ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ



କେନ୍ଦ୍ରାପଡା, ୯/୧୨: ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆଜି ଜିଲ୍ଲା ସିଭିଲକୋର୍ଟ ପରିସରରେ ଜିଲ୍ଲା ଜଜ୍ ତଥା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ବିଶ୍ୱଜିତ୍ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ରାଷ୍ଟ୍ରୀୟ ଲୋକ ଅଦାଲତରେ ଫ୍ୟାମିଲି କୋର୍ଟ ଜଜ୍ ବିକାଶ ଚନ୍ଦ୍ର ଦେ, ଏ.ଡି.ଜେ ଅଜୟ କୁମାର ପ୍ରଧାନ, ଚିଫ୍ ଜୁଡିସିଆଲ ମାଜିଷ୍ଟ୍ରେଟ୍ ପୂଜା ଷଡଙ୍ଗୀ, ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ସୁମିତ୍ରା ସାହୁ, ସିନିଅର ସିଭିଲ୍ ଜଜ୍ ଅନ୍ନପୂର୍ଣ୍ଣା ନାୟକ ଓ ଆଲୋକମୟୀ ପ୍ରଧାନ, ଅତିରିକ୍ତ ସିନିଅର ସିଭିଲ ଜଜ୍ ସ୍ନିଗ୍ଧା ପଣ୍ଡା, ସିଭିଲ ଜଜ୍ କୁମାର ସ୍ପନ୍ଦନ, ଏସ୍‌.ଡି.ଜେ.ଏମ୍‌. ଲିପା ପୁଷ୍ପା ଖୁଣ୍ଟିଆ, ଏମ୍‌.ଏଫ୍‌.ସି. ଅମିତ କୁମାର ବେହେରା ପ୍ରମୁଖ ଯୋଗଦେଇ ପଞ୍ଜୀକୃତ ହୋଇଥିବା ୧୮୬୦ ରାଜସ୍ୱ ମାମଲା ମଧ୍ୟରୁ ୧୫୮୭ମାମଲାର ବିଚାର କରି ୨,୫୬,୩୭୫ଟଙ୍କା ଆଦାୟ କରିଛନ୍ତି । ସେହିଭଳି କଚେରୀରେ ଦାୟର ହୋଇନଥିବା ମାମଲା ବା ପ୍ରାକ୍ ମୋକଦ୍ଦମାସ୍ତରୀୟ ୩୮୭୨ ମାମଲା ମଧ୍ୟରୁ ୯୭୨ଟି ମାମଲା ଫଇସଲ କରାଯାଇ ୩,୪୫,୭୨,୪୦୫ ଟଙ୍କା ଅର୍ଥରାଶି ଆଦାୟ କରାଯାଇଛି । ସାଲିସ ଯୋଗ୍ୟ ଫୌଜଦାରୀ ମାମଲା, ଚେକ୍ ବାଉନ୍ସ ମାମଲା, ଟଙ୍କା ପୁନରୁଦ୍ଧାର ମାମଲା, ମୋଟର ଯାନ ଦୁର୍ଘଟଣା ଜନିତ କ୍ଷତିପୂରଣ ମାମଲା, ଶ୍ରମ ବିବାଦ, ବୈବାହିକ ବିବାଦ, ଜମି ଅଧିଗ୍ରହଣ, ଦେୱାନୀ ମୋକଦ୍ଦମା ଓ ଅନ୍ୟାନ୍ୟ ଫୌଜଦାରୀ ମାମଲା ଆଦି ୧୩୨୯ଟି ମାମଲା ମଧ୍ୟରୁ ୩୧୬ଟି ମାମଲା ଫଇସଲା କରାଯାଇ ମୋଟ୍ ୧,୯୨,୬୧,୭୦୮ ଟଙ୍କା ଆଦାୟ ହୋଇଛି । ସୂଚନାଯୋଗ୍ୟ ଯେ ଟଙ୍କା ପୁନରୁଦ୍ଧାର ୧୧୨ଟି ମାମଲାରୁ ୧୪ଟି ଫଇସଲା ହୋଇ ୬୦,୨୨,୭୦୮ ଟଙ୍କା ଓ ମୋଟର ଦୁର୍ଘଟଣାଜନିତ କ୍ଷତିପୂରଣ ୧୯ଟି ମାମଲା ମଧ୍ୟରୁ ୧୨ଟି ମାମଲା ଫଇସଲା କରାଯାଇ ୧,୩୨,୩୯,୦୦୦ ଟଙ୍କା ଆଦାୟ ହୋଇଛି । ପଟ୍ଟାମୁଣ୍ଡାଇ, ରାଜନଗର ଓ ଆଳି ସିିଭିଲ୍ କୋର୍ଟ ପରିସରରେ ବିଚାରପତିମାନେ ଯୋଗଦେଇ ପଞ୍ଜୀକୃତ ମାମଲାଗୁଡିକର ଫଇସଲା କରିଥିଲେ । ଜିଲ୍ଲା ସିଭିଲ୍ କୋର୍ଟ ପରିସରରେ ଆୟୋଜିତ ରାଷ୍ଟ୍ରୀୟ ଲୋକ ଅଦାଲତ ଆଇନସେବା ପ୍ରାଧିକରଣ ସଚିବ ସୁମିତ୍ରା ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା ।


Next Post

ଆୟକର ବିଭାଗ ସରକାରୀ ଗାଡି ଦୁର୍ଘଟଣା

Sun Dec 10 , 2023
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ବେଲତଳ ଛକ ଠାରେ ଆୟକର ବିଭାଗ ସରକାରୀ ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଛି । ରବିବାର ସଂନ୍ଧ୍ୟାରେ କୌଣସି ଏକ ସରକାରୀ କାମରେ ପଟ୍ଟାମୁଣ୍ଡାଇ ଆସି ଫେରୁଥିବା ବେଳେ ବେଲତଳ ନିକଟରେ ଜଣେ ବାଇକ ଚାଳକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ବାଇକ ଚାଳକ ଛିଟିକି ପଡିଥିବା ବେଳେ ତାଙ୍କ ମୁହଁରୁ ରକ୍ତ ବାହାରୁଥିବା ଦେଖିବାକୁ ମିଳଛି । ଅନ୍ୟ କେହି […]

KANIKA