ଡେରାବିଶ ବ୍ଲକ ୧.୬କୋଟି ଟଙ୍କା ହରିଲୁଟ ମାମଲା, ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ବେଖାତିର,ଅନୁପସ୍ଥିତ ରହିଲେ ତଦନ୍ତକାରୀ ଅଧିକାରୀ, ତାଲା ନଖୋଲି ଫେରିଲେ ମ୍ୟାଜିଷ୍ଟ୍ରେଟ

0
DERABIS BLOCK (1)


କେନ୍ଦ୍ରାପଡ଼ା,୪ା୧୧:କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ପ୍ରଶାସନରେ ସାମ୍ନାକୁ ଆସିଥିବା ପ୍ରାୟ ୧ କୋଟି ୬ ଲକ୍ଷ ଟଙ୍କାର ସରକାରୀ ପାଣ୍ଠି ହେରଫେର ମାମଲା ଏବେ ଜିଲ୍ଲାବ୍ୟାପୀ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ଏହି ବହୁଚର୍ଚ୍ଚିତ ଆର୍ôଥକ ଅନିୟମିତତାର ମୁଖ୍ୟ ଅଭିଯୁକ୍ତ ତଥା ବ୍ଲକର ବରିଷ୍ଠ କିରାଣି ଶଶିକାନ୍ତ ରଣା ଘଟଣା ପରଠାରୁ ଛୁଟିରେ ଚାଲିଯାଇଥିବା ବେଳେ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠଟି ସମ୍ପୂର୍ଣ୍ଣ ସିଲ୍ ଅବସ୍ଥାରେ ତାଲା ପଡ଼ି ରହିଛି। ଅଫିସ୍ କୋଠରୀ ବନ୍ଦ ଥିବାରୁ କୋଟି କୋଟି ଟଙ୍କାର କାଗଜପତ୍ର ଏବଂ ଆର୍ôଥକ କାରବାର ରେକର୍ଡ ଯାଞ୍ଚ କରିବା ସମ୍ଭବ ହୋଇପାରୁନାହିଁ, ଯାହାଫଳରେ ସମ୍ପୂର୍ଣ୍ଣ ତଦନ୍ତ ପ୍ରକ୍ରିୟା ଠପ୍ ହୋଇପଡ଼ିଛି। ଏହି ସମ୍ବେଦନଶୀଳ ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ଜିଲ୍ଲାପାଳ କିରାଣି ଶଶିକାନ୍ତଙ୍କ ସରକାରୀ ଚାମ୍ବରର ତାଲା ଭାଙ୍ଗି କାଗଜପତ୍ର ଜବତ କରିବା ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶ ଜାରି କରିଥିଲେ। ସ୍ୱଚ୍ଛତା ଓ ପ୍ରୋଟୋକଲ୍ ରକ୍ଷା ନିମନ୍ତେ ଏକ ଉଚ୍ଚସ୍ତରୀୟ ତଦନ୍ତକାରୀ ଟିମ୍ ମଧ୍ୟ ଗଠନ କରାଯାଇଥିଲା। ଏହି ନିର୍ଦ୍ଦେଶ ଅନୁଯାୟୀ ଡେରାବିଶ ଅତିରିକ୍ତ ତହସିଲଦାର ଭାସ୍କର ବେହେରା ଘଟଣାସ୍ଥଳରେ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ ଭାବେ ଉପସ୍ଥିତ ରହିଥିବା ବେଳେ ସଦର ଥାନାର ଜଣେ ଏଏସ୍‌ଆଇ, ଡେରାବିଶ ବିଡିଓ ନମିତା ବାରିକ, ଏବଂ ଅତିରିକ୍ତ ବିଡିଓ (ଏବିଡିଓ) ମୃଣ୍ମୟ ରାଉତ ଉପସ୍ଥିତ ରହିଥିଲେ। ଏଥିସହିତ ତଦନ୍ତ ଏବଂ ଡାଟା ପୁନରୁଦ୍ଧାର କାର୍ଯ୍ୟରେ ସହାୟତା କରିବା ପାଇଁ କେନ୍ଦ୍ରାପଡ଼ା ବ୍ଲକର ସେକ୍ସନ ଅଫିସର (ଏସ୍‌ଓ) ମୀନାକ୍ଷୀ ବାରିକ, ସିନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ ଅରୁଣ କୁମାର ଦାଶ ଏବଂ କମ୍ପ୍ୟୁଟର ପ୍ରୋଗ୍ରାମର ତାପସ ରଞ୍ଜନ ପରିଡ଼ାଙ୍କୁ ଡେରାବିଶ ବିଡିଓଙ୍କ ନିକଟରେ ରିପୋର୍ଟ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ତେବେ ଆଶ୍ଚର୍ଯ୍ୟଜନକ ଭାବେ, ମାଜିଷ୍ଟ୍ରେଟ୍ ଏବଂ ପୋଲିସ ପ୍ରଶାସନ ପହଞ୍ଚିବା ସତ୍ତ୍ୱେ କେନ୍ଦ୍ରାପଡ଼ା ବ୍ଲକର ଉକ୍ତ ତିନିଜଣ କର୍ମଚାରୀ ଘଟଣାସ୍ଥଳରେ ଉପସ୍ଥିତ ହୋଇନଥିଲେ କିମ୍ବା କୌଣସି ସୂଚନା ନଦେଇ କାର୍ଯ୍ୟରୁ ଦୂରେଇ ରହିଥିଲେ। ତଦନ୍ତକାରୀ ଟିମ୍‌ର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ତଥା ରେକର୍ଡ ଯାଞ୍ଚ ପାଇଁ ଦାୟିତ୍ୱ ପାଇଥିବା ଏହି ତିନି କର୍ମଚାରୀଙ୍କ ଅନୁପସ୍ଥିତି ଯୋଗୁଁ ଆଇନଗତ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥିଲା। ଫଳରେ ମାଜିଷ୍ଟ୍ରେଟ୍ ଓ ଅନ୍ୟାନ୍ୟ ଅଧିକାରୀଙ୍କ ଉପସ୍ଥିତି ସତ୍ତ୍ୱେ୍ୱ ଚାମ୍ବରର ତାଲା ଖୋଲାଯାଇ ନପାରି ଶେଷ ମୁହୂର୍ତ୍ତରେ କାର୍ଯ୍ୟକ୍ରମ ସ୍ଥଗିତ ରଖିବାକୁ ପଡ଼ିଥିଲା। ଗୋଟିଏ ପଟେ ବ୍ଲକରୁ ସାଧାରଣ ଜନତାଙ୍କ ପାଇଁ ଉଦ୍ଦିଷ୍ଟ କୋଟି କୋଟି ଟଙ୍କା ଗାଏବ ହୋଇଯିବା ଏବଂ ଅନ୍ୟପଟେ ଜିଲ୍ଲା ମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳଙ୍କ ସ୍ପଷ୍ଟ ଆଦେଶକୁ ଅଧସ୍ତନ କର୍ମଚାରୀମାନେ ଏଭଳି ହାଲୁକା ଭାବେ ନେଇ ଅନୁପସ୍ଥିତ ରହିବା ସାଧାରଣରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହା ପ୍ରଶାସନିକ ଶୃଙ୍ଖଳାହୀନତା ନା ଅଭିଯୁକ୍ତଙ୍କୁ ସୁରକ୍ଷା ଦେବା ପାଇଁ ଯୋଜନାବଦ୍ଧ ଭାବେ ତଦନ୍ତକୁ ବିଳମ୍ବିତ କରାଯାଉଛି, ସେନେଇ ସ୍ଥାନୀୟ ମହଲରେ ସନ୍ଦେହ ପ୍ରକାଶ ପାଇଛି। ଯଦି ସରକାରୀ ନିର୍ଦ୍ଦେଶକୁ ଏଭଳି ଖୋଲାଖୋଲି ଉଲ୍ଲଂଘନ କରାଯିବ, ତେବେ ଏତେବଡ଼ ଦୁର୍ନୀତିର ମୂଳ ପର୍ଯ୍ୟନ୍ତ ତଦନ୍ତ ପହଞ୍ଚିପାରିବ କି ନାହିଁ ବୋଲି ପ୍ରଶ୍ନ ଉଠୁଛି। ଏହି ସମ୍ପର୍କରେ ଡେରାବିଶ ବ୍ଲକ୍ ଏବିଡିଓ ମୃଣ୍ମୟ ରାଉତ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ କେନ୍ଦ୍ରାପଡ଼ା ବ୍ଲକର ତିନିଜଣ କର୍ମଚାରୀଙ୍କ ଅନୁପସ୍ଥିତି କାରଣରୁ ତାଲା ଖୋଲିବା ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇପାରିଲା ନାହିଁ। ଏହି ଘଟଣା ସମ୍ପର୍କରେ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଚିଠି ଲେଖି ଅବଗତ କରାଯାଇଛି। ସେ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଆସନ୍ତାକାଲି ତଦନ୍ତକାରୀ କମିଟିରେ ଥିବା ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଉପସ୍ଥିତିରେ ନିଶ୍ଚିତ ଭାବେ ଅଫିସ୍ କୋଠରୀ ଖୋଲାଯାଇ ଯାଞ୍ଚ କରାଯିବ। ତେବେ ସରକାରୀ ଆଦେଶକୁ ଅମାନ୍ୟ କରି ତଦନ୍ତ ପ୍ରକ୍ରିୟାକୁ ବାଧା ପହଞ୍ଚାଇଥିବା କର୍ମଚାରୀଙ୍କ ବିରୋଧରେ ଜିଲ୍ଲା ପ୍ରଶାସନ କିଭଳି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ଏବଂ ଆଗାମୀ ଦିନରେ ଏହି ୧.୬ କୋଟି ଟଙ୍କା ଘୋଟାଲାର କେଉଁ କେଉଁ ରହସ୍ୟ ଉନ୍ମୋଚନ ହେଉଛି, ତାହା ଉପରେ ଏବେ ସମଗ୍ର ଜିଲ୍ଲାବାସୀଙ୍କ ନଜର ରହିଛି।

ପ୍ରକାଶ ଯେ. ରାଜସ୍ୱ ବିଭାଗର କିରାଣି ଶଶିକାନ୍ତ ରଣା ଡେରାବିଶ ଓ ରାଜକନିକା ବ୍ଲକ୍ କାର୍ଯ୍ୟାଳୟରୁ ୨କୋଟି ୮୭ଲକ୍ଷରୁ ଅଧିକ ଟଙ୍କାର ସରକାରୀ ରାଶି ହଡ଼ପ କରିଥିବା ଅଭିଯୋଗ ହୋଇଛି। ଏପରି କେଳେଙ୍କାରୀ ହୋଇଥିବା ବେଳେ ସେ ପତ୍ନୀ, ଶାଳୀ, ପୂର୍ବତନ ଭିଏଲ୍‌ଡବ୍ଲୁ ଓ ନିଜ ଆକାଉଣ୍ଟ୍‌ରେ ବିଭିନ୍ନ ପର୍ଯ୍ୟାୟରେ ଉପରୋକ୍ତ ହଡ଼ପ ରାଶି ଶ୍ରୀ ରଣା ଉଠାଇ ନେଇଛନ୍ତି। ଡେରାବିଶ ବ୍ଲକ୍‌ର ୧କୋଟି ୬ଲକ୍ଷ ୩ହଜାର ୫୯୫ଟଙ୍କା ହଡପ ହୋଇଥିବା ନେଇ ଜିଲ୍ଲା କୋଷାଗାର ଅଧିକାରୀ ସଚ୍ଚିଦାନନ୍ଦ ବେହେରା ଡେରାବିଶ ବିଡିଓଙ୍କୁ ଚିଠି ଲେଖିବା ପରେ ପୂରା କେଳେଙ୍କାରୀ ସାମନାକୁ ଆସିଛି। କିରାଣି ଶ୍ରୀ ରଣା ଏବେ ଡେରାବିଶ ବ୍ଲକ୍‌ରେ କର୍ଯ୍ୟକରୁଥବା ବେଳେ ପୂର୍ବରୁ ରାଜକନିକା ବ୍ଲକ୍‌ରେ କାର୍ଯ୍ୟ କରୁଥିଲେ। ରାଜକନିକାରେ ଏଯାଏଁ ୧ କୋଟି ୮୦ ଲକ୍ଷରୁ ଅଧିକ ଟଙ୍କା ଶ୍ରୀ ରଣା ଚଳୁ କରିଥିବା ଜଣାପଡ଼ିଛି। ଚାକିରିରୁ ଅବସର ନେଉଥିବା କର୍ମଚାରୀ ଓ ଅଧିକାରୀଙ୍କ ନାମକୁ ବ୍ୟବହାର କରି ସେ ଏପରି କେଳେଙ୍କାରୀ ୨୦୨୦ ମସିହାରୁ କରି ଆସୁଥିଲେ।


Leave a Reply

Your email address will not be published. Required fields are marked *