- ଟିଏମ୍ସି କେନ୍ଦ୍ରର ଜିନିଷ ସବୁ ଗାଏବ,
- କେରଳ ଫେରନ୍ତା ପାଇଁ ଚିନ୍ତା

ପୁଣି କରୋନା ମହାମାରୀ ସଂକ୍ରମଣ ଫେରିଛି । କରୋନାର ସବ୍ଭ୍ୟାରିଏଂଟ ଜେଏନ୍ ୧ କର୍ନାଟକ ଓ କେରଳରେ ଠାବ ହେବା ପରେ ଭୟ ବଢ଼ିଛି । ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି କେନ୍ଦ୍ରସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ସବୁ ରାଜ୍ୟର ବୈଠକ ବସିବ । କୋଭିଡ୍ ସ୍ଥିତିର ସମୀକ୍ଷା କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ । ଏହାକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ଯେଉଁ ନୂଆ ଭାରିଏଂଟ କଥା କୁହାଯାଉଛି ତାହା ନ୍ୟାଚୁରାଲ । ଥଣ୍ଡା, ଜ୍ୱର କାଶ ହେଲେ ଟେଷ୍ଟ କରି ନିଅନ୍ତୁ । ଗହଳି ସ୍ତାନରୁ ନିଜକୁ ଦୂରାଇ ରଖନ୍ତୁ ବୋଲି କହିଥିଲେ । କେରଳରେ କ୍ରମାଗତ ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି କେରଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାରୁ କେନ୍ଦ୍ରାପଡା ଜିଲ୍ଲାରେ ଭୟର ବାତାବରଣ ବଢିବାରେ ଲାଗିଛି ।
ବୁଦ୍ଧିଜିବୀ ପ୍ରବିର ନାୟକ କୁହନ୍ତି କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ-ରାଜନଗର ବ୍ଲକ ଅଂଚଳର ଲୋକମାନଙ୍କ ଉପସ୍ଥିତି କର୍ନାଟକ ଓ କେରଳରେ ଥିବାରୁ ଚିନ୍ତା ବଢିବାରେ ଲାଗିଛି । ଦୈନିକ କେରଳରୁ ବସ ଯୋଗେ ଲୋକେ ପଟ୍ଟାମୁଣ୍ଡାଇ ଅଂଚଳକୁ ଯିବା ଆସିବା କରୁଛନ୍ତି । କରୋନା ନୂଆ ଭାରିଆଂଟ ଯଦି ତା’ର କାୟା ବିସ୍ତାର କରେ ତାହାହେଲେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପକ୍ଷେ ମୁକାବିଲା କରିବା କଷ୍ଟସାଧ୍ୟ ହୋଇପଡିବ । କରୋନା କାଳରେ ପ୍ରତିଷ୍ଠା କରାଯାଇଥିବା ଟେମ୍ପରାରି ହେଲଥ ସେଂଟର(ଟିଏମସି) ସାମଗ୍ରୀ ଏବେ ଖତ ଖାଉଥିବା ବେଳେ ଅଧିକାଂଶ ମୂଲ୍ୟବାନ ସାମଗ୍ରୀ ଗାଏବ ହୋଇଯାଇଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।
ସାମାଜିକ କର୍ମୀ ପ୍ରଫୁଲ୍ଲ ଦାଶ କୁହନ୍ତି ମହାମାରୀ କୋଭିଡ୍ ମୁକାବିଲା ଲାଗି ପ୍ରତି ପଂଚାୟତରେ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର(ଟିଏମ୍ସି) ଖୋଲାଯାଇଥିଲା । ଖଟଠୁ ନେଇ ଗଦି, ବେଡସିଟ୍, ତକିଆ, ଫ୍ୟାନ୍, ଆକ୍ୱାଗାର୍ଡ, ବାଲ୍ଟି, ଟିଭି କିଣାଗଲା । ହେଲେ କୋଭିଡ୍ ପ୍ରକୋପ କମିବା ପରେ ଟିଏମ୍ସି ପାଇଁ ଯେଉଁ ସବୁ ଭିତିଭୂମି ସୃଷ୍ଟି କରାଯାଇଥିଲା, ସେଥିରୁ ଅଧାରୁ ଅଧିକ ଜିନିଷ ଏବେ ନାହିଁ । ବେଡସିଟ୍, ତକିଆ, ବାଲ୍ଟି, ମଗ ଇତ୍ୟାଦି ସମ୍ପୂର୍ଣ୍ଣ ଗାଏବ ହୋଇଯାଇଛି ବୋଲି ସାଧାରଣରେ ଅଭିଯୋଗ ହେଉଛି ।
ଆଇନଜବୀ ପ୍ରମୋଦ ସାହୁ, ସାମାଜିକ କର୍ମୀ କ୍ଷୀରୋଦ ମଲିକ, ମଳୟ ଦାସ କୁହଛନ୍ତି, ମହାମାରୀ କରୋନାର ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ୨୦୨୦ ମାର୍ଚ୍ଚ ୨୨ରେ ଜନତା କର୍ଫ୍ୟୁ ଘୋଷଣା କଲେ । ୨୦୨୦ ମାର୍ଚ୍ଛ ୨୫ରୁ କେନ୍ଦ୍ର ସରକାର ସମଗ୍ର ଦେଶରେ ଲକ୍ଡାଉନ ଘୋଷଣା କଲେ । କେନ୍ଦ୍ରାପଡ଼ା କରୋନା ସଂକ୍ରମଣ ପାଇଁ ଅତ୍ୟନ୍ତ ସମବେଦନଶୀଳ ଜିଲା ଭାବେ ଉଭା ହୋଇଥିଲା । କାରଣ ସମଗ୍ର ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ଜିଲାର ପଟ୍ଟାମୁଣ୍ଡାଇ ଲୋକମାନଙ୍କ ଉପସ୍ଥିତି ଥିବାରୁ କରୋନା କ୍ଷେତ୍ରରେ ଏହା ସ୍ପର୍ଶକାତର ଅଂଚଳ ଭାବେ ସରକାରୀସ୍ତରରେ ଚିହ୍ନଟ କରାଗଲା । ସମଗ୍ର ଦେଶରେ ଲକ୍ଡାଉନ ଥିବାରୁ ବିଭିନ୍ନ ଦେଶ ଓ ରାଜ୍ୟରୁ ପ୍ରବାସୀମାନଙ୍କ ଗୃହ ଆଗମନ ହୋଇଥିଲା । ପ୍ରବାସୀମାନଙ୍କ ଆଗମନରେ ସଂକ୍ରମିତ ବଢିବାକୁ ଲକ୍ଷ୍ୟ କରି ପ୍ରଶାସନିକ ତତ୍ପରତା ବଢ଼ିବା ସହ ସରକାରଙ୍କ ନିଷ୍ପତିକ୍ରମେ ଜିଲାର ପ୍ରତ୍ୟେକ ପଂଚାୟତ ଓ ପୌରାଂଚଳରେ ଏକାଧିକ ଟିଏମ୍ସି ଖୋଲାଯାଇଥିଲା । ଲକ୍ଷାଧିକ ଟଙ୍କା ବ୍ୟୟରେ ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ରକୁ ପ୍ରସ୍ତୁତ କରିବା ପାଇଁ ରଙ୍ଗ ଦେବାଠାରୁ ଆରମ୍ଭ କରି ଖଟିଆ, ଗଦି, ବେଡ୍ସିଟ୍, ତକିଆ, ବାଲଟି, ମଗ, ଆକ୍ୱାଗାର୍ଡ, ସାନିଟାଇଜର ପ୍ରଭୃତି ସବୁକିଛି ଆକ୍ରାନ୍ତମାନଙ୍କ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପତ୍ର ଠୁଳ କରାଗଲା । ପ୍ରବାସୀ ଓ ଆକ୍ରାନ୍ତମାନଙ୍କ ରହିବା, ଖାଇବାର ସମସ୍ତ ବନ୍ଦୋବସ୍ତ କରାଯାଇଥିଲା । ମାତ୍ର କରୋନା ଟ୍ରେଣ୍ଡ ଖସିବା ପରେ ଏବେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇ କିଣା ଯାଇଥିବା ସମସ୍ତ ଆସବାବପତ୍ର ଅଲୋଡ଼ା ହୋଇପଡ଼ିଛି ।
ମିଳିଥିବା ତଥ୍ୟ ମୁତାବକ, କରୋନା ସମୟରେ ଜିଲାର ଅନ୍ୟ ବ୍ଲକ ତୁଳନାରେ ପଟ୍ଟାମୁଣ୍ଡାଇ ବ୍ଲକକୁ ସର୍ବାଧିକ ୮,୪୭୯ ଜଣ ପ୍ରବାସୀ ଆସି ରହିଥିଲେ । ବ୍ଲକରେ ପ୍ରବାସୀମାନଙ୍କୁ ଦୃଷ୍ଟିରେ ରଖି ୧୬୬ଟି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲା ଯାଇଥିଲା । ସେଥିପାଇଁ ୬,୪୭୨ଟି ଖଟିଆ କିଣା ଯାଇଥିଲା । ଏସବୁ ଟିଏମ୍ସି ସ୍କୁଲ, କଲେଜ, ଅଙ୍ଗନୱାଡି କେନ୍ଦ୍ରଗୁଡିକରେ ହୋଇଥିଲେ । ମାତ୍ର କରୋନା ଟ୍ରେଣ୍ଡ ଖସିବା ପରେ ସମସ୍ତ ସାମଗ୍ରୀ ଯେମିତି ଅଦରକାରୀ ହୋଇପଡ଼ିଛି । ପୁଣି ଥରେ କେରଳରେ କରୋନା ବ୍ୟାପିବା ଓ କେରଳରୁ ଫେରୁଥିବା ପ୍ରବାସୀମାନଙ୍କୁ ପ୍ରଶାସନ କିପରି ମୁକାବିଲା କରିବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଟିଏମ୍ସି ଗୁଡିକୁ ପୁନର୍ବାର ପ୍ରସ୍ତୁତ କରା ନ ଗଲେ ବଡ଼ ସମସ୍ୟା ସୃଷ୍ଟି କରିବ ବୋଲି ଏବେଠୁ ଚର୍ଚ୍ଚା ହେଲାଣି । ତେଣୁ ଜିଲା ପ୍ରଶାସନ ତୁରନ୍ତ ଏ ଦିଗରେ ପଦକ୍ଷେପ ନେଉ ବୋଲି ସାଧାରଣରେ ଦାବି ହୋଇଛି । ଏ ବାବଦରେ ପଟ୍ଟାମୁଣ୍ଡାଇ ପୌରନିର୍ବାହୀ ଅଧିକାରୀ ଅଜିତ ନାରାୟଣ ଗିରି କୁହିଛନ୍ତି ଯେଉଁ ମାନେ କେରଳରୁ ବସ୍ ଯୋଗେ ଆସୁଛନ୍ତି ସେମାନଙ୍କର ମାଣ୍ଡାଟୋରି ଟେଷ୍ଟ କରାଯାଉ ବୋଲି ଆସନ୍ତାକାଲି ବୁଧବାର ଜିଲ୍ଲା ମେଡିକାଲ ଅଫିସର,ଓ ଜିଲ୍ଲାପାଳଙ୍କୁ ଚିଠି କରିବି ।










