
ବାତ୍ୟା ମିଗ୍ଜୋମ୍ ସ୍ଥଳଭାଗ ଛୁଇଁବା ପରେ ଦୁର୍ବଳ ହେବା ସହ କେନ୍ଦ୍ରୀୟ ଆନ୍ଧ୍ର ଉପକୂଳରେ ଗଭୀର ଅବପାତରେ ପରିଣତ ହୋଇଛି । ତେବେ ବାତ୍ୟା ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଥିବା ବେଳେ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ମଧ୍ୟ ସକାଳୁ ସକାଳୁ ଝିପିଝିପି ବର୍ଷା ଲାଗି ରହିଛି । ଫଳରେ ଅଧିକ ବର୍ଷା ସମ୍ଭାବନାକୁ ନେଇ ଚାଷୀ ଅମଳ ହେବାକୁ ଥିବା ଧାନ ନା ଘରକୁ ନେଇପାରୁଛି ନା ବିଲରେ ଛାଡ଼ିପାରୁଛି । ଅଦିନିଆ ବର୍ଷା ସାଙ୍ଗକୁ କୋହଲା ପାଗ ଚାଷୀଙ୍କ ପାଇଁ ବୋଝ ଉପରେ ଲଳିତା ବିଡ଼ା ସଦୃଶ୍ୟ ପଲଟିଛି । ଏହି ଅଦିନିଆ ବର୍ଷା ଚାଷୀଙ୍କ ଆହାର ଛଡେଇ ନେବାକୁ ବସିଛି ବୋଲି ଚାଷୀମାନେ ଆଶଂଙ୍କା ପ୍ରକାଶ କରିଛନ୍ତି ।

ଚାଷୀ ବିଜୟ ଦାସ କୁହନ୍ତି ଶୀତଦିନେ ଘଟୁଛି ବିପରୀତ ଘଟଣା । ବର୍ଷାରେ ମରୁଡ଼ି, ଶୀତରେ ବର୍ଷା ଚାଷୀର ମେରୁଦଣ୍ଡକୁ ସମ୍ପୁର୍ଣ୍ଣ ଭାଙ୍ଗି ଦେଇଛି । ଏପରି ଅସ୍ୱାଭାବିକ ପାଗ ପରିବର୍ତନ ଚାଷ ପାଇଁ ସବୁ ଓଲଟ ପାଲଟ କରିଦେଇଥିବାରୁ ଯେଉଁ ସମୟରେ ଯାହା ନହେବା କଥା ତାହା ହେଉଛି । ଅମଳ ସମୟରେ ଅଦିନିଆ ବର୍ଷା ଚାଷୀକୂଳକୁ ଏବେ ଦାଉ ସାଧିବାରେ ଲାଗିଛି । ବିଲରେ ପାଚିଲା ଧାନ କଟା ହୋଇ ପଡ଼ି ରହିଛି । କେତେ ବିଡ଼ା ବନ୍ଧା ହୋଇଛି, । ବାକି କଟା ନହୋଇ ଜମିରେ ରହିଛି । ଧାନ ଥୋଡ ଧରିବା ବେଳେ ବିଲରେ ଚକଡ଼ା ଚଡକ ପଡିଥିଲା । ଆଉ ଏବେ ଅମଳ ବେଳକୁ ଅଦିନିଆ ବର୍ଷା ସାଙ୍ଗକୁ କୋହଲା ପାଗ ଚାଷୀଙ୍କ ପାଇଁ କାଳ ହୋଇଛି ।

ଚାଷୀ ଭାସ୍କର ରାଉତରାୟ କୁହନ୍ତି ଅମଳ ବେଳେ ଧାନ ଓଦା ହୋଇଯିବାରୁ ଧାନର ଏଫଏକ୍ୟୁ ମାନ କମି ଯିବାର ଆଶଙ୍କା ରହିଛି । ଅମଳ ବେଳେ ଧାନ ଓଦା ହୋଇଯିବାରୁ ଧାନର ମାନ କମି ଯିବାର ଆଶଙ୍କା ରହିଛି । ଭିଜି ଯାଇଥିବା ଧାନକୁ ଚାଷୀ କୁଆଡେ ନେବେ, ଓଦା ଧାନ ଘରେ ସାଇତି ରଖି ହେବ ନାହିଁ । ମଣ୍ଡିରେ ଖୋଲି ନଥିବାରୁ ବିକ୍ରି କରି ହେବ ନାହିଁ । ଏମିତି ଆଶା ଆଶଙ୍କାରେ ଥିବା ଚାଷୀ ଏବେ ଜମିରେ ପଡ଼ିଥିବା ଧାନକୁ ସାଉଁଟୁଛି ।

ସୁୁରେନ୍ଦ୍ର ପରିଡା କୁହନ୍ତି ଚଳିତ ଖରିଫ ଋତୁରେ ପଟ୍ଟାମୁଣ୍ଡାଇ ଅଂଚଳରେ ପ୍ରାୟ ୧୨ ହଜାର ହେକ୍ଟର ଜମିରେ ଧାନ ଚାଷ ହୋଇଛି । ତେବେ ଚକଡ଼ା ପୋକ ହେଉ କି ଅଦିନିଆ ବର୍ଷା, ନିଜର ଅମଳକୁ ନେଇ ସନ୍ତୁଳି ହେଉଛି ଚାଷୀ । ବର୍ଷା ଯୋଗୁଁ ଧାନ କ୍ଷେତରେ ପାଣିଲାଗି ଧାନ ପଚିଯିବ ନଚେତ ଧାନ ଗଜା ହେବା ଆଶଙ୍କା ସୃଷ୍ଟି କରିଛି । ଫଳରେ ଧାନ ଚାଷ କରିଥିବା ଚାଷୀ ବର୍ତମାନ କିଭଳି ଧାନ ବିକ୍ରି କରି ଋଣ ସୁଝିବ ସେନେଇ ଚିନ୍ତାରେ ପଡ଼ିଯାଇଛନ୍ତି ।
କୁଞବିହାରୀ ନାୟକ କୁହନ୍ତି ଗତକାଲି ରାତିରୁ ସାମୁଦ୍ରିକ ବାତ୍ୟା ମିଗଜୋମ ପ୍ରଭାବରେ କେନ୍ଦ୍ରାପଡା ଜିଲ୍ଲାରେ ଝିପିଝିପି ବର୍ଷା ଆରମ୍ଭ ହୋଇଛି । ବର୍ଷାର ପରିମାଣ କମ ରହିଥିଲେ ମଧ୍ୟ ଲାଗି ରହିଥିବା ବର୍ଷା ଯୋଗୁଁ ବର୍ତମାନ ଅମଳକ୍ଷମ ହେଉଥିବା ଧାନଚାଷ ଉପରେ ଏହାର ସିଧାସଳଖ ଭାବରେ ପ୍ରଭାବ ପଡିଛି । ବିଭିନ୍ନ ସ୍ଥାନରେ ଧାନ ଜମିରୁ ଅମଳ ପାଇଁ ପେଟା ପଡ଼ିଛି । ଫଳରେ ବର୍ଷା ଯୋଗୁଁ ଧାନ କ୍ଷେତରେ ପାଣିଲାଗି ଧାନ ପଚିଯିବ ନଚେତ ଧାନ ଗଜା ହେବା ଆଶଙ୍କା ସୃଷ୍ଟି ହୋଇଛି । ଏନେଇ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଦାବି ହୋଇଛି । ବର୍ଷ ତମାମ ପରିର୍ଶମ କରି ଧାନ ଚାଷ କରିଥିଲା ଚାଷୀ । କିନ୍ତୁ ଏହି ଅଦିନିଆ ବର୍ଷା ଚାଷୀ ପରିର୍ଶ୍ରମକୁ ନଷ୍ଟ କରିଦେବ ବୋଲି ଚାଷୀ ମାନେ କହିଛନ୍ତି ।










