କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଂଚଳରେ ରବିବାର ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହକୁ ଉଦ୍ଧାର ହୋଇଛି । ମୃତ ଯୁବକ ହେଲେ ଆଳି ବ୍ଲକ ନାଟରା ଗ୍ରାମର ପ୍ରଦିପ ସୁତାର (୩୯) ବୋଲି ଜଣାପଡ଼ିଛି ।
ସୂଚନାନୁସାରେ, ଆଳି ବ୍ଲକ ନାଟରା ଗାଁର ପ୍ରଦିପ ପଟ୍ଟାମୁଣ୍ଡାଇ ପୌରପରିଷଦ ଅନ୍ତର୍ଗତ ପୋଖରିଆପଡା ଗ୍ରାମରେ ଦୀର୍ଘ ବର୍ଷ ଧରି ଭଡ଼ାଘରେ ରହି କାଠକାମ କରି ନିଜର ପରିବାର ଚଳାଇ ଆସୁଥିଲେ । ଶନିବାର ବିଳମ୍ବିତ ରାତିରେ ପ୍ରଦୀପ ରହୁଥିବା ଭଡାଘର ବାଡି ଆମ୍ବ ଗଛରେ ଏକ ଗାମୁଛା ସାହାଯ୍ୟରେ ବେକରେ ବାନ୍ଧି ମୃତ୍ୟୁ ହୋଇଥିବା ଜଣାପଡିଛି । ଆଜି ସକାଳୁ ସ୍ଥାନୀୟ ଲୋକ ଦେଖି ପୋଲିସକୁ ଖବର ଦେଇଥିଲେ । ପଟ୍ଟାମୁଣ୍ଡାଇ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଆଳି ମେଡିକାଲକୁ ପଠାଇଥିଲେ । ଏ ନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବା ସହ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ପ୍ରଦିପଙ୍କ ମୃତ୍ୟୁ ସମ୍ପର୍କରେ ଜଣାପଡ଼ିବ ବୋଲି ଥାନା ଅଧିକାରୀ ରଞିତ ମହାନ୍ତି ସୂଚନା ଦେଇଛନ୍ତି । ଅନ୍ୟପଟେ ପ୍ରଦୀପଙ୍କ ଦେହରେ ସାମାନ୍ୟ କ୍ଷତ ଥିବାରୁ ଏହା ହତ୍ୟା ହୋଇଥାଇ ପାରେ ବୋଲି ପରିବାର ପକ୍ଷରୁ ସନ୍ଦେହ କରାଯାଉଛି । ତେବେ ଏହା ହତ୍ୟା ନାଁ ଆତ୍ମହତ୍ୟା ପୋଲିସ ସଠିକ ମାର୍ଗରେ ତଦନ୍ତ କଲେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।