ପଲ୍ଲିଶ୍ରୀ ମେଳା, କୃଷି ଯନ୍ତ୍ରପାତି ମେଳା ଏବଂ ‘ନୂଆ ଓ’ ଫେଷ୍ଟ ପାଇଁ ପ୍ରସ୍ତୁତି ବୈଠକ


କେନ୍ଦ୍ରାପଡ଼ା,୦୫/୧୨: ରାଜ୍ୟସ୍ତରୀୟ ପଲ୍ଲିଶ୍ରୀ ମେଳା, ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଏବଂ ‘ନୂଆ ଓ’ ଫେଷ୍ଟିଭାଲ ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଓସ୍‌ୱାନ୍ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିଲୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ଡିସେମ୍ବର ମାସ ୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳପଡ଼ିଆରେ ଏକକାଳୀନ ପଲ୍ଲିଶ୍ରୀ ମେଳା ଓ କୃଷି ଯନ୍ତ୍ରପାତି ମେଳା ଅନୁଷ୍ଠିତ ହେବ । ପ୍ରାୟ ୨୦୦ଟି ଷ୍ଟଲ୍ କରିବା ପାଇଁ ବୈଠକରେ ନିଷ୍ପତି ହୋଇଛି । ପଲ୍ଲିଶ୍ରୀ ମେଳା ପାଇଁ ଓରମାସ୍ ପକ୍ଷରୁ ୧୫୦ଟି ଷ୍ଟଲ୍ ହେବାକୁ ଥିବା ବେଳେ ଜିଲ୍ଲା କୃଷି ବିଭାଗ ପକ୍ଷରୁ କୃଷି ଯନ୍ତ୍ରପାତି ମେଳା ପାଇଁ ୫୦ଟି ଷ୍ଟଲ୍ ନିର୍ମାଣ କରିବା ପାଇଁ ସ୍ଥିର ହୋଇଛି । ସମସ୍ତ ଜିଲ୍ଲାରୁ ସ୍ୱୟଂ ସହାୟକ ଗୋଷ୍ଠୀ ନିଜର ସ୍ୱ-ଉତ୍ପାଦିତ ଦ୍ରବ୍ୟ ଆଣିବାକୁ ଯୋଜନା ରହିଥିବା ବେଳେ ରାଜ୍ୟ ବାହାରୁ ପ୍ରତିନିଧିତ୍ୱ କରିବେ ୧୫ରୁ ଅଧିକ ଦଳ । ଏହା ସହ ଜିଲ୍ଲାର ମିଶନ ଶକ୍ତି, କୃଷି ବିଭାଗ, ମତ୍ସ୍ୟ ବିଭାଗ, ନାବାର୍ଡ଼, ପଶୁ ସମ୍ପଦ ବିଭାଗ, ସମାଜ ମଙ୍ଗଳ, ସ୍ୱାସ୍ଥ୍ୟ, ସମଗ୍ର ଶିକ୍ଷା, ହସ୍ତଶିଳ୍ପ, ଉଦ୍ୟାନ କୃଷି ଆଦି ବିଭିନ୍ନ ବିଭାଗ ଏଥିରେ ଅଂଶଗ୍ରହଣ କରିବେ । ପ୍ରତ୍ୟେକ ଦିନ ସଂଧ୍ୟାରେ ଅନୁଷ୍ଠିତ ହେବ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ । ଏଥିରେ ସ୍ଥାନୀୟ କଳାକାରଙ୍କ ସହ ରାଜ୍ୟ ତଥା ରାଜ୍ୟ ବାହାରର ସ୍ୱନାମଧନ୍ୟ କଳାକାରମାନେ ସଙ୍ଗୀତ ଓ ନୃତ୍ୟ ମାଧ୍ୟମରେ ଦର୍ଶକମାନଙ୍କୁ ବିମୋହିତ କରିବେ । ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀକୁ ଜୀବିକା ମିଳିବା ସହ ଆର୍ଥନୀତିକ ସମୃଦ୍ଧି ଘଟିବ । ସେହପରି କୃଷି ଯନ୍ତ୍ରପାତି ମେଳାରୁ ସ୍ଥାନୀୟ କୃଷକମାନେ ନାନା ଉପଯୋଗୀ ତଥ୍ୟ ପାଇପାରିବେ । ୨୦୨୪ ଜାନୁଆରୀ ୨୪ ତାରିଖରେ ‘ନୂଆ ଓ’ ଫେଷ୍ଟ ଆୟୋଜନ ପାଇଁ ତାରିଖ ଚୂଡ଼ାନ୍ତ ହୋଇଛି । ଏଥିରେ ଯୋଗଦାନ ଦେବେ ଜିଲ୍ଲାର ୧୦ହଜାର ଯୁବଶକ୍ତି । ସମାଗମ ପାଇଁ ବାରୋ ନିକଟସ୍ଥ ପଡ଼ିଆକୁ ପ୍ରାଥମିକ ସ୍ତରରେ ଚୟନ କରାଯାଇଛି । କ୍ରୀଡ଼ା କ୍ଷେତ୍ରରେ ଫୁଟ୍‌ବଲ୍‌, ଭଲିବଲ୍‌, ଖୋ-ଖୋ, କବାଡ଼ି ଓ କ୍ରିକେଟ (ଟେନିସ୍ ବଲ୍‌) ଖେଳରେ ବ୍ଲକ୍ ସ୍ତରୀୟ, ମୁନିସିପାଲିଟିସ୍ତରୀୟ, ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହେବ । ସେହିପରି ସାଂସ୍କୃତିକ ପ୍ରତିଯୋଗିତାରେ ସାମିଲ୍ ଅଛି ଦଳଗତ ନୃତ୍ୟ, ସଙ୍ଗୀତ, ମନୋଆକ୍ଟିଙ୍ଗ୍‌, ଷ୍ଟାଣ୍ଡ-ଅପ୍ କମେଡ଼ି, ଡ୍ରଇଁ, କୁଇଜ୍ । ଜିଲ୍ଲାସ୍ତରରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା କୃତୀ ପ୍ରତିଯୋଗୀମାନେ ୨୪ ତାରିଖରେ ଆୟୋଜନ ହେବାକୁ ଥିବା ‘ନୂଆ ଓ’ ଫେଷ୍ଟରେ ସେମାନଙ୍କର ପ୍ରତିଭା ପ୍ରଦର୍ଶନ ପାଇଁ ସୁଯୋଗ ପାଇବେ । ବ୍ଲକ୍ ଓ ଜିଲ୍ଲାସ୍ତରୀୟ କୃତୀ ପ୍ରତିଯୋଗୀଙ୍କୁ ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ କରି ପୁରସ୍କୃତ କରାଯିବ । ସୂଚନାଯୋଗ୍ୟ, ଯୁବପୀଢ଼ିଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ଓ ସଶକ୍ତିକରଣ ପାଇଁ ରାଜ୍ୟ ସରକାର ଏଇ ନିକଟରେ ଆଣିଛନ୍ତି ‘ନୂଆ ଓ’ କାର୍ଯ୍ୟକ୍ରମ । ଏଥିରେ ବିଭିନ୍ନ ପ୍ରକାରର ସାମାଜିକ, ସାଂସ୍କୃତିକ ଓ କ୍ରୀଡ଼ା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।

ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ପୀତାମ୍ବର ସାମଲ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡା, ଉପଜିଲ୍ଲାପାଳ ରବିନ୍ଦ୍ର କୁମାର ପ୍ରଧାନ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଡକ୍ଟର ମନୋଜ କୁମାର ଚାନ୍ଦ, ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀ ଶ୍ରୀନିବାସ ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତୋଷ କୁମାର ସାହୁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଘନଶ୍ୟାମ ସା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଆଲୋକ କୁମାର ମହାନ୍ତି, ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଅଶୋକ ବଳିଆରସିଂହ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଲୋକନାଥ ପାଣିଗ୍ରାହୀ, ଓର୍‌ମାସ୍‌ର ଉପମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ନୀରୋଦ କୁମାର ଜେନା, ମିଶନ୍ ଶକ୍ତିର ଜିଲ୍ଲା ପ୍ରକଳ୍ପ ସଂଯୋଜକ କୈଳାଶ ଚନ୍ଦ୍ର ସେନାପତି, ଏପିଡି ଅବଦୁଲ୍ ରେହମାନ୍ ପ୍ରମୂଖ ଉପସ୍ଥିତ ଥିଲେ ।


Discover more from

Subscribe now to keep reading and get access to the full archive.

Continue reading