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟ ସ୍ୱରୂପା ନନ୍ଦ ସରସ୍ୱତୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଶାରଦୀୟ ନବରାତ୍ର ପାଳନ ଓ ସପ୍ତସତୀ ପାରାୟଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସାରା ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ନିମନ୍ତେ ନବଦିନ ବ୍ୟାପୀ ଚଣ୍ଡି ପଠନ, ହବନ, ଜପ ଓ ପାରାୟଣ ପ୍ରଭୃତି କରାଯାଇଥିଲା। ଏଥିସହିତ ବିଶ୍ୱବାସୀଙ୍କ ଉଦ୍ଦେଶ୍ୟରେ ଶ୍ରୀମା ଏକାଗ୍ର ଚିତ୍ତରେ ଉପବାସ ବ୍ରତ ପାଳନ କରିବା ସହ ସମଗ୍ର ବିଶ୍ୱ ପାଇଁ ଶାନ୍ତି, ମୈତ୍ରୀ ଏବଂ ସୁଶାସନ ନିମନ୍ତେ ନିଜର ଜୀବନକୁ ସମାଜର ମଙ୍ଗଳ ପାଇଁ ଉତ୍ସର୍ଗ କରିଛନ୍ତି। ବିଶ୍ୱଶାନ୍ତି ଏବଂ ପୂର୍ଣ୍ଣଭୂମି ଭାରତ ବର୍ଷର ଅଖଣ୍ଡତା ପାଇଁ ଶ୍ରୀମାଙ୍କର ଏହି ବ୍ରତ। ସମାଜରେ ନିଶା ନିବାରଣ, ଅସତ୍ୟ ଓ ଅଧର୍ମର ବିନାଶ ସହ ଶାନ୍ତି ଓ ସମୃଦ୍ଧିର ଭାରତ ବର୍ଷ ନିମନ୍ତେ ଶ୍ରୀମାଙ୍କ ଏଭଳି ପ୍ରୟାସ ଜାରି ରହିଛି। ଏହାବ୍ୟତିତ ନବକନ୍ୟା ପୂଜନ ବା କୁମାରୀ ପୂଜନ ମଧ୍ୟ ମହାସମାରୋହରେ ଅନୁଷ୍ଠିିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ଲକ୍ଷ୍ମୀପ୍ରିୟା ଆୟର, ରୀତାଞ୍ଜଳି ନାଥ, ଦୈା୍ରପଦୀ ରାଉତ, ଗାୟତ୍ରୀ ସ୍ୱାଇଁ, ଶକୁନ୍ତଳା ଖଟୁଆ, ପୂର୍ଣ୍ଣମା ମହାନ୍ତି, ଗୀତା ସ୍ୱାଇଁ, ରୀତା ମହାନ୍ତି ପ୍ରମୁଖ ଯୋଗଦେଇଥିଲେ। ବିଶ୍ୱ କଲ୍ୟାଣ ପାଇଁ ଏବଂ ସଂସାରର ଦୁଃଖ ଦୁର୍ଦ୍ଦଶା ଦୂର ପାଇଁ ଶ୍ରୀମା’ କୁମାରୀ କନ୍ୟାମାନଙ୍କୁ ବିଧି ପୂର୍ବକ ପୂଜାର୍ଚ୍ଚନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ବ୍ରହ୍ମଚାରୀ ନୃସିଂହ ନାଥ ପରିଚାଳନା କରିଥିଲେ।


Leave a Reply

Your email address will not be published. Required fields are marked *