କେନ୍ଦ୍ରାପଡାରେ ଗଜଲକ୍ଷ୍ମୀ ଭଷାଣୀ ଉତ୍ସବ: ସିଂହ ବାଜା ଓ ଦୁଲଦୁଲିରେ ଦୁଲୁକିଲା ସହର


କେନ୍ଦ୍ରାପଡ଼ା ସହର ସମେତ ଗାଁ ମାନଙ୍କରେ ମଧ୍ୟ ମା’ ଗଜଲକ୍ଷ୍ମୀଙ୍କ ଭଷାଣୀ ଉତ୍ସବ ଶନିବାର ଆରମ୍ଭ ହୋଇଥିବା ବେଳେ ରବିବାର ଦିତୀୟ ଦିନରେ  ପୂର୍ବାହ୍ନ ପ୍ରାୟ ୧୦ଟାରେ ସମସ୍ତ ୪୮ଟି ମେଢ ପୁରୁଣାବସଷ୍ଟାଣ୍ଡସ୍ଥିତ ମେଲଣ ପଡିଆରେ ପହଞ୍ଚିବା ପରେ ଭୋଗଲାଗି କରାଯାଇଥିଲା । ପରେ ଅପରାହ୍ନ ପ୍ରାୟ ୧୨ଟାରେ ଭଷାଣୀ ଉତ୍ସବ ଆରମ୍ଭ ହୋଇଥିଲା । ମା’ଙ୍କ ଗୋଟିଏ ପରେ ଗୋଟିଏ ମେଢ ମେଲଣ ପଡିଆରୁ ବିଷର୍ଜ୍ଜନ ଘାଟ ଅଭିମୁଖେ ବାହାରିଥିଲେ । ଭଷାଣୀ ଉତ୍ସବ ଅବସରରେ ମେଢ ଗୁଡିକରେ ବାଜୁଥିବା ଦୁଲଦୁଲି ଓ ସିଂହବାଜାରେ ସାରା କେନ୍ଦ୍ରାପଡା ସହର ସତେ ଯେମିତି ଦୁଲୁକି ଉଠୁଛି । ଗଜଲକ୍ଷ୍ମୀ ଭଷାଣୀ ଉତ୍ସବର ରାତି ସାଢେ ୮ଟା ସୁଦ୍ଧା ପୁରୁଣା ବସଷ୍ଟାଣ୍ଡସ୍ଥିତ ମେଲଣ ପଡିଆରୁ ୨୨ଟି ମେଢ ମଧ୍ୟରୁ ନୂଆ ବସଷ୍ଟାଣ୍ଡସ୍ଥିତ ବିଷର୍ଜ୍ଜନ ଘାଟରେ ମାତ୍ର ୮ଟି ମେଢ ପହଞ୍ଚିପାରିଛି । ସେହିଭଳି ପୁରୁଣା ବସଷ୍ଟାଣ୍ଡସ୍ଥିତ ମେଲଣ ପଡିଆରୁ ସାନ୍ତସାହି ପାଶ୍ୱର୍ସ୍ଥ ବିଷର୍ଜ୍ଜନ ଘାଟରେ ୨୬ଟି ମେଢ ମଧ୍ୟରୁ ମାତ୍ର ୧୦ଟି ମେଢ ପହଞ୍ଚିପାରିଛି । ଆଜି ରାତି ସୁଦ୍ଧା ସମସ୍ତ ମେଢ ଗୁଡିକ ମେଲଣ ପଡିଆରୁ ବାହାରି ବିଷର୍ଜ୍ଜନ ଘାଟରେ ପହଞ୍ଚିବାର ସମ୍ଭାବନା ବହୁତ କମ୍ । ଚଳିତ ବର୍ଷ ପ୍ରଶାସନ ଓ ପୋଲିସ ପକ୍ଷରୁ ୨ଦିନ ଭିତରେ ମେଲଣ ଓ ଭଷାଣୀ ଉତ୍ସବ ଶେଷ କରିବାକୁ ନିଆଯାଇଥିବା ନିଷ୍ପତ୍ତି କେତେଦୁର କାର୍ଯ୍ୟକାରୀ ହେଉଛି ତାହା ଦେଖିବାକୁ ବାକି ରହିଲା ।

 ଗଜଲକ୍ଷ୍ମୀ ଭଷାଣୀ ଉତ୍ସବରେ ଡିଜେ ଭାଇବ୍ରେଟରରେ ସାରା ସହର ପ୍ରକମ୍ପିତ ହୋଇଉଠୁଛି । ଜିଲ୍ଲା ପ୍ରଶାସନ ଓ ପୋଲିସର ସମସ୍ତ ବାରଣ ସତ୍ୱେ ପ୍ରାୟ ପ୍ରତ୍ୟେକ ପୂଜା କମିଟିର ମେଢ ସହିତ ଡିଜେ ଭାଇବ୍ରେଟର ଏଭଳି ବାଜୁଛି ଯେ ବୟଷ୍କ ଓ ହୃଦରୋଗୀମାନଙ୍କ ଜୀବନ ପ୍ରତି ଏହା ବିପଦକୁ ଟାଣି ଆଣୁଛି । ପୋଲିସ ଓ ପ୍ରଶାସନ ସବୁ ଦେଖି କିଛି ନଦେଖିବା ଭଳି ନୀରବ ଦ୍ରଷ୍ଟା ସାଜିଛି । କାଲି ରାତିରେ ବାଜା ବଜାଉଥିବା ବେଳେ ଜଣେ ଢୋଲ ବାଦକ ହଠାତ ଟଳି ପଡିଥିଲେ । ତାଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଗତ କିଛି ବର୍ଷ ଧରି ଗଜଲକ୍ଷ୍ମୀ ମେଲଣ ଓ ଭଷାଣୀ ଉତ୍ସବରେ ଡିଜେ କୁ ବ୍ୟାନ କରାଯିବା ପାଇଁ ସାଧାରଣରେ ପ୍ରବଳ ଦାବି ହୋଇ ଆସୁଥିଲେ ମଧ୍ୟ ପ୍ରଶାସନ ଓ ପୋଲିସ ପକ୍ଷରୁ କୈାଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ ।

କେନ୍ଦ୍ରାପଡା ସହର ଆଖପାଖ ଅଞ୍ଚଳରୁ ଆଜି ହଜାର ହଜାର ସଂଖ୍ୟାରେ ଲୋକମାନେ ଏହି ଭଷାଣୀ ଉତ୍ସବ ଦେଖିବାକୁ ଆସି ସହରରେ ପ୍ରବଳ ଭିଡ ଜମାଇଥିବା ଦେଖିବାକୁ ମିଳିଛି । ଜିଲ୍ଲା ପ୍ରଶାସନର କୈାଣସି ଜଣେବି ଅଧିକାରୀ କିମ୍ବା ମାଜିଷ୍ଟେଟ ଦାୟିତ୍ୱରେ ଥିବା ଜଣେବି ସରକାରୀ ଅଧିକାରୀଙ୍କୁ ମେଲଣ ପଡିଆ କିମ୍ବା ଉବ୍ୟ ପାଶ୍ୱର୍କୁ ଯାଉଥିବା ମେଢ ସହିତ ଅଥବା ବିଷର୍ଜ୍ଜନ ଘାଟରେ ଦେଖିବାକୁ ମିଳିନଥିଲା । ଅପରାହ୍ନ ୨ଟାରୁ ସାଢେ ୫ଟା ପର୍ଯ୍ୟନ୍ତ ପୁରୁଣା ବସଷ୍ଟାଣ୍ଡସ୍ଥିତ ପୋଲିସ କଂଟ୍ରୋଲରୁମରେ ଜଣେବି ଅଧିକାରୀ ଉପସ୍ଥିତ ନଥିବାର ଦେଖାଯାଇଥିଲା । କେତେକ ମେଢର ସଦସ୍ୟମାନେ ସେଠାରେ ପହଞ୍ଚି କୈାଣସି ପ୍ରଶାସନିକ ବା ପୋଲିସ ଅଧିକାରୀଙ୍କୁ ନପାଇ ଉପସ୍ଥିତ ଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ଉପରେ ସେମାନଙ୍କର ରୋଷ ସାରିବା ଦେଖିବାକୁ ମିଳିଥିଲା ।

ଆରକ୍ଷୀ ଅଧିକ୍ଷକ ସମ୍ବିତ ସମ୍ପଦ ମଡ଼କରଙ୍କ ନେତୃତ୍ୱରେ ୩ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ସମେତ କେନ୍ଦ୍ରାପଡା ଏସଡିପିଓ ଦେବେନ୍ଦ୍ର ମଲ୍ଲିକ, ଡିଏସପି ଜ୍ୟୋତିରଞ୍ଜନ ସାମନ୍ତରାୟ ପ୍ରମୁଖ ଗଜଲକ୍ଷ୍ମୀ ଭଷାଣୀ ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହିତ ସମାପନ କରିବାକୁ କାର୍ଯ୍ୟରତ ଥିବା ଦେଖାଯାଇଛି । ଭଷାଣୀ ନିମନ୍ତେ ୩ଜଣ ଏଏସପି, ୧୨ଜଣ ଡିଏସପି, ୧୮ଜଣ ଇନିସପେକ୍ଟର, ୨୦ଜଣ ସବଇନିସପେକ୍ଟର, ୫୪ଜଣ ସହକାରୀ ସବଇନିସପେକ୍ଟରଙ୍କ ସମେତ ୨୩ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ ହୋଇଥିବା ସୂଚନା ଦିଆଯାଇଛି ।


Discover more from

Subscribe now to keep reading and get access to the full archive.

Continue reading