ଲୋକଙ୍କ କାମରେ ଲାଗୁନି ପୌର ପରିଷଦର ସର୍ବସାଧାରଣ ଗୋଷ୍ଠୀ ଶୌଚାଳୟ


  • ସର୍ବସାଧାରଣ ଶୌଚାଳୟର ବାହାରେ ତାଲା 
  • ଇକୋ ଟଏଲେଟ ନିର୍ମାଣ ପରେ ମଧ୍ୟ ତାଲା ଖୋଲା ହେଉନି
  • ପୌର ପରିଷଦର ସ୍ୱଛ ଭାରତ ମିଶନ ଫେଲ

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରପାଳିକାରେ ସ୍ୱଛ ଭାରତ ମିଶନ କିଭଳି ସଫଳ ହେବ ସେଥିପାଇଁ ସରକାରୀ ତହବିଲରୁ ଅର୍ଥ ବ୍ୟୟବରାଦ କରାଯାଇ ସର୍ବସାଧାରଣ ଶୌଚାଳୟ, ଗୋଷ୍ଠୀ ଶୌଚାଳୟ, ଇକୋ ଶୌଚାଳୟ ଆଦି ବହୁ ପ୍ରକଳ୍ପ ହାତକୁ ନିଆଯାଇଛି । ସେଥିମଧ୍ୟରୁ ସର୍ବସାଧାରଣ ଶୌଚାଳୟ, ଗୋଷ୍ଠୀ ଶୌଚାଳୟ ଉଦ୍‌ଘାଟନ ହୋଇ କାର୍ଯ୍ୟକ୍ଷମ ନ ହୋଇ ପଡିରହିଥିବା ବେଳେ ଇକୋ ଟଏଲେଟ ପ୍ରକଳ୍ପ ଅଧପନ୍ତରିଆ ହୋଇ ପଡ଼ିରହିଛି । ଫଳରେ ପଟ୍ଟାମୁଣ୍ଡାଇ ପୌରପାଳିକାରେ ସ୍ୱଛ ଭାରତ ମିଶନ ଫେଲ ହୋଇଥିବା ନେଇ ସାଧାରଣରେ ମତ ପ୍ରକାଶ ପାଇଛି ।
ସାମାଜିକକର୍ମୀ ଅନନ୍ତ ଦାଶ କୁହନ୍ତି ପୌରପାଳିକା ପକ୍ଷରୁ ସର୍ବସାଧାରଣଙ୍କ ବ୍ୟବହାର ନିମନ୍ତେ ସ୍ୱଛ ଭାରତ ଯୋଜନାରେ ୨୦ଟି ୱାର୍ଡ ରେ ୧୬ ଟି ସର୍ବସାଧାରଣ ଶୌଚାଳୟ ଓ ଗୋଷ୍ଠୀ ଶୌଚାଳୟ ନିର୍ମିାଣ କରାଯାଇଛି । ପ୍ରତ୍ୟକ ଶୌଚାଳୟ ପାଇଁ ୧୨ ରୁ ୧୬ ଲକ୍ଷ ଲେଖାଏଁ ପ୍ରାୟ ୨ କୋଟି ଟଙ୍କା ବ୍ୟୟ ଅଟଳଳ କରାଯାଇଛି ବୋଲି ପୌରପରିଷଦ ପକ୍ଷରୁ ସୁଚନା ଦିଆଯାଇଛି । ଗତ ସ୍ୱାୟତ ଶାସନ ଦିବସରେ ସ୍ଥାନୀୟ ବିଧାୟକ, ପୌରଅଧ୍ୟକ୍ଷ ସମେତ ଅନ୍ୟମାନେ ଏହି ଶୌଚାଳୟ ସବୁ ଉଦଘାଟନ କରିଥିଲେ । ମାତ୍ର ସେବେଠାରୁ ଶୌଚାଳୟ ଦିନଟିଏ ପାଇଁ ଲୋକଙ୍କ କାମରେ ଆସିପାରି ନଥିବା ବେଳେ ସ୍ଥାନୀୟ ଲୋକେ ବାଧ୍ୟ ହୋଇ ଖୋଲା ସ୍ଥାନକୁ ଶୌଚ ଯିବାକୁ ବାଧ୍ୟ ହେଉଛନ୍ତି । ଶୌଚାଳୟ ଉଦଘାଟନ ହେବା ଦିନରୁ କାର୍ଯ୍ୟକ୍ଷମ ହୋଇନପାରି ତାଲା ପକାଇଯାଇଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏଭଳିସ୍ଥିତିରେ ଶୌଚାଳୟ କିଭଳି ତୁରନ୍ତ କାର୍ଯ୍ୟକ୍ଷମ ହୋଇପାରିବ ସେ ଦିଗରେ ପୌର ପ୍ରଶାସନ ତ୍ୱରିତ୍ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ଦାବି ହୋଇଛି ।


ବୁଦ୍ଧିଜିବୀ ରବି ନାରାୟଣ ଭଟ୍ଟ କୁହନ୍ତି କେନ୍ଦ୍ରାପଡ଼ା ଜିଲାର ଦ୍ୱିତୀୟ ବୃହତମ ସହର ହେଉଛି ପଟ୍ଟାମୁଣ୍ଡାଇ । ପ୍ରତିଦିନ ଏହି ସହରକୁ ବେପାର ବଣିଜ ପାଇଁ ଆଖପାଖ ୫ଟି ବ୍ଲକର ଲୋକେ ନିର୍ଭର କରିଥାନ୍ତି । ଏଠାରେ ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟ ସହ ମା’ ଓ ଶିଶୁ ଶୌଧ , କୋଟ, କଚେରୀ ଥିବାରୁ ପ୍ରତ୍ୟେକ ଦିନ ଶହ ଶହ ଲୋକେ ଜରୁରୀ କାମରେ ଏଠାକୁ ଆସିଥାନ୍ତି । ଜନସାଧାରଣଙ୍କ ସୁବିଧା ଓ ସହରର ସ୍ୱଚ୍ଛତା ନିମନ୍ତେ ପଟ୍ଟାମୁଣ୍ଡାଇ ପୌର ପରିଷଦ ପକ୍ଷରୁ ବିଭିନ୍ନ ସ୍ଥାନରେ ୧ କୋଟି ୫୧ ଲକ୍ଷ ୨୦ ହଜାର ଟଙ୍କା ମଞ୍ଜୁର କରାଯାଇ, ଇକୋ-ଟଏଲେଟ ନିର୍ମାଣ କରାଯାଇଛି । ଏତେ ଟଙ୍କା ଖର୍ଚ୍ଚରେ ନିର୍ମିତ ଶୌଚାଳୟ କର୍ଯ୍ୟକ୍ଷମ ନହୋଇ ପଡିରହିଛି । ଫଳରେ ଦୂର ଦୂରାନ୍ତରୁ ଆସୁଥିବା ମହିଳା, ପୁରୁଷ ଛୋଟ ପିଲା ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଶିକ୍ଷାବିତ ପ୍ରେମାନନ୍ଦ ପଣ୍ଡା କୁହନ୍ତି ଶୌଚାଳୟ କାର୍ଯ୍ୟକ୍ଷମ କରିବା ପାଇଁ ଅନେକ ଦିନରୁ ସ୍ଥାନୀୟ ଲୋକେ ଦାବି କରି ଆସୁଥିଲେ ମଧ୍ୟ ଶୌଚାଳୟରେ ଆଜି ପର୍ଯ୍ୟନ୍ତ ଖୋଲା ହୋଇନାହିଁ ।ଫଳରେ ସ୍ଥାନୀୟ ଲୋକଙ୍କୁ କୌଣସି ସୁଫଳ ମିଳିପାରୁ ନାହିଁ । ଏଥିପାଇଁ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକାରୀ ହୋଇ ପାରୁନାହିଁ ଏବଂ ଲୋକମାନେ ଶୌଚାଳୟ ବଦଳରେ ମୁକ୍ତ ଆକାଶ ତଳେ ଶୌଚ ହେଉଛନ୍ତି ।ଏଥିପ୍ରତି ପୌର କର୍ତୃପକ୍ଷ ଦୃଷ୍ଟି ଦେଇ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ସ୍ଥାନୀୟ ବାସୀ ଏବଂ ବ୍ୟବସାୟୀମାନେ ଦାବି କରିଛନ୍ତି ।ଏ ବାବଦରେ ପୌର ନିର୍ବାହୀ ଅଧିକାରୀ ନାରାୟଣ ପ୍ରସାଦ ଗିରିଙ୍କୁ ଯୋଗାଯୋଗ କରିବାରୁ କମଦିନ ଭିତରେ ସର୍ବସାଧାରଣ ଓ ଗୋଷ୍ଠୀ ଶୌଚାଳୟ,କର୍ଯ୍ୟକ୍ଷମ ହୋଇଯିବ ।


Next Post

ସରକାରୀ ଆଇ ଟି ଆଇ ଛକରେ ବ୍ୟାଗ ଲୁଟ, ଥାନାରେ ଏତଲା

Sat Dec 9 , 2023
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳରେ ଲୁଟେରାଙ୍କ ଉପଦ୍ରବ ବଢିବାରେ ଲଗିଛି । ଶୁକ୍ରବାରି ଦିବା ୧.୪୦ ମିନିଟ ସମୟରେ ଲୁଟେରା ମାନେ ଟଙ୍କା ଲୁଟ ଆଶାରେ ବହୁ ଦରକାରୀ ସରକାରୀ କାଗଜପତ୍ର ଥିବା ଜନୈକ ମଦ୍ରାସାର ପ୍ରଧାନଶିକ୍ଷକଙ୍କ ବ୍ୟାଗ ଲୁଟ କରି ଫେରାର ହୋଇଯାଇଛନ୍ତି । ସମ୍ପୃକ୍ତ ପ୍ରଧାନଶିକ୍ଷକ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଥାନା ପୋଲିସ ଏକ ମୋକଦମା ରୁଜୁ କରି ବ୍ୟାଗ ଲୁଟ […]