
କେନ୍ଦ୍ରାପଡ଼ା, ୪/୪: ରାଜନଗରର ପୂର୍ବତନ ବିଧାୟିକା ସ୍ୱର୍ଗତ ସରସ୍ୱତୀ ଦେବୀଙ୍କ ୨୩ତମ ଶ୍ରାଦ୍ଧ ବାର୍ଷିକ ପାଳିତ ହୋଇଯାଇଛି । ଏହି ଅବସରରେ ଉପସ୍ଥିତ ଥିବା ସଦସ୍ୟମାନେ ପ୍ରଥମେ ସେଠାରେ ଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ମୃର୍ତ୍ତିରେ ପୁଷ୍ପମାଲ୍ୟ ଦେବା ପରେ ସ୍ୱର୍ଗତ ସରସ୍ୱତୀ ଦେବୀଙ୍କ ପ୍ରତିମୃର୍ତ୍ତିରେ ପୁଷ୍ପମାଲ୍ୟ ଦେଇଥିଲେ । ତତ୍କାଳୀନ ସମୟରେ ଗମନାଗମନର ସୁବିଧା ନଥିବା ରାଜନଗର ଓ ମହାକାଳପଡା ଅଞ୍ଚଳରେ ଚିକିତ୍ସା ସୁବିଧା ଓ ଶିକ୍ଷାର ପ୍ରସାର ପାଇଁ ସ୍କୁଲ ପ୍ରତିଷ୍ଠା, ଗମନାଗମନର ସୁବିଧା ପାଇଁ ରାସ୍ତା ନିର୍ମାଣ ହୋଇଥିଲା । ଲୋକଙ୍କ ପାଖରେ ଜଳାଭାବ ଦୂର କରିବାକୁ ବଡବଡ ପୁଷ୍କରିଣୀମାନ ଖନନ କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା ବୋଲି ତାଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦେବା ଅବସରରେ ଜିଲ୍ଲା ବିକାଶ ସାମୁଖ୍ୟର ସମ୍ପାଦକ ଅଧ୍ୟାପକ ଅଜୟ ସାମଲ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଅବସରପ୍ରାପ୍ତ କର୍ମଚାରୀ ସଂଘର ସଭାପତି ଡ. ଉପେନ୍ଦ୍ର ନାଥ ପ୍ରଧାନ, ବୈଷ୍ଣବ ଚରଣ ସ୍ୱାଇଁ, ଭାଗିରଥି ଜେନା, ସୁରେଶ ଚନ୍ଦ୍ର ପଟ୍ଟନାୟକ, କୈଳାସ ଚନ୍ଦ୍ର ମହାନ୍ତି, ଅଜିତ୍ ରାଉତ, କୃଷ୍ଣଚନ୍ଦ୍ର ଜେନା, ଗୌରାଙ୍ଗ ସାହୁ, ଶ୍ରୀନିବାସ ପରିଡା ପ୍ରମୁଖ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ତାଙ୍କ ସ୍ମୃତିଚାରଣ ଅବସରରେ ତାଙ୍କୁ କର୍ତ୍ତବ୍ୟ ନିଷ୍ଠା ପରୋପକାର ଏବଂ ନିଃସ୍ୱାର୍ଥପର ରାଜନୀତିର ଧାରା ବଞ୍ଚିରହିଲେ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ମତ ପ୍ରକାଶ ପାଇଥିଲା ।











