ପୂଜକ ରଙ୍ଗାଧର ଦାଶ ମୃତ୍ୟୁ ଘଟଣା , ସ୍ତ୍ରୀର ପ୍ରେମିକକୁ ୪ ବର୍ଷ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନ

ପୂଜକ ରଙ୍ଗାଧର ଦାଶ ମୃତ୍ୟୁ ଘଟଣା , ସ୍ତ୍ରୀର ପ୍ରେମିକକୁ ୪ ବର୍ଷ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନ

କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଅଂଚଳର ଏକ ହତ୍ୟା ମାମଲାର ଶୁଣାଣି କରି ଗୁରୁବାର ପଟ୍ଟାମୁଣ୍ଡାଇ କୋଟ ସହକାରୀ ଦୌରାଜଜ  ସ୍ତ୍ରୀ ଓ ତା ପ୍ରେମିକକୁ ୪ ବର୍ଷ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି । ଅନାଦେୟ ଅଧିକ ୧ ମାସ ଜେଲଦଣ୍ଡ ହେବ ବୋଲି ଆଦେଶରେ ଉଲ୍ଲେଖ ଥିବା ଜଣାଯାଇଛି ।

କେନ୍ଦ୍ରାପଡ଼ା ଜିଲା ରାଜକନିକା ଥାନା ଭାମଣ୍ଡା ଗ୍ରାମର ନୃସିଂହନାଥ ମନ୍ଦିର ପୂଜକ ରଙ୍ଗାଧର ଦାଶ ସବୁଦିନ ପରି ଗତ ୨୦୨୨ ଅଗଷ୍ଟ ମାସ ୧୭ ତାରିଖରେ ଗାଁ ନୃସିଂହନାଥ ମନ୍ଦିରକୁ ପୂଜା କରିବାକୁ ଯାଇ ଆଉ ଫେରି ନ ଥିଲେ । ଏନେଇ ସ୍ତ୍ରୀ ରନତ୍ମଣି(୪୦)ଓ ରଙ୍ଗାଧରଙ୍କ ବଡ଼ଭାଇ ଗଙ୍ଗାଧର ରାଜକନିକା ଥାନାରେ ପୃଥକ୍ ପୃଥକ୍ ଏତଲା ଦେଇଥିଲେ । ରନତ୍ମଣିଙ୍କ ଏତଲାରେ ରଙ୍ଗାଧର କେଉଁଆଡ଼େ ଚାଲିଯାଇଥିବା ଉଲ୍ଲେଖ ଥିବା ବେଳେ, ଗଙ୍ଗାଧରଙ୍କ ଏତଲାରେ ଭାଇ ଓ ଭାଇବୋହୂଙ୍କ ମଧ୍ୟରେ କଳହ ଲାଗିଥିଲା । ଏହାକୁ କେନ୍ଦ୍ରକରି ଭାଇ କେଉଁଆଡ଼େ ଚାଲିଯାଇଥିବା କଥା ଉଲ୍ଲେଖ ଥିଲା । ଆହୁରି ମଧ୍ୟ ସେହି ଗ୍ରାମର ଅସିତ୍ ଶତପଥୀ (ବାଇନ)ଙ୍କ ସହିତ ଅନୈତିକ ସମ୍ପର୍କ ଥିବା କାରଣରୁ ଭାଇ ଓ ଭାଇବୋହୂଙ୍କ ମଧ୍ୟରେ ସବୁବେଳେ କଳହ ଲାଗିରହୁଥିବା ଉଲ୍ଲେଖ ଥିଲା । ରଙ୍ଗାଧରଙ୍କ ନିଖୋଜର ୫ ଦିନ ପରେ ଅର୍ଥାତ୍ ଅଗଷ୍ଟ ୨୧ ତାରିଖରେ ଗ୍ରାମ ନିକଟସ୍ଥ ଶିମିଳି ମାହାର ଯୋର ନିକଟରୁ ତାଙ୍କ କ୍ଷତାକ୍ତ ଗଳିତ ମୃତଦେହ ମିଳିଥିଲା । ସେହି ଦିନ ସ୍ୱାମୀର ଚିତା ଲିଭିନଥିବା ବେଳେ ଏପରି କି ସ୍ୱାମୀଙ୍କ ଅନ୍ତିମ ସଂସ୍କାର ପୂର୍ବରୁ ରତ୍ନମଣି ନିଜର ପିଲାମାନଙ୍କୁ ଛାଡ଼ି ପ୍ରେମିକଙ୍କ ହାତଧରି ଗାଁ ଛାଡ଼ି ଚାଲି ଯାଇଥିଲେ । ଏହାର ଭିଡିଓ ଭାଇରାଲ ହେବା ପରେ ଚର୍ଚ୍ଚାର ବିଷୟ ହୋଇଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ, ରତ୍ନମଣିଙ୍କ ପୁଅ, ଝିଅ ନିଜ ମା’ଙ୍କ ବିରୋଧରେ ମୁହଁ ଖୋଲିବାକୁ ପଛଘୁଂଚୃା ଦେଇ ନ ଥିଲେ । ସ୍ତ୍ରୀ ରତ୍ନମଣି ଓ ତାଙ୍କ ପ୍ରେମିକ ଅସିତଙ୍କ ସହ ମିଶି ହତ୍ୟା କରିଥିବା ନେଇ ମୃତଦେହ ମିଳିବାର ୬ ଦିନ ପରେ ରାଜକନିକା ଥାନା ପୋଲିସ ମୃତକଙ୍କ ସ୍ତ୍ରୀ ଓ ତାଙ୍କ ପ୍ରେମିକଙ୍କୁ ଗିରଫ କରି ମାମଲା ୨୯୨/୨୦୨୨ ରୁଜୁ କରି କୋର୍ଟ ଚାଲାଣ କରିଥିଲା । ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ବିଚାର ବିଭାଗ ହାଜତକୁ ପଠାଇ ଦିଆଯାଇଥିଲା । ଏହି ହତ୍ୟା ମାମଲାର ଶୁଣାଣି କରି ସହକାରୀ ଦୌରାଜଜ ସୁଶ୍ରୀ ସଂଗୀତା ମଲ୍ଲିକ ଅଭିଯୁକ୍ତ ଦ୍ୱୟଙ୍କୁ ୪ ବର୍ଷ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା କରିଥିବା ଜଣାଯାଇଛି । ଅର୍ଥ ଅନାଦେୟ ଅଧିକ ମାସେ ଜେଲଦଣ୍ଡ ପାଇଁ ଆଦେଶ ହୋଇଛି । ଏହି ମାମଲାକୁ ସହକାରୀ ପବ୍ଲିକ ପ୍ରସିକ୍ୟୁଟର ରବି ଦାଶ ପରିଚାଳନା କରିଥିଲେ ।