
କେନ୍ଦ୍ରାପଡା ୬/୭: ମହାକାଳପଡ଼ା ବିକାଶ ମଞ୍ଚ ସୌଜନ୍ୟରେ ବିଶିଷ୍ଟ ଶିକ୍ଷାବିତ୍ ଦିବଂଗତ ପ୍ରଫୁଲ୍ଲ କୁମାର ରାଉତରାୟଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ଗୋପାଳପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମଞ୍ଚ ସଭାପତି ଶିକ୍ଷାବିତ୍ କାଶୀନାଥ ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଶିକ୍ଷାବିତ୍ କେଶବ ଚରଣ ପରମାଣିକ, ରତ୍ନାକର ରାଉତରାୟ, ଓଷ୍ଟା ରାଜ୍ୟ ସଂଘ ସମ୍ପାଦକ ପ୍ରଣବ କୁମାର ଜେନା, ଜିଲ୍ଲା ୟୁଟିଆ ସଂଘ ସଭାପତି ଆଶୁକବି ହେମନ୍ତ ଜେନା, ବିଦ୍ୟୁତ କୁମାର ଖୁଣ୍ଟିଆ, ଆଇନଜୀବୀ ପ୍ରମୋଦ ପାଇକରାୟ, ଅଜୟ କୁମାର ପରିଡ଼ା, ବୈକୁଣ୍ଠ ନାଥ ସାହୁ, ନାରାୟଣ ପ୍ରସାଦ ପଣ୍ଡା, ସଚ୍ଚିଦାନନ୍ଦ ପାଇକରାୟ, ବୋହୂ ଦମୟନ୍ତୀ, ଜ୍ୟୋତ୍ସ୍ନା ରାଉତରାୟ ପ୍ରମୂଖ ସ୍ୱର୍ଗତ୍ ରାଉତରାୟଙ୍କ ଦୀର୍ଘ ଚାଳିଶି ବର୍ଷର ନିର୍ମଳ ଶିକ୍ଷା ସେବା ଉପରେ ସ୍ମୃତି ଚାରଣ କରି ଶ୍ରଦ୍ଧା ନିବେଦନ କରିଥିଲେ । ଗୋପାଳପୁର ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଆଦର୍ଶ ପ୍ରଧାନ ଶିକ୍ଷକ, ମହାକାଳପଡ଼ା ଜଗନ୍ନାଥ ମନ୍ଦିର କମିଟି ସଭାପତି, ମହାକାଳପଡ଼ାର ଅନୁଶିକ୍ଷା ନିରୀକ୍ଷକ, ଶିକ୍ଷକ ସଂଘର ଅଗ୍ରଦୂତ ଓ ଅଞ୍ଚଳର ମୂରବୀ ଭାବେ ତାଙ୍କର ବେଶ୍ ସୁନାମ ଥିଲା ବୋଲି ବକ୍ତା ମାନେ ପ୍ରକାଶ କରିଥିଲେ । ସର୍ବପ୍ରଥମେ ବେଦପାଠ ମଧ୍ୟରେ ଦିବଂଗତ ପ୍ରଫୁଲ୍ଲ କୁମାରଙ୍କ ତୈଳଚିତ୍ରରେ ସାମୂହିକ ମାଲ୍ୟାର୍ପଣ କରାଯିବା ସହ ଆତ୍ମାଙ୍କ ସଦଗତି ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା । ଇତ୍ୟବସରରେ ଦିବଂଗତ ରାଉତରାୟଙ୍କ ଜୀବନୀ ସମ୍ବଳିତ ସ୍ମରଣିକା “ସ୍ମୃତିରେ ପ୍ରଫୁଲ୍ଲାୟନ”କୁ ଅତିଥି ମାନେ ଲୋକାର୍ପଣ କରିଥିଲେ । ତାଙ୍କ ଆତ୍ମାର ସନ୍ତୁଷ୍ଟି ଉଦ୍ଦେଶ୍ୟରେ ମଞ୍ଚ ତରଫରୁ ସଭାପତି କାଶୀନାଥ ରାଉତରାୟ ବିଭିନ୍ନ ବିଭାଗରେ କୃତୀତ୍ୱ ଅର୍ଜ୍ଜନ କରିଥିବା କୃଷି ଓ ଜଳସମ୍ପଦ ବିଭାଗର ସେବା ନିବୃତ୍ତ ମୁଖ୍ୟ ଯନ୍ତ୍ରୀ ପ୍ରଦୀପ କୁମାର ପାଇକରାୟ ଓ ନିଗମାନନ୍ଦ ହାଇସ୍କୁଲର କୃତୀ ଛାତ୍ରୀ ଲିପସା ନାୟକ ଏବଂ ବିଜୟାଲକ୍ଷ୍ମୀ ସାମଲଙ୍କୁ ମାନପତ୍ର, ଅଙ୍ଗବସ୍ତ୍ର ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ନାରାୟଣ ପଣ୍ଡା, ପ୍ରେମାନନ୍ଦ ଜେନା, ପ୍ରଫୁଲ୍ଲ କୁମାର ପ୍ରଧାନ, କବି ଧନେଶ୍ୱର ସେଠୀ, କର୍ମସାରଥି ରାଉତରାୟ, ସୁପ୍ରିୟା ରାଉତରାୟ ଆଦି ସ୍ମୃତି ଚାରଣ କରିଥିଲେ । ଶେଷରେ ଶୁଭେନ୍ଦୁ ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।











