ଜିଲ୍ଲା କଂଗ୍ରେସ ଭବନରେ ସମ୍ବିଧାନ ପ୍ରଣେତା ଡ. ଆମ୍ବେଦକରଙ୍କ ଜୟନ୍ତୀ ପାଳନ



କେନ୍ଦ୍ରାପଡ଼ା, ୧୪ା୪: ଭାରତର ସମ୍ବିଧାନ ପ୍ରଣେତା ବାବା ସାହେବ ଡ. ଭୀମରାଓ ଆମ୍ବେଦକରଙ୍କ ୧୩୪ତମ ଜୟନ୍ତୀ କେନ୍ଦ୍ରାପଡା ସହରର କଜଳାସ୍ଥିତ କଂଗ୍ରେସ ଭବନ ପରିସରରେ ରବିବାର ପାଳନ କରାଯାଇଛି । ପ୍ରଥମେ ସେଠାରେ ଥିବା ଜାତିରପିତା ମହାତ୍ମାଗାନ୍ଧୀଙ୍କ ଆବକ୍ଷ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଭବନ ସଭାଗୃହରେ ଡ. ଆମ୍ବେଦକରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଜିଲ୍ଲା କଂଗ୍ରେସର ଉପସଭାପତି ପ୍ରଫୁଲ୍ଲ ଦାସଙ୍କ ପୈାରହିତ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସେହି ସଭାରେ ରାଜ୍ୟ ମତ୍ସ୍ୟଜୀବୀ କଂଗ୍ରେସ ସଭାପତି ହଳଧର ସେଠୀ ଯୋଗଦେଇ ବାବା ସାହେବ ଭାରତରତ୍ନ ଡ. ଭୀମରାଓ ଆମ୍ବେଦକର ଆମ ଦେଶ ଭାରତବର୍ଷ ପାଇଁ ବହୁ କଷ୍ଟ ସ୍ୱୀକାରକରି ସମ୍ବିଧାନ ପ୍ରଣୟନ କରିଥିଲେ ବୋଲି ମତବ୍ୟକ୍ତ କରିଥିଲେ । ପ୍ରାକ୍ତନ ଜିଲ୍ଲା କଂଗ୍ରେସ ସଭାପତି ତଥା ପ୍ରାକ୍ତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା କହିଥିଲେ ଯେ ସମ୍ବିଧାନର ସୁରକ୍ଷା ଦୃଷ୍ଟିରୁ ସମସ୍ତେ ଜାଗ୍ରତ ରହି ତା’ର ସୁରକ୍ଷା କରିବା ଆବଶ୍ୟକ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ପଛୁଆବର୍ଗ କଂଗ୍ରେସ ଉପାଧ୍ୟକ୍ଷ ଫକିର ଚରଣ ଖଟୁଆ, ରାଜ୍ୟ ସଂଖ୍ୟାଲଘୁ ବିଭାଗ ସାଧାରଣ ସମ୍ପାଦକ ସୟଦ ଅବଦୁଲ ସତ୍ତାର, ପ୍ରାକ୍ତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀ, ସନ୍ତୋଷ କୁମାର ବେହେରା, ବେଣୁଧର ସାହୁ, ଇଂ ସତ୍ୟପ୍ରିୟ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।


Discover more from

Subscribe now to keep reading and get access to the full archive.

Continue reading