ଜଜାଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଓ କ୍ରୀଡା ପ୍ରତିଯୋଗିତା

ଜଜାଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଓ କ୍ରୀଡା ପ୍ରତିଯୋଗିତା

କେନ୍ଦ୍ରାପଡା, ୯/୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଜଜାଙ୍ଗ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ରୀଡା ପ୍ରତିଯୋଗିତା ଓ ବାର୍ଷିକ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପିଲାମାନଙ୍କ ମଧ୍ୟରେ ବିଭିନ୍ନ ବିଭାଗର କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଅପରାହ୍ନରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସବିତା ପଣ୍ଡା ସଭା ପରିଚାଳନା କରିଥିଲେ । କେନ୍ଦ୍ରାପଡା ଅତିରିକ୍ତ ଶିକ୍ଷା ମଣ୍ଡଳ ଅଧିକାରୀ ହିରଣ୍ୟ କୁମାର ବାରିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପିଲାମାନଙ୍କୁ ପାଠପଢି ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ । କେନ୍ଦ୍ରାପଡା ଜିଲ୍ଲା ଓଲଷ୍ଟାର ସମ୍ପାଦକ ଅଶୋକ କୁମାର ସାହୁ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ବେଳେ କପାଳେଶ୍ୱର ଗ୍ରାମ ପଞ୍ଚାୟତର ସରପଞ୍ଚ କଳ୍ପନା ମହାନ୍ତି, କେନ୍ଦ୍ରାପଡା ବ୍ଲକର ଉପାଧ୍ୟକ୍ଷ ପ୍ରତାପ ମହାପାତ୍ର, ସମାଜସେବୀ ରବିନ୍ଦ୍ର କୁମାର ବାରିକ, ମୁଖ୍ୟମନ୍ତ୍ରୀ ପୁରସ୍କାରପ୍ରାପ୍ତ ଶିକ୍ଷକ ନୃସିଂହ ଚରଣ ଭଦ୍ର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ସିଆର୍‌ସିସି ସ୍ନେହଲତା ପରିଡା ଅତିଥି ପରିଚୟ ପ୍ରଦାନ କରିଥିଲେ । ଅତିଥିମାନଙ୍କ ଦ୍ୱାରା କ୍ରୀଡା ପ୍ରତିଯୋଗିତାରେ କୃତୀତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଶେଷରେ ଖେଳ ଶିକ୍ଷକ ଶେଖ୍ ରିଜୁଆନ୍ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରମଦା ବିଶ୍ୱାଳ, ସଂଯୁକ୍ତା ପ୍ରଧାନ, ମାନସୀ ସିଂହ, ଅଭିଜିତ୍ ଥାଟୋଇ, ବଳରାମ ବେହେରା, ପୁଷ୍ପମିତ୍ର ନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । କୁନି କୁନି ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।