
କେନ୍ଦ୍ରାପଡ଼ା ଜିଲ୍ଲାକୁ ମରୁଡି ଘୋଷଣା କରିବା ପାଇଁ ଓଡିଶା କୃଷକସଭା କେନ୍ଦ୍ରାପଡ଼ା ଜିଲ୍ଲା ଶାଖା ପକ୍ଷରୁ ଦାବୀ କରାଯାଇଛି । ଏ ସମ୍ପର୍କରେ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ପାଇଁ ଜିଲ୍ଲା କମିଟି ବୈଠକ ପଟ୍ଟାମୁଣ୍ଡାଇ ବ୍ଲକ ସାନଜରିଆ ପଂଚାୟତ ବୋଧଗାଁ ଠାରେ ଅନୁଷ୍ଠିତ ହୋଇଯାଇଛି । କୃଷକ ସଭା ଜିଲ୍ଲା ସଭାପତି ଗୟାଧର ଧଳଙ୍କ ପୌରହିତ୍ୟରେ ଆୟୋଜିତ ଜିଲ୍ଲା କମିଟି ବୈଠକରେ ସମ୍ପାଦକ ବିଜୟ ଦାସ, କାଳି ପ୍ରସାଦ ନାୟକ, ନରୋତମ ପାର୍ଥସାରଥୀ, ରମେଶ ପ୍ରଧାନ, ଦାମୋଦର ଧଳ, ସହଦେବ ଦାସ, ବିବେକାନନ୍ଦ ବେହେରା, ଗୁଣମଣି ବେହେରା, ଗଙ୍ଗାଧର ମଲିକ, ସୋମନାଥ ବିଶ୍ୱାଳ, ଭୀମସେନ ବେହେରା, ପ୍ରତାପ ନାୟକ, ଲଷ୍ମଣ ପ୍ରଧାନ ଓ ଅକ୍ଷୟ ବାରିକ ପ୍ରମୁଖ ଭାଷଣ ଦେଇ କେନ୍ଦ୍ରାପଡ଼ା ଜିଲ୍ଲାକୁ ମରୁଡି ଘୋଷଣା କରିବା ସହିତ ସମସ୍ତ କେନାଲକୁ ପର୍ଯ୍ୟାପ୍ତ ପାଣି ଯୋଗାଇବା, କୃଷି ଋଣ ଛାଡ଼ ସହ ଅଧା ଦାମରେ ପମ୍ପ ସେଟ ଯୋଗାଇବା ଆଦି ଦାବୀ ସରକାରଙ୍କ ନିକଟରେ କରାଯାଇଛି । ସମସ୍ତ କେନାଲ ଓ ଶାଖା କେନାଲରେ ଦଳ ଭର୍ତି ହୋଇ କେନାଲକୁ ପାଣି ଆସୁନଥିବା ବେଳେ ବର୍ଷ ବର୍ଷ ଧରି ଆଦାୟ କରାଯାଉଥିବା ଜଳକର ଛାଡ଼ କରିବା ପାଇଁ ମଧ୍ୟ କୃଷକ ସଭା ଦାବୀ କରିଛି । ଉପରୋକ୍ତ ସମସ୍ତ ଦାବୀ ହାସଲ ପାଇଁ ଓଡିଶା କୃଷକ ସଭା ପକ୍ଷରୁ ଆସନ୍ତା ତାରିଖ ୧୫ ରେ ବିକ୍ଷୋଭ ଓ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରାଯିବା ପାଇଁ ନିଷ୍ପତି ନିଆଯାଇଛି । ସଂଯୁକ୍ତ କିଷାନ ମୋର୍ଚା ପକ୍ଷରୁ ୧୮ ଦଫା ଦାବୀ ନେଇ ଚଳିତ ମାସ ୨୬,୨୭,୨୮ ୩ଦିନ ଧରି ଭୁବନେଶ୍ୱର ରାଜଭବନ ସମ୍ମୁଖରେ ସାରା ରାଜ୍ୟରୁ ହଜାର ହଜାର ଚାଷୀ ଅହୋରାତ୍ର ଧାରଣା ଦେବା ପାଇଁ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଇଛି । ଏହି ଧାରଣା କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲାରୁ ଅନ୍ୟୁନ ୫୦୦ ଚାଷୀ ଯୋଗ ଦେବା ପାଇଁ ବୈଠକରେ ଅନୁରୋଧ କରାଯାଇଥିଲା ।











