ଦୁଷ୍କର୍ମ ଅଭିଯୁକ୍ତକୁ ୧୨ବର୍ଷ କାରାଦଣ୍ଡାଦେଶ


କେନ୍ଦ୍ରାପଡା ଅତିରିକ୍ତ ଆଡହକ ଫାଷ୍ଟଟ୍ରାକ କୋର୍ଟ ସେସନସ ଜଜ ତ୍ରିବୀକ୍ରମ କେଶରୀ ଚିନ୍ନାରା ଜଣେ ଦୁଷ୍କର୍ମ ଅଭିଯୁକ୍ତକୁ ଆଜି ୧୨ବର୍ଷ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି । ଘଟଣାରୁ ପ୍ରକାଶ ଯେ ଗତ ୨୦୨୧ମସିହା ମଇମାସ ୨୦ତାରିଖ ସନ୍ଧ୍ୟା ପ୍ରାୟ ୭ଟାରେ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଅଙ୍ଗୁଳେଇ(ପସ୍ତା)ଅଞ୍ଚଳର ଜନୈକ ଦଶମ ଶ୍ରେଣୀରେ ପଢୁଥିବା ୧୭ବର୍ଷୀୟ ନାବାଳିକା ତାଙ୍କ ଘର ସମ୍ମୁଖ ରାସ୍ତା କଡରେ ପରିସ୍ରା କରିବାକୁ ବସିଥିବା ବେଳେ ଏକ କାର ହଠାତ ସେଠାରେ ଆସି ଅଟକିଥିଲା । ସେହି କାର ଭିତରୁ ୨ଜଣ ବାହାରି ଆସି ସଂପୃକ୍ତ ନାବାଳିକାର ପାଟି ବନ୍ଦ କରିଦେଇ ତାକୁ ଜୋର ଜବରଦସ୍ତ ଉଠାଇ ନେଇ କାର ଭିତରେ ତାକୁ ପୁରାଇଦେଇଥିଲେ । ପରେ ସେହି ନାବାଳିକାଟି ନିଜକୁ ଏକ ଅପ୍ରକାଶ୍ୟ ଗୃହରେ ପାଇଥିଲା । ସେହି ଘର ଭିତରେ ଅଭିଯୁକ୍ତ ସଂପୃକ୍ତ ନାବାଳିକା ସହିତ ଜୋରଜବରଦସ୍ତ ୩ଥର ସଫଳତାର ସହିତ ଶାରିରୀକ ସମ୍ପର୍କ ରଖିଥିଲା । ଅଭିଯୁକ୍ତର ସାମୟିକ ଅନୁପସ୍ଥିତିର ସୁଯୋଗ ନେଇ ନାବାଳିକା ଜଣଙ୍କ ନିଜ ଘରକୁ ଚାଲି ଆସିଥିଲା । ଏସମ୍ପର୍କରେ ନାବାଳିକାର ପିତାଙ୍କ ଅଭିଯୋଗ କ୍ରମେ କେନ୍ଦ୍ରାପଡା ସଦର ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ଶେଷ କରିବା ପରେ ସଦର ଥାନା ପୋଲିସ ଥାନା କେଶ ନମ୍ବର ୨୯୯/୨୦୨୧ରେ ଆଇ.ପି.ସି.ର ଦଫା ୩୪୨, ୩୬୩, ୩୬୫, ୩୭୬(୨)(ଏନ), ୫୦୬ ଏବଂ ପୋସ୍କୋ ଆଇନର ୬ଦଫାରେ ଚାର୍ଜସିଟ୍ କୋର୍ଟରେ ଦାଖଲ କରିଥିଲା । କେନ୍ଦ୍ରାପଡା ଅତିରିକ୍ତ ଆଡହକ ଫାଷ୍ଟଟ୍ରାକ କୋର୍ଟର ସେସନସ ଜଜ୍ ତ୍ରିବୀକ୍ରମ କେଶରୀ ଚିନ୍ନାରା ସେହି ମାମଲାର ବିଚାର କରି ସମସ୍ତ ସାକ୍ଷ୍ୟ ପ୍ରମାଣ ଆଧାରରେ ଅଭିଯୁକ୍ତ କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ଥାନା ଅନ୍ତର୍ଗତ ଠାଉରୀ ଗ୍ରାମର ବିଷ୍ଣୁ ଚରଣ ନାୟକଙ୍କ ପୁଅ କୁନା ଓରଫ ସରୋଜ କୁମାର ନାୟକ(୨୯)କୁ ୩୬୫ ଦଫାରେ ୫ବର୍ଷ ସଶ୍ରମକାରାଦଣ୍ଡାଦେଶ ସହିତ ୫ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦେୟ ଅଧିକ ୬ମାସ ଜେଲଦଣ୍ଡ ଭୋଗିବାକୁ ପଡିବ ବୋଲି କୋର୍ଟ କହିଛନ୍ତି । ସେହିଭଳି ୩୭୬(୧) ଦଫାରେ ୧୨ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୨୦ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦେୟ ଅଧିକ ଏକବର୍ଷ ଜେଲଦଣ୍ଡାଦେଶ ଭୋଗିବାକୁ ପଡିବ । ୫୦୬ ଦଫାରେ ଏକବର୍ଷ ଜେଲଦଣ୍ଡାଦେଶ ଓ ଏକ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ଏହି ଜୋରିମାନା ଅନାଦେୟ ଅଧିକ ୨ମାସ ଜେଲଦଣ୍ଡ ଭୋଗିବାକୁ ପଡିବ । କୋର୍ଟ ପିଡିତାଙ୍କ ଥଇଥାନ ନିମନ୍ତେ ତାଙ୍କୁ ୪ଲକ୍ଷ ଟଙ୍କା କ୍ଷତିପୁରଣ ପ୍ରଦାନ କରିବାକୁ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି । ସେହି ଅର୍ଥ ଏକ ସୁରକ୍ଷିତ ସରକାରୀ ସ୍କିମରେ ପିଡିତାଙ୍କ ଭବିଷ୍ୟତ ନିମନ୍ତେ ତାଙ୍କ ନାମରେ ଜମା ରଖିବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି । ଏହି ନିର୍ଦେଶକୁ କାର୍ଯ୍ୟାକାରୀ କରିଥିବା ସମ୍ପର୍କରେ ସରକାର ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବଙ୍କୁ ଜଣାଇବେ ଯାହାକୁ କି ସଚିବ ଜିଲ୍ଲା କମିଟି ଦୃଷ୍ଟିକୁ ଆଣିବେ ବୋଲି କୋର୍ଟ କହିଛନ୍ତି । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ମନୋଜ କୁମାର ସାହୁ କୋର୍ଟରେ ଏହି ମକ୍କଦ୍ଦମା ପରିଚାଳନା କରୁଥିଲେ ।


Discover more from

Subscribe now to keep reading and get access to the full archive.

Continue reading