ମୂଳବସନ୍ତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ବାର୍ଷିକ ଉତ୍ସବ



ଶିଶୁମାନେ ହେଉଛନ୍ତି ଦେଶର ଆଗାମୀ ଭବିଷ୍ୟତ
ପଟ୍ଟାମୁଣ୍ଡାଇ ତା୨୮.୧- ଶିଶୁମାନେ ଦେଶର ଆଗାମୀ ଭବିଷ୍ୟତ ହୋଇଥିବାରୁ ସେମାନଙ୍କୁ ଉଚିତ ମାର୍ଗ ଦର୍ଶନ ପ୍ରଦାନ କରି ଭଲ ମଣିଷ ତିଆରି କରିବା ସହିତ ଏକ ସୁଦୃଢ, ବିକଶିତ ରାଜ୍ୟ ଓ ଦେଶ ଗଠନରେ ସହାୟକ ହେବାକୁ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ମୂଳବସନ୍ତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୧୨ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଉପସ୍ଥିତ ଗୁରୁଜୀ, ଗୁରୁମା ଓ ଅଭିଭାବକମାନଙ୍କୁ ପରାମର୍ଶ ଦେଇଛନ୍ତି | ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନଆଚାର୍ଯ୍ୟ ବିକ୍ରମଜିତ ସ୍ଵାଇଁଙ୍କ ପୌରହିତ୍ୟରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ବ୍ଲକ ଅଧକ୍ଷ ଶ୍ରୀସାମନ୍ତରାୟ କହିଲେଯେ ସମ୍ପ୍ରତି ଦେଶ ବିଭିନ୍ନ ଆହ୍ଵାନର ସମ୍ମୁଖୀନ ହେଉଛି | ଦେଶର ଆଗାମୀ ଭବିଷ୍ୟତ କୋମଳମତି ଶିଶୁମାନେ ସଠିକ ମାର୍ଗଦର୍ଶନ, ନିଷ୍ଠା ଓ ଅଧ୍ୟବସାୟ ବଳରେ ସବୁ କ୍ଷେତ୍ରରେ ସଫଳ ହୋଇ ନିଜକୁ ଭଲ ମଣିଷ ଭାବେ ଗଢିତୋଳିଲେ ଏକ ସୁଦୃଢ, ବିକଶିତ ରାଜ୍ୟ ଓ ଦେଶ ଗଠନ ସମ୍ଭବ ହୋଇପାରିବ ବୋଲି ମତପ୍ରକାଶ କରି ଏ ଦିଗରେ ଉଭୟ ଗୁରୁଜୀ, ଗୁରୁମା ଓ ଅଭିଭାବକମାନେ ନିଷ୍ଠାପର ଉଦ୍ୟମ କରିବାକୁ ପରାମର୍ଶ ଦେଇଥିଲେ | ଓଡିଶା ଶିକ୍ଷା ବିକାଶ ସମିତି କେନ୍ଦ୍ରାପଡ଼ା ପ୍ରମୁଖ କପିଳ ଚରଣ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନେ ଭଲ ମଣିଷ ହେବାର ଲକ୍ଷ୍ୟ ନେଇ ଆଗକୁ ଅଗ୍ରସର ହେଉଥିବାବେଳେ ଯେପରି ଭୁଲ ମଣିଷ ନହୁଅନ୍ତି ସେ ଦିଗରେ ଯତ୍ନବାନ ହେବାକୁ ଉଭୟ ଗୁରୁଜୀ, ଗୁରୁମା ଓ ଅଭିଭାବକମାନଙ୍କୁ ପରାମର୍ଶ ଦେଇଥିଲେ | ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ରଞ୍ଜିତ କୁମାର ମହାନ୍ତି ଓ ଆଳି ଥାନା ଆଇଆଇସି ସବ୍ୟସାଚୀ ଶତପଥୀ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଉତ୍ତମ ଶିକ୍ଷାଦାନ ଉପରେ ଗୁରୁତ୍ଵ ଦେବା ସହିତ ଏହି ଶିକ୍ଷାନୁଷ୍ଠାନର ଉତରୋତ୍ତର ଉନ୍ନତି କାମନା କରିଥିଲେ | ବିଦ୍ୟା ମନ୍ଦିର ପରିଚାଳନା କମିଟି ସମ୍ପାଦକ ସଂଗ୍ରାମ ସ୍ଵାଇଁ ସ୍ଵାଗତଭାଷଣ, ଉପସଭାପତି ଆନନ୍ଦ ପ୍ରସାଦ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ | ଶେଷରେ ସ୍କୁଲ ପରିଚାଳନା କମିଟିସଭାପତି ବାବୁରାମ ସାହୁ ଧନ୍ୟବାଦ ଦେଇଥିଲେ | ଏଇ ଅବସରରେ ଅତିଥିମାନେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ଵ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନନ୍କୁ ପୁରସ୍କାର ବିତରଣ କରିଥିଲେ | ଏହି ଉତ୍ସବକୁ ସଭାପତି ବାବୁରାମସାହୁ, ଉପସଭାପତି ଆନନ୍ଦପ୍ରସାଦ ପଣ୍ଡା, ସମ୍ପାଦକ ସଂଗ୍ରାମ ସ୍ଵାଇଁ, ଯୁଗ୍ମସମ୍ପାଦକ କୀର୍ତିମାନ ସାହୁ, କୋଷଧାକ୍ଷା ମନସ୍ମିତା ସାହୁ ଓ ସୁମିତ୍ରା ବେହେରା ପ୍ରମୁଖ ପରିଚାଳନା କରିଥବାବେଳେ ଶିବାନୀ ଦଶ, ଲାଖ୍ମୀପ୍ରିୟ ଦଶ, ସୁଚିସ୍ମିତା ଦଶ, ନିରୂପମା ସାହୁ, ଝରଣା ସେଠି, ଜାନକୀ ପଣ୍ଡା ପ୍ରମୁଖ ପରିଚାଳନରେ ସହଯୋଗ କରିଥିଲେ | ସଭା ପରେ ବିଦ୍ୟାମନ୍ଦିରର କୁନି କୁନି ପିଲାମାନେ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ |


Discover more from

Subscribe now to keep reading and get access to the full archive.

Continue reading