ରାଜନଗର ଚିକିତ୍ସାଳୟରେ ଡାକ୍ତରଙ୍କୁ ଦୁର୍ବ୍ୟବହାର ଘଟଣା : ଜିଲ୍ଲା ଓମ୍‌ସା ପକ୍ଷରୁ ଆନ୍ଦୋଳନ ଚେତାବନୀ

ରାଜନଗର ଚିକିତ୍ସାଳୟରେ ଡାକ୍ତରଙ୍କୁ ଦୁର୍ବ୍ୟବହାର ଘଟଣା : ଜିଲ୍ଲା ଓମ୍‌ସା ପକ୍ଷରୁ ଆନ୍ଦୋଳନ ଚେତାବନୀ

କେନ୍ଦ୍ରାପଡା ୯/୧୨- କଥାରେ ଅଛି ଡାକ୍ତର ହେଉଛନ୍ତି ଭଗବାନ ସଦୃଶ । ସେମାନେ ସବୁବେଳେ ଦିନରାତି ପରିଶ୍ରମ କରି ଲୋକମାନଙ୍କର ରୋଗକୁ ଭଲ କରୁଛନ୍ତି । କିନ୍ତୁ ବେଳେବେଳେ ଡାକ୍ତରମାନେ କିଛି ଅସାମାଜିକ ଲୋକଙ୍କ ଆକ୍ରମଣର ଶିକାର ହେଉଛନ୍ତି । ଡାକ୍ତରଙ୍କ ସୁରକ୍ଷା ପ୍ରତି ସରକାର ଚିନ୍ତିତ ନୁହଁନ୍ତି । ଏହିଭଳି ଏକ ଘଟଣା କେନ୍ଦ୍ରାପଡାର ରାଜନଗର ଚିକିତ୍ସାଳୟରେ ଘଟିଯାଇଛି । ଯଦି ସୋମବାର ଭିତରେ ଡାକ୍ତରମାନଙ୍କ ଉପରେ ଆକ୍ରମଣ କରିଥିବା ଆସାମୀଙ୍କୁ ଗିରଫ ନ କରାଯାଏ ତେବେ ମଙ୍ଗଳବାରଠାରୁ ଜିଲ୍ଲାର ସମସ୍ତ କାର୍ଯ୍ୟରତ ଡାକ୍ତର ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଓମ୍‌ସା ମୁଖପାତ୍ର ଡା. କିଶୋର ଚନ୍ଦ୍ର ମିଶ୍ର ସୁଚନା ଦେଇଛନ୍ତି ।

ସୁଚନାନୁଯାଇ ଗତ ନଭେମ୍ବର ୨୯ତାରିଖ ରାତି ୧୧ଟା ପରେ ମରିଚାପଲ୍ଲୀ ଗ୍ରାମର ମୁନା ପାଲ୍ ଓ ତାଙ୍କର ସହଯୋଗୀମାନେ ରାଜନଗର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ଆଶୁତୋଷ ବାରିକଙ୍କ ସହିତ ଯୁକ୍ତିତର୍କ କରିଥିଲେ । ଏହାପରେ କାର୍ଯ୍ୟରତ କର୍ମଚାରୀମାନେ ସେଠାକୁ ଆସି ସେମାନଙ୍କୁ ବୁଝାସୁଝା କରିବା ସତ୍ତ୍ୱେ କିଛି ବୁଝିନଥିଲେ । ଓଲଟା କାର୍ଯ୍ୟରତ ଡାକ୍ତର ଓ କର୍ମଚାରୀଙ୍କ ସହିତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଠେଲାପେଲା କରିଥିଲେ । ଏହି ଘଟଣାର ସୁଚନା ପାଇ ଚିକିତ୍ସାଳୟର ଅଧିକାରୀ ଡାକ୍ତର ରଶ୍ମିରଞ୍ଜନ ମହାନ୍ତି ସଙ୍ଗେସଙ୍ଗେ ସେଠାକୁ ଆସି ଆସାମୀମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ଆସାମୀମାନେ ଓଲଟା ତାଙ୍କୁ ଠେଲାପେଲା କରି ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଏହି ଘଟଣାକୁ ନେଇ ରାଜନଗର ଥାନାରେ ଅଭିଯୋଗ କରିଥିଲେ । ଥାନା ଅଧିକାରୀ ଏହି ଅଭିଯୋଗ ରଖି ଏକ ମାମଲା ଋଜୁ କରିବା ଛଡା ଆସାମୀ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ ଚିକିତ୍ସାଳୟର ଡାକ୍ତର ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିଥିଲେ । ଓମସାର ଜିଲ୍ଲା ସଭାପତି, ସମ୍ପାଦକ ଓ ଅନ୍ୟ ଡାକ୍ତରମାନେ ଥାନା ଅଧିକାରୀଙ୍କ ଆଲୋଚନା କରିଥିଲେ । ଥାନା ଅଧିକାରୀ ସେମାନଙ୍କୁ କହିଥିଲେ ଯେ ଦୁଇଦିନ ଭିତରେ ଆସାମୀମାନଙ୍କୁ ଗିରଫ କରାଯିବ । ଏହାପରେ ମଧ୍ୟ ସ୍ଥାନୀୟ ବିଧାୟକ ଧ୍ରୁବ ସାହୁ ସେଠାକୁ ଆସି ସେମାନଙ୍କ ସହିତ ଆଲୋଚନା କରି ଦୁଇଦିନ ଭିତରେ ଆସାମୀମାନଙ୍କୁ ଗିରଫ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ଆସାମୀମାନେ ରାଜନଗର ଅଞ୍ଚଳରେ ଥିବା ସତ୍ତ୍ୱେ ପୋଲିସ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ଏହି ଘଟଣାକୁ ଜିଲ୍ଲା ଓମ୍‌ସା ଗୁରୁତର ସହ ବିଚାରକୁ ନେଇ ରାଜ୍ୟ ଓମ୍‌ସା ସହିତ ଆଲୋଚନା କରି କେନ୍ଦ୍ରାପଡା ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକଙ୍କୁ ଅବଗତ କରାଇଥିଲେ । ଆସନ୍ତା ସୋମବାର ମଧ୍ୟରେ ଆସାମୀମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନିଆଯାଏ ତେବେ ଜିଲ୍ଲା ଓମ୍‌ସାର କାର୍ଯ୍ୟରତ ଡାକ୍ତରମାନେ ମଙ୍ଗଳବାରଠାରୁ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିବେ ବୋଲି ଓମସାର ମୁଖପାତ୍ର ଡା. କିଶୋର ଚନ୍ଦ୍ର ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଓମସାର ସଭାପତି ସଞ୍ଜିବ କୁମାର ସେଠୀ, ସମ୍ପାଦକ ଡା. ନିରଞ୍ଜନ କର, ଡା. ଚିତ୍ତରଞ୍ଜନ ବେହେରା, ଡା. ବିରେନ୍ଦ୍ର ଦାସ, ପରାମର୍ଶଦାତା ଡା. ଅଶୋକ କୁମାର କର ପ୍ରମୁଖ ଉପସ୍ଥିତ ଥିଲେ ।