ମେଣ୍ଟ ରାଜନୀତି : ତୃଣମୂଳସ୍ତରରେ କର୍ମୀ ନିରାଶ


ଓଡ଼ିଶାର ରାଜନୀତି ଉଠୁଛି ପଡୁଛି । ଗୋଟାଏ ସପ୍ତାହ ହେଲା ରାଜ୍ୟ ଶାସକ ଦଳ ଓ ମୁଖ୍ୟ ବିରୋଧି ଦଳ ଭାରତୀୟ ଜନତା ପାର୍ଟି ମଧ୍ୟରେ ମେଣ୍ଟ କୁ ନେଇ ଆଲୋଚନା ଜୋର୍ ଧରିଛି । ଏହା ଖାଲି ରାଜନୈତିକ ସ୍ତରରେ ନୁହେଁ । ଏହାକୁ ନେଇ ଏବେ ପଲ୍ଲୀ ରୁ ଦିଲ୍ଲୀ ପର୍ଯ୍ୟନ୍ତ ଆଲୋଚନା ଚାଲିଥିବା ବିଭିନ୍ନ ଗଣମାଧ୍ୟମରୁ ଜାଣିବାକୁ ମିଳୁଛି । ସାଧାରଣ ଜନତାଙ୍କ ମଧ୍ୟରେ ଏହାକୁ ନେଇ ବେଶ ରୋଚକ ଟିହାଟିପ୍ପଣୀ ସାମାଜିକ ଗଣମାଧ୍ୟମ ଫେସବୁକ, ଇଂଷ୍ଠାଗ୍ରାମ,ଏକ୍ସରେ ରହୁଅଛି । ଚା ଖଟି,ପାନ ଦୋକାନ ଏବେ ଏହାର ମୁଖ୍ୟ ଆଲୋଚନାର ସ୍ଥଳୀ ପାଲଟିଛି । ଏମିତିକି ବିଭିନ୍ନ ଜିଲ୍ଲାରେ ରହିଥିବା ଉଭୟ ଦଳର ଦଳୀୟ କର୍ମୀମାନେ ଭିଡ଼ିଓ ବାର୍ତ୍ତା ଜରୀଆରେ ନିଜ ନିଜର ଅସନ୍ତୋଷ ଜାହିର କରୁଥିବା ଦୃଶ୍ୟ ସାମନାକୁ ଆସିଛି । ବିଶେଷ କରି ଗାଁ ରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ବିଭିନ୍ନ ଖଟିରେ ଭାରତୀୟ ଜନତା ପାର୍ଟି ର କର୍ମୀମାନେ ଏହାକୁ ବରଦାସ୍ତ କରିବା ମୁଡ୍‌ରେ ନଥିବା ନିଜ ନିଜର ପତିକ୍ରିୟା ରଖୁଛନ୍ତି ।
୨୦୨୪ ସାଧାରଣ ନିର୍ବାଚନକୁ ନେଇ ରାଜ୍ୟର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଦଳୀୟ ଆଶାୟୀ ପ୍ରାର୍ଥୀ ଗଡ ସଜାଡି ମଇଦାନକୁ ଓହ୍ଲାଇବା ପାଇଁ କ୍ଷେତ୍ର ପ୍ରସ୍ତୁତି କରୁଥିବା ବେଳେ ହଠାତ୍ ରାଜନୈତିକ ପାଣି ପାଗ ଭିନ୍ନ ଦିଗକୁ ଇସାରା ଦେବା ଭଳି ପରିସ୍ଥିତି ଦେଖି ଏସବୁରେ ନିରବତା ବାରିହୋଇ ପଡ଼ିଲାଣି ।
ଯଦି ପ୍ରକୃତରେ ମେଣ୍ଟ ହୋଇଯାଏ ତେବେ କୁଜି ନେତା କର୍ମୀମାନେ ହିଁ କ୍ଷତିଗ୍ରସ୍ତ ହେବେ । ପ୍ରକୃତରେ ଶୀର୍ଷ ସ୍ଥାନୀୟ ନେତୃତ୍ୱଙ୍କ ନିଷ୍ପତ୍ତି ଶୀରଧାର୍ଯ୍ୟ ହୋଇଥିଲେ ମଧ୍ୟ କେଉଁ ପରିସ୍ଥିତି ସକାଶେ ମେଣ୍ଟ ପାଇଁ ବାଧ୍ୟ ବାଧକତା ପଡିଲା କୁଜି ନେତାକର୍ମୀ ମାନଙ୍କୁ ବୁଝାଇବା ଉଚିତ
ଆଗାମୀ ୨୦୨୪ ନିର୍ବାଚନ ପାଇଁ ଉଭୟ ଦଳ ନିଜ ନିଜର ରଣ କୌଶଳ ସହ ଆଗେଇ ଚାଲିଛନ୍ତି । ଶାସକ ବିଜୁ ଜନତା ଦଳ ଏଥିପାଇଁ କେମିତି ଭୋଟରଙ୍କୁ ନିଜ ପାଖରେ ରଖିପାରିବେ ସେଥିପାଇଁ ସୁଚିନ୍ତିତ ଯୋଜନା ମାନ କରି ଆର୍ôଥକ ସହାୟତା ଯୋଗାଇଦେବାକୁ ଘୋଷଣା ପରେ ଘୋଷଣା ଚାଲିଛି । ବିଭିନ୍ନ ଶ୍ରେଣୀର ଲୋକମାନେ ଏଥିପାଇଁ ବେଶ ଖୁସ୍ ।ବାକି ରହିଯାଇଥିବା ଲୋକମାନେ ମଧ୍ୟ ଆଶା ବାନ୍ଧି ବସିଛନ୍ତି ତାଙ୍କ ପାଇଁ ମଧ୍ୟ ସରକାର ବିଚାର କରିବେ । କାରଣ ଏହା ସରକାରଙ୍କ ବାଧ୍ୟ ବାଧ୍ୟକତା ରହିଛି ନିର୍ବାଚନ ବୈତରଣୀ ପାର ହୋଇ ସିଂହାସନ ଆରୋହଣ ପାଇଁ ବୋଲି ଜନସାଧାରଣ ବୁଝିସାରଛନ୍ତି । ସବୁଠାରୁ ବଡ଼ ପ୍ରଶ୍ନ ଏବେ ସମସ୍ତ ଙ୍କ ମନରେ ଦୀର୍ଘ ଦିନ ହେବ ଉଭୟ ଦଳ ମଧ୍ୟରେ ବିଭିନ୍ନ କଥାକୁ ନେଇ ଆରୋପ ପ୍ରତ୍ୟାରୋପ ଚାଲିଥିବା ବେଳେ ମେଣ୍ଟ କଥା ଆସିଲା କେମିତି । କେଉଁ ପରିସ୍ଥିତି ମଜବୁର କରି ପକାଇଲା ଉଭୟ ଶାସକ ଓ ମୁଖ୍ୟ ବିରୋଧୀ ଦଳକୁ । ଗୋଟାଏ ପଟେ ଭାରତୀୟ ଜନତା ପାର୍ଟି ର ରାଜ୍ୟ ନେତୃବୃନ୍ଦ ଗୋଟାଏ ପରେ ଗୋଟାଏ ଅଭିଯୋଗ ନେଇ ଦୈନନ୍ଦିନ ଖବରଦାତା ସମ୍ମିଳନୀ ଜରୀଆରେ ଶାସକ ଦଳ ବିପକ୍ଷରେ ଜନସାଧାରଣଙ୍କୁ ଅବଗତ କରୁଥିଲେ ।
କଥା ଆଗାମୀ ନିର୍ବାଚନକୁ ନେଇ ଉଭୟ ଦଳ ଗାଁକୁ ଚାଲ ଅଭିଯାନ ସହ ବୁଥ ସ୍ତରରେ କେମିତି ଦଳ ସୁଦୃଢ ହେବ ତାହା କରି ଚାଲିଥିଲେ । ଏଥିପାଇଁ ନିଜ ନିଜ ନିର୍ବାଚନ ମଣ୍ଡଳୀ ପାଇଁ ଟିକଟ ପାଇଁ ଆଶାୟୀ ରହିଥିଲେ ।ଏବେ ତାଙ୍କର ଭାଗ୍ୟ କଣ ହେବ । ସମୁଦାୟ ଆସନ ସଂଖ୍ୟା ରୁ କାହାକୁ କେତେ ଆସନ ମିଳିବ । ତାହା ପୁଣି କେଉଁ ଆସନ କେଉଁ ଦଳ ସକାଶେ ଭାଗବାଣ୍ଟ ରେ ପଡିବ । ଏତିକି ବେଳେ ଦଳ ଡିଆଁଙ୍କ ଭାଗ୍ୟ କଣ ରହିବ । ତାହାହେଲେ ଦଳ ବଦଳ କରିବା ନିରର୍ଥକ ସାବ୍ୟସ୍ତ ହୋଇପାରେ ମଧ୍ୟ । ଏପର୍ଯ୍ୟନ୍ତ ମେଣ୍ଟ ନେଇ କୋଣସି ସୂଚନା ଆସି ନଥିବା ବେଳେ କିନ୍ତୁ ସାମାଜିକ ଗଣ ମାଧ୍ୟମରେ କିଏ କେତେ ଆସନ ଲଢିବେ ଭାଗ ବାଣ୍ଟ ମାନ ଦେଖିବାକୁ ମିଳୁଛି । କିଏ କିଏ କହୁଛନ୍ତି ଶାସକ ବିଜୁ ଜନତା ଦଳ ବିଧାନ ସଭା ପାଇଁ ଅଧିକ ଆସନ ସହ ଲୋକସଭା ଆସନ ସଂଖ୍ୟା ରେ କମ ହେଲେ ଚଳିବା କଥା ଉଲ୍ଲେଖ କରୁଥିବା ବେଳେ କିନ୍ତୁ ସେଠାରେ ପୁଣି କୁହା ହୋଇଛି ଏଥିପାଇଁ ରାଜ୍ୟ ଭାରତୀୟ ଜନତା ପାର୍ଟି ନେତୃତ୍ୱ ସହମତି ପ୍ରକାଶ କରି ପାରୁନାହାନ୍ତି । ତେଣୁ ଏଥିପାଇଁ ଦିଲ୍ଲୀ ଦରବାରରେ ଚାଲିଛି କସରତ । ଜରୁରୀ ଡାକରା ପାଇ ରାଜ୍ୟ ଭାରତୀୟ ଜନତା ଦଳର ସଭାପତି ମନ ମୋହନ ସାମଲ ଓ ସଂଗଠନ ସମ୍ପାଦକ ମାନସ ମହାନ୍ତି ଏବେ ଦିଲ୍ଲୀରେ । ଏମିତିକି ଦିଲ୍ଲୀ ନ ଛାଡିବା କଥା ମଧ୍ୟ ତାଙ୍କୁ କୁହା ହୋଇଥିବା ଜଣାଯାଏ । ପୁଣି ଅନ୍ୟ ଏକ ଘଟଣା ହଠାତ୍ ବିଜୁ ଜନତା ଦଳର ଦୁଇ ଶୀର୍ଷ ସ୍ଥାନୀୟ ପ୍ରମୁଖ ନେତୃତ୍ୱ ଭି .କେ. ପାଣ୍ଡିଆନ ଓ ପ୍ରଣବ ପ୍ରକାଶ ଦାସ ଙ୍କ ଦିଲ୍ଲୀ ଗସ୍ତ କରି ପ୍ରତ୍ୟାବର୍ତ୍ତନ । ସମ୍ଭାବ୍ୟ ମେଣ୍ଟ କୁ ଦେଖି ଖାଲି ଉଭୟ ଦଳର କର୍ମୀ ନୁହଁନ୍ତି ବରଂ ଓଡ଼ିଶାବାସୀ ମଧ୍ୟ ବର୍ତ୍ତମାନ ବଡ ଦ୍ୱନ୍ଦରେ ଥିବା ବେଳେ ମେଣ୍ଟ ପାଇଁ କେହି ଖୁସି ନାହାଁନ୍ତି ।
ତାହାହେଲେ ଏତେଦିନ ପର୍ଯ୍ୟନ୍ତ ଯାହା ତୁତୁ ମେମେ ଚାଲିଥିଲା ତାହା କଣ ସବୁ ନାଟକ ରହିଥିଲା କି ବୋଲି ମଧ୍ୟ ଅନେକ ପ୍ରଶ୍ନ ପଚାରିଛନ୍ତି ଏବଂ ପତିକ୍ରିୟା ରଖିଛନ୍ତି । ତାହାହେଲେ ଏମାନେ ଜନତାଙ୍କୁ ଭକୁଆ ବନାଉଥିଲେ ।ଚୌକି ପାଇଁ ଏମାନେ ସବୁ କରିପାରନ୍ତି । ଯାହାକି ଏକ ସୁସ୍ଥ ଗଣତନ୍ତ୍ର ପାଇଁ କେବେ ମଧ୍ୟ ଶୁଭଙ୍କର କହିବାନାହିଁ । ଖାଲି ଏତିକି ନୁହେଁ ଏହା ଯଦି ହୁଏ ଗୁଡାଏ ଅସନ୍ତୋଷ ପ୍ରକାଶ ପାଇବ ଓ ନିର୍ବାଚନ ମଇଦାନକୁ ମଧ୍ୟ ଏହା ବେଶ ପ୍ରଭାବିତ କରିବ ବୋଲି ଆଶଙ୍କାକୁ ଏଡ଼ାଇ ଦେଇ ହେବନାହିଁ । ଅନେକ ଆଶାୟୀ ପ୍ରାର୍ଥୀ ନିଶ୍ଚୟ ସ୍ୱାଧୀନ ଭାବରେ ଲଢିବାର ଦେଖିବାକୁ ମିଳିପାରେ । ଯଦ୍ୱାରା ନିଶ୍ଚୟ ବିରୋଧୀ ଦଳ କଂଗ୍ରେସ ଏହା ଦ୍ୱାରା ଲାଭବାନ ହେବ ବୋଲି ମଧ୍ୟ ରାଜନୈତିକ ସମୀକ୍ଷକ ମତ ପ୍ରକାଶ କରିଛନ୍ତି । ଏବେ ଯେଉଁ ଆଲୋଚନା ଜାରୀରହିଛି ଭାରତୀୟ ଜନତା ପାର୍ଟି ଓ ବିଜେଡିକୁ ନେଇ ଏହା ଯଦି ସତ ହୁଏ ତାହାହେଲେ ଅନେକ ଆଶାୟୀ ଏମିତିକି ବର୍ତ୍ତମାନ ର କେତେକ ନିର୍ବାଚିତ ପ୍ରତିନିଧି ଙ୍କ ଭାଗ୍ୟ ମଧ୍ୟ ଅନ୍ଧକାର ମଧ୍ୟକୁ ଠେଲି ହୋଇଯିବାର ଆଶଙ୍କା ସୃଷ୍ଟି କରିଛି ।


Next Post

ପିସିସି ସଂଖ୍ୟାଲଘୁ ବିଭାଗର ସାଧାରଣ ସମ୍ପାଦକ ହେଲେ କେନ୍ଦ୍ରାପଡାର ସୟଦ ଅବଦୁଲ ସତ୍ତାର

Wed Mar 13 , 2024
କେନ୍ଦ୍ରାପଡ଼ା, ୧୨ା୩: ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଂଖ୍ୟାଲଘୁ ବିଭାଗର ସାଧାରଣ ସମ୍ପାଦକ ଭାବେ କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ସଂଖ୍ୟାଲଘୁ ସେଲ ଅଧ୍ୟକ୍ଷ ସୟଦ ଅବଦୁଲ ସତ୍ତାରଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ଅଖିଳ ଭାରତ କଂଗ୍ରେସ କମିଟି ସଂଖ୍ୟାଲଘୁ ବିଭାଗ ଅଧ୍ୟକ୍ଷଙ୍କ ଅନୁମୋଦନ କ୍ରମେ ସୟଦ ସତ୍ତାରଙ୍କୁ ଏହି ନିଯୁକ୍ତି ପ୍ରଦାନ କରାଯାଇଛି । ଏଠାରେ ସୂଚନା ଯୋଗ୍ୟ ଯେ ସୟଦ ଅବଦୁଲ ସତ୍ତାର ଗତ ୨୦୦୮ରୁ ୨୦୨୩ […]

KANIKA