ଭାରତରେ ଗରିବ ମାପକ ମାନଦଣ୍ଡରେ ପରିବର୍ତ୍ତନ , ଦାରିଦ୍ର୍ୟ ଦୂରୀକରଣର ନେଇ ତ୍ରୁଟିପୂର୍ଣ୍ଣ ଦାବି


(ରଶ୍ମିତା ସେଠୀ)

ଦରିଦ୍ରତାଙ୍କୁ ନେଇ ଦୀର୍ଘଦିନ ହେଲା ଦେଶରେ ବିତର୍କ ଚାଲୁଥିବା ବେଳେ ଦରିଦ୍ର କାହାକୁ କୁହାଯିବ ଓ ସେମାନଙ୍କ ସଂଖ୍ୟା କେତେ ସେନେଇ ପ୍ରଶ୍ନ ଉଠୁଛି । କେଉଁ ସାମାଜିକ ଅର୍ଥନୈତିକ କାରଣରୁ ଦରିଦ୍ରତା ବଢୁଛି ଏବଂ ଦରିଦ୍ରତାରୁ ଲୋକମାନଙ୍କୁ କିପରି ମୁକ୍ତ କରାଯାଇ ପାରିବ ସେନେଇ ସଚେତନ ନାଗରିକ ମାନଙ୍କୁ ବିବ୍ରତ କରୁଛି । ଆମ ଦେଶରେ ଦରିଦ୍ରତାର ଯେ ଆକଳନ ନ ହୋଇଛି, ସେକଥା ନୁହଁ । ଲୋକର ଦୈନିକ /ମାସିକ / ବାର୍ଷିକ ଆୟ, ବ୍ୟୟ, ନିର୍ଦ୍ଦିଷ୍ଟ ପରିମାଣର କ୍ୟାଲୋରୀଯୁକ୍ତ ଖାଦ୍ୟକୁ ନେଇ ଦରିଦ୍ରତାର ସୀମାରେଖା ନିର୍ଦ୍ଧାରଣ କରି ଦରିଦ୍ର ଆକଳନ କରାଯାଉଥିଲା । ୧୯୮୯ ମସିହାରେ ଭାରତର ଯୋଜନା କମିଶନ ଦାରିଦ୍ର‌୍ୟର ଅନୁପାତ ମାପିବା ନିମନ୍ତେ ଡି. ଟି. ଲାକେଡ଼ୱାଲଙ୍କ ଅଧ୍ୟକ୍ଷତାରେ ଏକ ବିଶେଷଜ୍ଞ କମିଟି ବଗ୍ଦସଥିଲବ । ଏହି କମିଟିଙ୍କ ରିପୋର୍ଟ ଅନୁସାରେ ୧୯୭୩-୭୪ ମସିହାରେ ଭାରତରେ ୫୪.୯ ଭାଗ ଲୋକ ଦରିଦ୍ରତାର ସୀମାରେଖା ତଳେ ଥିଲେ । ୧୯୮୭-୮୮ ମସିହାବେଳକୁ ସେମାନଙ୍କ ସଂଖ୍ୟା ୩୯.୩ କୁ କମି ଆସିଥିଲା । ଏହି ସମୟ ମଧ୍ୟରେ ଓଡ଼ିଶାରେ ଦରିଦ୍ରତାର ସୀମାରେଖା ତଳେଥିବା ଲୋକଙ୍କ ସଂଖ୍ୟା ୭୬.୨୮ ରୁ ୫୫.୬୨ ଭାଗକୁ କମି ଆସିଥିଲା । ତଥାପି ସେତେବେଳେ ଓଡ଼ିଶା ୨୫ଟି ରାଜ୍ୟମଧ୍ୟରେ ଦରିଦ୍ରତମ ରାଜ୍ୟ ଭାବରେ ପରିଗଣିତ ହେଉଥିଲା ।
୨୦୦୯ ମସିହାରେ କେନ୍ଦ୍ର ସରକାର ବସାଇଥିବା ତେନ୍ଦୁଲକର କମିଟି ସହରରେ ମାସକୁ ୧୦୦୦ ଟଙ୍କା (ଦିନକୁ ୩୩ ଟଙ୍କା ଓ ଗ୍ରାମାଂଚଳରେ ମାସକୁ ୮୧୬ ଟଙ୍କା (ଦିନକୁ ୨୭ )ରୁ କମ୍ ଖର୍ଚ୍ଚ କରୁଥିବା ବ୍ୟକ୍ତିକୁ ଗରିବ ଶ୍ରେଣୀରେ ରଖିଥିଲେ । ଏହି ରିପୋର୍ଟ ଅନୁସାରେ ୨୦୦୯-୧୦ରେ ଦେଶରେ ୨୯.୮ଭାଗ ଲୋକ (୩୫.୪ କୋଟି) ଗରିବ ଥିବାବେଳେ ୨୦୧୧-୧୨ରେ ଏହି ସଂଖ୍ୟା ୨୧.୬ ଭାଗକୁ କମି ଆସିଥିଲା । ତେନ୍ଦୁଲକରଙ୍କ ଏହି ରିପୋର୍ଟକୁ ନେଇ ତକ୍ରାଳୀନ ୟୁ ପି ଏ ସରକାରଙ୍କୁ ବହୁ ସମାଲୋଚନର ଶରବ୍ୟ ହେବାକୁ ପଡିଥିଲା । ତେଣୁ ସରକାର ୨୦୧୩ମସିହାରେ ତେନ୍ଦୁଲକର କମିଟି ରିପୋର୍ଟକୁ ସମୀକ୍ଷା କରିବାପାଇଁ ଭୂତପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଅର୍ଥନୈତିକ ପରାମର୍ଶଦାତା କମିଟିର ଅଧ୍ୟକ୍ଷ ଥିବା ଖ୍ୟାତନାମା ଅର୍ଥନୀତିବିତ୍ ସି. ରଙ୍ଗରାଜନଙ୍କ ଅଧ୍ୟକ୍ଷତାରେ ଏକ କମିଟି ବସାଯାଇଥିଲା । ଉକ୍ତ କମିଟିର ରିପୋର୍ଟ ଅନୁସାରେ ଯେଉଁ ବ୍ୟକ୍ତି ସହରରେ ଦିନକୁ ୪୭ ଟଙ୍କାରୁ କମ ଖର୍ଚ୍ଚ କରୁଥାଏ (ମାସକୁ ୧୪୦୭ ଟଙ୍କା ) ଓ ଗ୍ରାମାଂଚଳରେ ଦିନକୁ ୩୨ ଟଙ୍କାରୁ କମ୍ (ମାସକୁ ୯୭୨ଟଙ୍କା) ଖର୍ଚ୍ଚ କରୁଥାଏ, ତେବେ ତାକୁ ଗରିବ ଭାବରେ ବିବେଚନା କରାଯିବ । ଏହି କମିଟି ଅନୁସାରେ ୨୦୦୯-୧୦ରେ ଦେଶରେ ୩୮.୨ ଲୋକ (୪୫.୨ କୋଟି) ଗରିବ ଥିବା ବେଳେ ୨୦୧୧-୧୨ରେ ଏହି ସଂଖ୍ୟା ୨୯.୫ ଭାଗକୁ (୩୨.୩ କୋଟି) ଖସି ଆସିଥିଲା । ମୋଟ ଉପରେ ୨୦୦୯ରୁ ୨୦୧୨ମଧ୍ୟରେ ଦେଶରେ ଦରିଦ୍ରର ହାର କମି କମି ଆସୁଥିଲା ।
ଜାତୀୟ ସର୍ବେକ୍ଷଣ ସଂସ୍ଥା ବା ଏନ୍‌ଏସ୍‌ଏସ୍ ହାରାହାରି ଦୈନିକ ମୁଣ୍ଡପିଛା ଖର୍ଚ୍ଚ ହିସାବକୁ ନେଇ ଅର୍ଜୁନ ସେନଗୁପ୍ତା, ପିକେ କାନନ ଓ ଜି ରବିନ୍ଦ୍ରନ ଦର୍ଶାଇଛନ୍ତି ଯେ ୧୯୯୩-୧୯୯୪ , ୧୯୯୯-୨୦୦୦ ଓ ୨୦୦୪-୨୦୦୫ ମସିହାରେ ଭାରତରେ ଯଥାକ୍ରମେ ୮୧.୮, ୮୦.୭ ଓ ୭୨.୭ ଭାଗ ଲୋକ ଦାରିଦ୍ର‌୍ୟ ସୀମାରେଖା ତଳେ ଥିଲେ । ଆନ୍ତର୍ଜାତିକ ଦାରିଦ୍ର‌୍ୟ ସୀମାରେଖାକୁ ତୁଳନାକଲେ ଉପରୋକ୍ତ ଭାରତୀୟମାନଙ୍କର ଦୈନିକ ଖର୍ଚ୍ଚ ୨ ଡଲାରରୁ କମ୍‌ହେବ । ଏହି ଗରିବମାନଙ୍କ ମଧ୍ୟରେ ଶତକଡ଼ା ୪୧ ଭାଗ ଅତି ଗରିବ ଯେଉଁମାନଙ୍କର ହାରାହାରି ଦୈନିକ ମୁଣ୍ଡପିଛା ଖର୍ଚ୍ଚ ମାତ୍ର ୧୫ ଟଙ୍କା ବା ଏକ ଡଲାରରୁ କମ୍ । ଏସ୍‌. ତେନ୍ଦୁଲକର, ଓ.କେ. ସୁନ୍ଦରମ, ଗୌରବ ଦତ, ଅଭିଜିତ ସେନ, ଯଯାତୀ ଘୋଷ, ପିସି ଚନ୍ଦ୍ରଶେଖର ମଧ୍ୟ ଏନ୍‌.ଏସ୍‌.ଏସ୍ ତଥ୍ୟକୁ ଉଦ୍ଧାର କରି ଦର୍ଶାଇଥିଲେ ଯେ ଗତ ୭୦ ଓ ୮୦ଦଶକରେ ଭାରତରେ ଗରିବଙ୍କ ସଂଖ୍ୟା କମି ଆସୁଥିଲା । କିନ୍ତୁ ୯୦ ଦଶକପରେ ଗରିବଙ୍କ ସଂଖ୍ୟା କମିବା ବଦଳରେ ବୃଦ୍ଧି ପାଇବାରେ ଲାଗିଛି । ଏହି ସମୟରେ ଅର୍ଥନୈତିକ ନିଅଂଟ ପରିମାଣକୁ ହ୍ରାସ କରି ସଂସ୍କାରକୁ ତ୍ୱରାନ୍ୱିତ କରିବା ନାମରେ ଗ୍ରାମାଂଚଳରେ ପୁଞ୍ଜିନିବେଶ କମ୍ କରିବା, ଲୋକଙ୍କୁ ଆଗରୁ ଦିଆ ଯାଉଥିବା ଖାଦ୍ୟ ଉପରେ ସବସିଡି ଉଠାଇ ନେବା, କୃଷିରେ ଅଭିବୃଦ୍ଧି ହାର ନୈରାଶ୍ୟଜନକ ହେବା, ଗ୍ରାମାଂଚଳ ନିଯୁକ୍ତି ସୁଯୋଗ ସଙ୍କୁଚିତ ହେବା, ଖାଦ୍ୟର ଅତ୍ୟଧିକ ଦରବୃଦ୍ଧି ଘଟିବା ଆଦି ବିଷୟଗୁଡିକ ଗ୍ରାମାଂଚଳରେ ଦରିଦ୍ର ବୃଦ୍ଧିରେ ସାହାଯ୍ୟ କରିଛି । ଭାରତରେ ପ୍ରଚଳିତ ଉପଭୋକ୍ତା ପରିବ୍ୟାୟ ଜାତୀୟ ନମୁନା ସଂସ୍ଥା ବା ଏନ୍‌ଏସ୍‌ଏସ୍ ଓ ନିର୍ଦ୍ଦିଷ୍ଟ କ୍ୟାଲୋରୀ ଖାଦ୍ୟକୁ ନେଇ ଦରିଦ୍ର ନିରୂପଣ କରୁଥିଲେ । ସେହିପରି ବିଶ୍ୱବ୍ୟାଙ୍କ ପରି ଆନ୍ତର୍ଜାତିକ ସଂସ୍ଥାମାନେ ଆମେରିକୀୟ ଡଲାର ତୁଳନାରେ ପରଚେଜିଂ ପାୱାର ପରିଟୀ (ପିପିପି) ବା କ୍ରୟ ଶକ୍ତି ସମତା ଦୃଷ୍ଟିରୁ ଗୋଟିଏ ଦେଶରେ ଦ୍ରବ୍ୟସେବାର ମୂଲ୍ୟ କେତେ ହେବ, ତାକୁନେଇ ଦରିଦ୍ର ମାପୁଥିଲେ । ଆନ୍ତର୍ଜାତିକ ସ୍ତରରେ ୨୦୧୫ ମସିହାରେ ୧.୯୦ ଡଲାର ଗରିବରେଖା ଭାବରେ ସ୍ଥିର କରାଯାଇ ଥିଲା । ଅର୍ଥାତ ୧.୯୦ ଡଲାରରୁ କମ୍ ଖର୍ଚ୍ଚ କରୁଥିବା ଲୋକ ଦରିଦ୍ର ବୋଲି ଧରାଯାଉଥିଲା । ଏବେ ଦରଦାମ ବୃଦ୍ଧିନେଇ ଏହା ୧.୯୦ ଡଲାରରୁ ଅଧିକ ହେବ ଓ ସେହି ଅନୁପାତରେ ଭାରତରେ ଦରିଦ୍ରଙ୍କ ସଂଖ୍ୟା ଅଧିକ ହେବ । ଭରତ ସରକାର ଏବେ ଆଉ ଉପଭୋକ୍ତାଙ୍କ ଆୟ,ବ୍ୟୟ ହିସାବ ସଂଗ୍ରହ କରୁନାହାନ୍ତି । ଶେଷ ଉପଭୋକ୍ତା ଆୟବ୍ୟୟ ରିପୋର୍ଟ ଜୁଲାଇ ୨୦୧୭, ଓ ଜୁନ ୨୦୧୮ ମଧ୍ୟରେ ସଂଗ୍ରହ କରାଯାଇଥିଲା । ଦେଖାଗଲା ଯେ ଉପଭୋକ୍ତାମାନଙ୍କ ବ୍ୟୟ ସାଂଘାତିକ ଭାବରେ କମି ଚାଲିଛି । ତେଣୁ ଭାରତ ସରକାର ଉକ୍ତ ରିପୋର୍ଟକୁ ପ୍ରକାଶ କଲେ ନାହିଁ । ମାତ୍ର ଯୋଜନା କମିଶନକୁ ୨୦୧୫ ମସିହା ଜାନୁୟାରୀ ମାସରେ ଭାଙ୍ଗି ଦିଆଗଲା । ନ୍ୟାସନାଲ ଇନଷ୍ଟିଚ୍ୟୁଟ ଫର୍ ଟ୍ରାନସଫର୍ମିଙ୍ଗ ଇଣ୍ଡିଆ ବା ନୀତି ଆୟୋଗ ନାମକ ସଂସ୍ଥା ଗଠନ କରାଗଲା । ଯାହାକି ବର୍ତମାନ ଭାରତୀୟ ଅର୍ଥନୀତିର ନିର୍ଣ୍ଣାୟକ ସଂସ୍ଥା । ଉକ୍ତ ସଂସ୍ଥା ଦରିଦ୍ର କାହାକୁ କୁହାଯିବ, ଏହାକୁ ମାପିବାର ମାନଦଣ୍ଡ କଣ ହେବ; ସେସବୁ ବିଚାରକୁ ନନେଇ ମିଳିତ ଜାତିସଂଘର ବିକାଶ ଯୋଜନା ବା ୟୁ.ଏନ.ଡି.ପି ଓ ଅକ୍ସଫୋର୍ଡ ଦରିଦ୍ର ଓ ମାନବିକ ବିକାଶ ନେଇ ବହୁମୁଖୀ ଦରିଦ୍ର ସୂଚକାଙ୍କ ବା ମଲ୍ଟି-ଡାଇମେନସନାଲ ପୋଭର୍ଟି ଇନଡ଼େକ୍ସକୁ ସୂଚକାଙ୍କ ଭାବରେ ଗ୍ରହଣ କରି ଦରିଦ୍ରତା ମାପୁଛନ୍ତି । ଉକ୍ତ ପଦ୍ଧତି ଅନୁସାରେ ସ୍ୱାସ୍ଥ୍ୟ, ଶିକ୍ଷା ଓ ଜୀବନ ଧରଣର ମାନକୁ ମାନକ ହିସାବରେ ନିଆଯାଇଛି । ଉକ୍ତ ତିନୋଟି କ୍ଷେତ୍ରରୁ ୧୨ ଟି ବିଷୟକୁ ନେଇ ଦରିଦ୍ର ଆକଳନ କରାଯାଇଛି । ସେଗୁଡ଼ିକ ହେଲା ପୁଷ୍ଟିକର ଖାଦ୍ୟ, ଶିଶୁ ମୃତ୍ୟୁହାର, ଶିଶୁର ଯତ୍ନ , ବିଦ୍ୟାଳୟରେ ଶିକ୍ଷାବର୍ଷ . ବିଦ୍ୟାଳୟରେ ଉପସ୍ଥାନ, ରନ୍ଧନ ଇନ୍ଧନ, ପରିମଳ ବ୍ୟବସ୍ଥା, ବିଦ୍ୟୁତ ଯୋଗାଣ, ପିଇବା ପାଣି, ବାସଗୃହ, ମୂଲ୍ୟବାନ ସମ୍ପତି, ଓ ବ୍ୟାଙ୍କ ଖାତା । ଉପରୋକ୍ତ ତାଲିକାରୁ ଯଦି କୌଣସି ବ୍ୟକ୍ତି ୩ଟି ବା ତା’ଠାରୁ ଊର୍ଦ୍ଧ ସୂଚକାଙ୍କରୁ କେହି ବଂଚିତ ହୋଇଥାଏ, ତେବେ ତାକୁ ଗରିବ ଭାବରେ ଗଣନା କରାଯାଇଛି । ଉପରୋକ୍ତ ମାପକାଠିରେ ପୃଥିବୀରେ ୧୦୯ ଟି ଦେଶ ମଧ୍ୟରେ ଭାରତର ସ୍ଥାନ ୬୬ ରେ ଥିଲା । ଭାରତରେ୨୧.୯୨ ପ୍ରତିଶତ ଲୋକ ଦରିଦ୍ର ସିମାରେଖା ତଳେ ଥିବାବେଳେ ଓଡ଼ିଶାରେ ଏହା ୩୨.୫୯ ପ୍ରତିଶତ ଥିଲା ।

ଭାରତର ନୀତିଆୟୋଗ ଓ ମିଳିତ ଜାତିସଂଘର ବିକାଶ କାର୍ଯ୍ୟକ୍ରମ (ୟୁ.ଏନ.ଡି.ପି) ଗତ ଜାନୁୟାରୀ ୧୫ ତାରିଖରେ ଏକ ରିପୋର୍ଟରେ ଦର୍ଶାଇଛନ୍ତି ଯେ ଭାରତରେ ବିଭିନ୍ନ ଜନକଲ୍ୟାଣ ଯୋଜନା ମାଧ୍ୟମରେ ଭାରତ ସରକାର ୨୪ କୋଟି ୮୨ ଲକ୍ଷ ଲୋକଙ୍କୁ ବହୁମୁଖୀ ଦରିଦ୍ରତାରୁ ମୁକ୍ତ କରିଛନ୍ତି । ଉକ୍ତ ରିପୋର୍ଟ ଅନୁସାରେ ୨୦୧୩-୧୪ ଆର୍ଥିକ ବର୍ଷରେ ଦେଶରେ ୨୯.୧୭ ଭାଗ ଲୋକ ବହୁମୁଖୀ ଦାରିଦ୍ର‌୍ୟରେ ଥିବାବେଳେ ସେମାନଙ୍କ ସଂଖ୍ୟା ୨୦୨୨-୨୩ ଆର୍ôଥକବର୍ଷରେ ୧୧.୨୮ ଭାଗକୁ କମି ଆସିଲା । ଅର୍ଥାତ ବିଗତ ଏକ ଦଶନ୍ଧିରେ ୧୭.୮୯ ଭାଗ ଦାରିଦ୍ର‌୍ୟ ହ୍ରାସ ପାଇଛି । ରିପୋର୍ଟରେ ଏକଥା ମଧ୍ୟ ଦର୍ଶଯାଇଛି ଯେ ୨୦୩୦ ପୂର୍ବରୁ ସ୍ଥାୟୀ ବିକାଶ ଲକ୍ଷ୍ୟ (ସଷ୍ଟେନେବଲ ଡେଭଲପମେଂଟ) ହାସଲ କରିବା ପ୍ରାୟତଃ ନିଶ୍ଚିତ ହୋଇଛି । ରିପୋର୍ଟରେ ଦର୍ଶଯାଇଛି ଯେ ଭାରତ ସରକାରଙ୍କର ନିରବଛିନ୍ନ ପ୍ରଚେଷ୍ଟାରେ ବହୁମୁଖୀ ଦରିଦ୍ରତା ହ୍ରାସପାଇଛି । ରାଜ୍ୟମାନଙ୍କ ମଧ୍ୟରେ ସବୁଠାରୁ ବେଶୀ ଲୋକ ଉତରପ୍ରଦେଶ (୫.୯୩କୋଟି) ଦରିଦ୍ରମୁକ୍ତ ହୋଇଥିବାବେଳେ ଏହା ତଳକୁ ଅଛି ବିହାର (୩.୭୭କୋଟି), ମଧ୍ୟ ପ୍ରଦେଶ (୨.୩୦କୋଟି), ରାଜସ୍ଥାନ (୧.୮୭ କୋଟି ), ପଶ୍ଚିମବଙ୍ଗ(୧.୭୨କୋଟି), ମହାରାଷ୍ଟ୍ର (୧.୫୯କୋଟି) ଓ ଓଡିଶା(୧.୦୨) । ୨୦୨୩ରେ ମଧ୍ୟ ୟୁ.ଏନ.ଡି.ପି ଭାରତର ଦରିଦ୍ରତା ହ୍ରାସକୁ ପ୍ରଶଂସା କରିଥିଲା । ଭରତ ପୃଥିବୀର ସବୁଠାରୁ ଜନବହୁଳ ରାଷ୍ଟ୍ର । ଏହାର ଜନସଂଖ୍ୟା ୨୦୨୩ ଜୁନ ୧ ତାରିଖରେ ୧୪୨କୋଟି ୮୬ ଲକ୍ଷ ୨୭ ହଜାର ୬୬୩ଥିôଲା । ୨୦୦୫-୨୦୦୬ରେ ଭାରତରେ ୫୫.୧ ପ୍ରତିଶତ ଲୋକ ଦରିଦ୍ର ଥିଲେ । ୨୦୧୯-୨୧ ରେ ଏହା ୧୬.୪ ଭାଗକୁ ଖସି ଆସିଲା । ୨୦୦୫-୦୬ ରୁ ୨୦୧୫-୧୬ ବାର୍ଷିକ ୭.୬୯ ଭାଗ ହ୍ରାସ ହୋଇଥିବାବେଳେ ୨୦୧୫-୧୬ ରୁ ୨୦୧୯-୨୧ ମଧ୍ୟରେ ବାର୍ଷିକ ୧୦.୬୬ ଭାଗ ଦରିଦ୍ର ହ୍ରାସ ହୋଇଛି ଅର୍ଥାତ ରିପୋଟ ଦର୍ଶାଇବାକୁ ଚାହିଁଛି ଯେ ମନମୋହନ ସିଂଙ୍କ ସମୟ ଅପେକ୍ଷା ନରେନ୍ଦ୍ର ମୋଦୀଙ୍କ ପ୍ରଧାନମନ୍ତ୍ରୀତ୍ୱ କାର୍ଯ୍ୟକାଳରେ ବହୁମୁଖୀ ଦାରିଦ୍ର‌୍ୟ ଦ୍ରୁତଗତିରେ ହ୍ରାସ ପାଇଛି । ତେବେ ଯେଉଁ ତଥ୍ୟ ଓ ପରିସଂଖ୍ୟାନ ଉପରେ ଉକ୍ତ ଦୃଢ଼ୋକ୍ତି କରାଯାଇଛି, ସେଥିରେ ତ୍ରୁଟି ପରିଲକ୍ଷିତ ହୁଏ ।

୨୦୧୪ ମସିହାରୁ ଭରତ ସରକାରଙ୍କ ଏନ୍‌ଏସ୍‌ଏସ୍‌ଓ ସଂସ୍ଥା ଉପଭୋକ୍ତାମାନଙ୍କର ଖର୍ଚ୍ଚକୁ ନେଇ ତଥ୍ୟ ସଂଗ୍ରହ ବନ୍ଦ କରି ଦେଇଛନ୍ତି । ଏପରିକି ଜାତୀୟ ନମୁନା ସଂସ୍ଥାର ନାମ ପରିବର୍ତନ କରି ଏନ୍‌ଏସ୍‌ଓ ରଖାଯାଇଛି । ତେଣୁ କେନ୍ଦ୍ର ସରକାର ୨୪ କୋଟି ୮୨ଲକ୍ଷ ଲୋକ ବହୁମୁଖୀ ଦାରିଦ୍ର‌୍ୟରୁ ମୁକ୍ତ ହୋଇଥିବା କଥା ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ-୫ ୨୦୧୯-୨୧ ବା ଏନ୍‌ଏଫ୍‌ଏଚ୍‌ଏସ୍ ତଥ୍ୟ ଉପରେ ପର୍ଯ୍ୟବସିତ । ଏନ୍‌ଏଫ୍‌ଏଚ୍‌ଏସ୍‌-୪ ୨୦୧୫-୧୬ତଥ୍ୟ ଅନୁସାରେ ୨୪.୮୫ ପ୍ରତିଶତ ଲୋକ ବହୁମୁଖୀ ଦରିଦ୍ର ମଧ୍ୟରେ ଆସୁଥିଲେ । ଯାହାକି ଏନ୍‌ଏଫ୍‌ଏଚ୍‌ଏସ୍‌-୫ ୨୦୧୯-୨୧ ରେ ୧୪.୯୫ ପ୍ରତିଶତକୁ କମି ଆସିଥିଲା । ଫଳରେ ୧୩.୫କୋଟି ଲୋକ ଉକ୍ତ ୫ବର୍ଷ ମଧ୍ୟରେ ଦରିଦ୍ରତାରୁ ମୁକ୍ତ ହେଲେ । ୨୦୨୧ ପରବର୍ତୀ ସମୟରେ ଆଉ ଏନ୍‌ଏଫ୍‌ଏଚ୍‌ଏସ୍ ସର୍ଭେ ହୋଇନାହିଁ । ତେବେ ପୂର୍ବବର୍ଷମାନଙ୍କର ସର୍ଭେ ତଥ୍ୟ ନେଇ ଏବେ ୨୦୨୩ ରେ ବହୁମୁଖୀ ଦରିଦ୍ର ହ୍ରାସ ହେବାକଥା ଯାହା କୁହାଯାଉଛି, ତାହା ପରିସଂଖ୍ୟାନ ଦୃଷ୍ଟିରୁ ଯୁକ୍ତିଯୁକ୍ତ ନୁହଁ ।

ଏତଦବ୍ୟତୀତ ସରକାର ବହୁମୁଖୀ ଦରିଦ୍ରତା ମାପିବା ସମୟରେ୨୦୨୦ ରୁ ୨୦୨୧ କୋଭିଡି ମହାମାରୀ ସମୟର ତଥ୍ୟକୁ ବିଚାରକୁ ନେଇ ନାହାନ୍ତି । ଉକ୍ତ ସମୟରେ ବହୁ ସଂସ୍ଥା ସେମାନଙ୍କ ସର୍ଭେ ରିପୋର୍ଟରେ ଦେଶରେ ଦରିଦ୍ରତା ବିଶେଷ ଭାବରେ ବୃଦ୍ଧି ପାଇଥିବା କଥା ଦର୍ଶାଇଛନ୍ତି । ବିଶ୍ୱବ୍ୟାଙ୍କ ୨୦୨୨ରେ ତାଙ୍କର ଏକ ରିପୋର୍ଟରେ ଦର୍ଶାଇଛନ୍ତି ଯେ ୨୦୨୦ ମସିହାରେ କୋଭିିଡ଼ ମହାମାରୀ ସମୟରେ ପୃଥିବୀରେ ପ୍ରାୟତଃ ୮୦ ପ୍ରତିଶତ ଲୋକ ଦରିଦ୍ର ହୋଇଯାଇଥିଲେ । ସେମାନଙ୍କ ମଧ୍ୟରୁ ୫.୬ କୋଟି ଭାରତର ଥିଲେ । ସେହିପରି ହଙ୍ଗର ୱାଚ ରିପୋର୍ଟ ଦର୍ଶାଇଛି ଯେ କୋଭିଡ଼ ମହାମାରୀ ସମୟରେ ଦେଶରେ ଅର୍ଥନୀତି ଦୃଷ୍ଟିରୁ ଅନଗ୍ରସର ଲୋକଙ୍କ ଅବସ୍ଥାରେ ଯଥେଷ୍ଟ ଅବନତି ହୋଇଥିଲା । ୮୦ପ୍ରତିଶତ ଲୋକ ଖାଦ୍ୟ ନିରାପତ।। ହରାଇଥିଲେ । ୨୫ ପ୍ରତିଶତ ଲୋକ ଚରମ ଦରିଦ୍ରତା ମଧ୍ୟରେ ଭୋକ ଉପାସରେ ଦିନ କାଟୁଥିଲେ । ୬୭ ପ୍ରତିଶତ ରୋଷେଇ କରିବା ନିମନ୍ତେ ଇନ୍ଧନ ପାଇ ନଥିଲେ । ପିୟୁ ରିସର୍ଚ ସେଂଟର ଦର୍ଶାଇଛି ଯେ ୨୦୨୨ ମସିହାରେ ୭୫ ମିଲିୟନରୁ ଅଧିକ ଲୋକ ଦରିଦ୍ର ମଧ୍ୟକୁ ଚାଲି ଯାଇଥିଲେ । ୨୦୨୦ ମସିହାରେ ବିଶ୍ୱରେ ଥିବା ଗରିବମାନଙ୍କ ମଧ୍ୟରୁ ୬୦ ଭାଗ କେବଳ ଭାରତରେ ଥିଲେ । ଅଜିମ ପ୍ରେମ୍ଜୀ ୟୁନିଭରସିଟିର ତଥ୍ୟ ଅନୁସାରେ ମାର୍ଚ୍ଚରୁ ଅକ୍ଟୋବର ୨୦୨୦ ରେ ବିଭିନ୍ନ ପରିବାରମାନେ ୨୨ ଭାଗ ଆୟ ହରାଇଥିଲେ ଓ ଗରିବ ପରିବାରମାନେ ସବୁଠାରୁ ଅଧିକ ଆୟ ହରାଇ ଗରିବ ହୋଇଯାଇଥିଲେ ।

୨୦୨୩ ମସିହାରେ ପ୍ରକାଶିତ ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ବା ବିଶ୍ୱ କ୍ଷୁଧା ସୂଚକାଙ୍କରେ ଭାରତ ୧୨୫ ଟି ଦେଶ ମଧ୍ୟରୁ ୧୧୧ ତମ ସ୍ଥାନରେ ଥିଲା । ଉକ୍ତ ସୂଚକାଙ୍କରେ ଏହା ୨୦୨୨ ମସିହାରେ ୧୨୧ ଟି ଦେଶ ମଧ୍ୟରୁ ୧୦୭ ସ୍ଥାନରେ ଥିଲା ଅର୍ଥାତ ଏକବର୍ଷ ମଧ୍ୟରେ ଏହା ୪ଟି ସ୍ଥାନକୁ ଖସି ଆସିଛି । ୨୦୨୧ ମସିହାରେ ଭରତ ୧୦୧ ତମ ସ୍ଥାନରେ ଓ ୨୦୨୦ ମସିହାରେ ଭାରତର ୯୪ ତମ ସ୍ଥାନରେ ଥିଲା । ଏହିପରି ଭାବରେ ଭାରତରେ କ୍ଷୁଧାତୁର ଲୋକଙ୍କ ସଂଖ୍ୟା ଦିନକୁଦିନ ବୃଦ୍ଧି ପାଉଛି । ଅବଶ୍ୟ ଭାରତ ସରକାର ଉକ୍ତ ରିପୋର୍ଟକୁ ଅସ୍ୱୀକାର କରି ଚାଲିଛନ୍ତି । କିନ୍ତୁ ଭାରତ ସରକାର ଅସ୍ୱୀକାର କଲେ ଯେ ଦେଶରୁ କ୍ଷୁଧା,ଦରିଦ୍ରତା ଦୂର ହୋଇଯିବ; ସେକଥା ନୁହଁ । ସରକାରଙ୍କର କହିବା ଅନୁସାରେ ଯଦି୨୫ କୋଟି ଲୋକ ବହୁମୁଖୀ ଦରିଦ୍ରତାରୁ ମୁକ୍ତ ହେଲେ, ତେବେ ବିଶ୍ୱ କ୍ଷୁଧା ସୂଚକାଙ୍କରେ ଭାରତ ଦିନକୁଦିନ ତଳକୁ ଖସିବାର କାରଣ କଣ ହୋଇପାରେ? ଦେଶରେ ୮୦ କୋଟି ଲୋକଙ୍କୁ ମାଗଣା ଖାଦ୍ୟଶସ୍ୟ କାହିଁକି ଯୋଗାଇ ଦିଆଯାଉଛି?

ମିଳିତ ଜାତିସଂଘର ୟୁଏନଡିପି ପ୍ରତିବର୍ଷ ବିଶ୍ୱ ହ୍ୟୁମାନ ଡେଭେଲପମେଣ୍ଟଂଟ ଇଣ୍ଡେକ୍ସ ବା ମାନବ ବିକାଶ ସୂଚକାଙ୍କ ପ୍ରକାଶ କରୁଛି । ୨୦୨୧ ମସିହାରେ ବିଶ୍ୱର ୧୯୧ ଦେଶ ମଧ୍ୟରେ ଭାରତ ୧୩୨ ସ୍ଥାନରେ ଥିଲା । ଭାରତର ଏପରି ନୈରାଶ୍ୟଜନକ ସ୍ଥିତି ନିମନ୍ତେ ଦେଶରେ ଥିବା ଦାରିଦ୍ର, ବେକାରୀ, ମୁଦ୍ରାସ୍ଫୀତି, ଆୟରେ ଓ ସମ୍ପତି ବଂଟନରେ ବୈଷମ୍ୟ ବିଶେଷଭାବରେ ଦାୟୀ । ସେହିପରି ଆନ୍ତର୍ଜାତୀୟ ସ୍ୱେଚ୍ଛାସେବୀ ସଂସ୍ଥା ‘ଅକ୍ସଫାମ୍‌’ ପକ୍ଷରୁ ବିଶ୍ୱରେ ଆର୍ôଥକ ବିଷମତା ନେଇ ରିପୋର୍ଟ ପ୍ରକାଶ କରାଯାଇଥାଏ । ୨୦୨୨ ମସିହାରେ ‘ଇନ୍‌ଇକ୍ୱାଲିଟୀ କିଲ୍ସ୍‌’ ‘ଅସମାନତାର ହତ୍ୟା’ ନାମରେ ଯେଉଁ ରିପୋର୍ଟ ପ୍ରକାଶ ପାଇଛି ସେଥିରେ କୋଭିଡ ମହାମାରୀ ସମୟରେ ୮୫ ପ୍ରତିଶତ ଲୋକଙ୍କର ଆୟ କମିଯାଇଥିଲା ବେଳେ ଭାରତରେ ବିଲିୟନାର ମାନଙ୍କର ୧୦୦ କୋଟିରୁ ଊର୍ଦ୍ଧ ସମ୍ପତି ଥିବା ବ୍ୟକ୍ତି ସଂଖ୍ୟା ୧୦୨ ରୁ ୧୪୨ କୁ ବୃଦ୍ଧି ପାଇଥିଲା । ଗତ ଦୁଇ ବର୍ଷ ମଧ୍ୟରେ ବିଲିୟନରମାନଙ୍କର ସମ୍ପତି ୨୩.୧୪ ଲକ୍ଷ କୋଟିରୁ ବୃଦ୍ଧି ଘଟି ୫୩.୧୬ ଲକ୍ଷ କୋଟି ଟଙ୍କାରେ ପହଁଚି ଥିବାବେଳେ ସମୁଦାୟ ଜନସଂଖ୍ୟାର ୪ କୋଟି ୬୦ ଲକ୍ଷ ଭାରତୀୟ ଅତି ଦରିଦ୍ର ଅବସ୍ଥାକୁ ଚାଲି ଆସିଥିଲେ । ୨୦୨୩ ମସିହାରେ ଅକ୍ସଫାମ ଯେଉଁ ରିପୋର୍ଟ ପ୍ରକାଶ କରିଛି ସେଥିରେ ଦର୍ଶାଯାଇଛି ଯେ ଗତ ୧୦ ବର୍ଷ ମଧ୍ୟରେ ଯେଉଁ ସମ୍ପତି ସୃଷ୍ଟି ହୋଇଛି ତାର ୪୦.୬ ପ୍ରତିଶତ କେବଳ ଉପର ୧ ଭାଗ କେବଲ ଧନୀ ଲୋକଙ୍କ ପାଖରେ ଠୁଳ ହୋଇଛି । ତଳେଥିବା ୫୦ ପ୍ରତିଶତ ଲୋକଙ୍କ ପାଖରେ କେବଳ ୩ ପ୍ରତିଶତ ସମ୍ପତି ରହିଛି । ଦେଶ ମଧ୍ୟରେ ଧନୀ ଆହୁରି ଧନୀ ହେଉଥିବାବେଳେ ଗରିବ ଆହୁରି ଗରିବ ହେଉଛି ।

୧୯୭୦ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧୀ ଦେଶରୁ ‘ଦରିଦ୍ର ହଟାଓ’ ନିମନ୍ତେ ସ୍ଲୋଗାନ ଦେଇ ନିର୍ବାଚନ ବୈତରଣୀ ପାର ହୋଇଥିଲେ । କିନ୍ତୁ ଦେଶରୁ ଦରିଦ୍ର ଦୂର ହୋଇନଥିଲା । ବର୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣିଥରେ ସେହି ଗରିବ ଦୂର କରିବାନେଇ ଅନ୍ୟ ଭାଷାରେ ‘ମୋଦିକି ଗ୍ୟାରେଂଟି କହି ସଂସଦରେ ଯଦି ସେ ତୃତୀୟଥର ନିମନ୍ତେ ନିର୍ବାଚିତ ହୁଅନ୍ତି, ତେବେ ଦେଶ ଦରିଦ୍ରମୁକ୍ତ ହେବା ନେଇ ଦୃଢ଼ୋକ୍ତି କରିଛନ୍ତି । କିନ୍ତୁ ତାଙ୍କ ସମୟରେ ହିଁ ଦେଶରେ କ୍ରମବର୍ଦ୍ଧିଷ୍ଣୁ ବେରୋଜଗାରୀ, ବେକାରୀ, ସାମାଜିକ ଓ ଅର୍ଥନୈତିକ ଅସମାନତା, ଆକାଶଛୁଆଁ ଦରଦାମ ବୃଦ୍ଧି ହୋଇଛି । ଏ ସମସ୍ତ କାରଣଗୁଡିକ ପରସ୍ପର ସହିତ ଜଡ଼ିତ ଓ ଦେଶରେ ଦରିଦ୍ରତା ବୃଦ୍ଧିର ପ୍ରମୁଖ କାରଣ ।

୨୦୨୨ ମସିହା ଜୁଲାଇ ମାସ ତୃତୀୟ ସପ୍ତାହରେ ଭାରତର ସଂସଦରେ ଦରଦାମ କ୍ରମାନ୍ୱୟରେ ଅନିୟନ୍ତ୍ରିତ ରହିବା ଓ ଅତ୍ୟାବଶ୍ୟକ ସେବା ଓ ଦ୍ରବ୍ୟ ଉପରେ ଦ୍ରବ୍ୟ ଓ ସେବା କର ବା ଜିଏସଟି ବୃଦ୍ଧି କରିବା ଓ କେତେକ ନୂତନ ସେବା ଓ ଦ୍ରବ୍ୟ ଉପରେ କର ବୃଦ୍ଧିକରିବା ନେଇ ବିରୋଧିଦଳ ମାନଙ୍କର ପ୍ରତିବାଦ ଓ ପ୍ରତିରୋଧରେ ସଂସଦ ଅଚଳ ହୋଇଯାଇଥିଲା । ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିବା ନେଇ ରିଜର୍ଭ ବ୍ୟାଙ୍କ ବିଫଳ ହୋଇଛି । ଦେଶରେ ଦ୍ରୁତ ଗତିରେ ବେକାରୀ ଓ ବେରୋଜଗାରୀ ବୃଦ୍ଧି ପାଉଛି । ଏହାସହିତ ଆୟ ଓ ସମ୍ପତି ବଂଟନରେ ଗଭୀର ତାରତମ୍ୟ ବୃଦ୍ଧି ପାଉଛି । ଉପରଲିଖିତ ବିଭିନ୍ନ ସଂସ୍ଥା ଦେଶରେ ଦରିଦ୍ରତା ଓ ଅସମାନତା ବୃଦ୍ଧି ନେଇ ଯେଉଁ ଆକଳନ କରିଛନ୍ତି ସେ ସମସ୍ତଙ୍କୁ ଅଣଦେଖା କରି ଦେଶରେ ୨୦୨୧ର ଜନଗଣନା ନ କରି, ଦେଶରେ ଆୟ ଓ ଉପଭୋକ୍ତାମାନଙ୍କର ବ୍ୟୟ ନେଇ ପୂର୍ବରୁ ଚାଲିଆସୁଥିବା ପରିସଂଖ୍ୟାନକୁ ବନ୍ଦ କରି କେବଳ ବହୁମୁଖୀ ଦରିଦ୍ର ସୂଚକାଙ୍କକୁ ନେଇ ଦେଶରୁ ୨୫ କୋଟି ଲୋକ ଦରିଦ୍ରତାରୁ ମୁକ୍ତ ହୋଇଗଲେ କହିବା ବାହାସ୍ଫୋଟ କେବଳ । କାରଣ ଉକ୍ତ ପଦ୍ଧତି ସରକାର କଣ କଣ ସୁବିଧା ଦେଉଛନ୍ତି ଦର୍ଶାଇଥାଏ । ଉପଭୋକ୍ତା ସେ ସୁବିଧା ପ୍ରକୃତରେ ଉପଭୋଗ କରୁଛିକି ନାହିଁ ଦର୍ଶାଇ ନଥାଏ । ତେଣୁ ଦରିଦ୍ରତା ମାପିବା ସକାଶେ ବହୁମୁଖୀ ଦରିଦ୍ର ସୂଚକାଙ୍କକୁ ଉପଭୋକ୍ତା ମାନଙ୍କ ଆୟ-ବ୍ୟୟ ପରିସଂଖ୍ୟାନ ସହିତ ଏକ ସହଯୋଗୀ ଭାବରେ ନେଇ ଦରିଦ୍ରତା ମପାଯାଉ । ପରିସଂଖ୍ୟାନ ରାଜନୀତିଠାରୁ ପରିସଂଖ୍ୟାନକୁ ଅଲଗା କରାଯାଉ ।


Discover more from

Subscribe now to keep reading and get access to the full archive.

Continue reading