- ସହର ରାସ୍ତାରେ ହେଉଛି ବେଆଇନ୍ ପାର୍କିଂ
- ସ୍ପିଡ୍ ଗଭର୍ନାନ୍ସ ନ ଥାଇ ବି ମିଳୁଛି ଫିଟ୍ନେସ୍
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଦେଇ ଯାଇଥିବା ବିଭିନ୍ନ ରାଜ୍ୟପଥ, ସହର ପଥ, ଗ୍ରାମପଥରେ ଦ୍ରୁତଗତି ଓ ବେପରୁଆ ଗାଡ଼ି ଚାଳନା ଯୋଗୁ ଗତ ୬ ମାସ ଭିତରେ ୭ରୁ ଅଧିକ ମୁଣ୍ଡଗଡ଼ିଥିବା ବେଳେ ଅନେକ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ବେପରୁଆ ଓ ଦ୍ରୁତ ଗାଡ଼ି ଚାଳନା ହିଁ ଦୁର୍ଘଟଣାର କାରଣ ବୋଲି ବିଭିନ୍ନ ମହଲରୁ ଅଭିଯୋଗ ହେଉଛି । ବେପରୁଆ ଗାଡ଼ି ଚାଳନା, ରାସ୍ତାକଡ଼ରେ ବେଆଇନ୍ ପାର୍କିଂ, ସ୍ପିିଡ୍ ଗଭର୍ନାନ୍ସ ନ ଥାଇ ଫିଟ୍ନେସ୍ ସାର୍ଟିଫିକେଟ୍ ମିଳିବା ଓ ଜବରଦଖଲ ପାଇଁ ଦୁର୍ଘଟଣା ଘଟି ଧନ ଜୀବନକ୍ଷୟକ୍ଷତିର କାରଣ ପାଲଟିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।
ସାମାଜିକକର୍ମୀ ପ୍ରବିର ନାୟକ କୁହନ୍ତି ଦ୍ରୁତ ଗାଡ଼ି ଚାଳନା କାରଣରୁ ଅଧିକାଂଶ ଦୁର୍ଘଟଣା ଘଟୁଛି । ଏହା ଉପରେ ରୋକ୍ ଲଗାଇବାକୁ ଯାତ୍ରୀ ଓ ମାଲ ପରିବହନ ଗାଡ଼ିରେ ସ୍ପିଡ୍ ଗଭର୍ନାନ୍ସ ଲଗାଇବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ସ୍ପିିଡ୍ ଗଭର୍ନାନ୍ସ ନ ଥିଲେ ଫିଟ୍ନେସ୍ ସାର୍ଟିଫିକେଟ୍ ମିଳିବ ନାହିଁ । ତେବେ ଏହା କେବଳ ନିୟମ ଭିତରେ ସୀମିତ ରହିଛି । କେବଳ ଫିଟନେସ୍ ସାର୍ଟିଫିକେଟ୍ ପାଇଁ ସ୍ପିଡ୍ ଗଭର୍ନାନ୍ସ ଲାଗୁଛି । ପରେ ଏହା କାମ କରୁଛି କି ନାହିଁ କେହି ଯାଂଚ କରୁନାହାନ୍ତି । ପୁଣି ଥରେ ଫିଟନେସ୍ ପଞ୍ଜୀକରଣ କରିବାକୁ ଆସିଲେ ଦରକାର ହେଉଛି ସିଡ୍ ଗଭର୍ନାନ୍ସ । ଫିଟନେସ୍ ସାର୍ଟିଫିକେଟ୍ ନେବା ପରେ ଗାଡ଼ି ମାଲିକ ଓ ଡ୍ରାଇର୍ଭ ମାନେ ସ୍ପିଡ୍ ଗଭର୍ନାନ୍ସକୁ ଗୁରୁତ୍ୱ ଦେଉନାହାନ୍ତି । ଯାହାଫଳରେ ଗାଡ଼ିର ବେଗ ନିୟନ୍ତ୍ରିତ ହୋଇପାରୁନି ଏବଂ ଦ୍ରୁତ ଗତି ଯୋଗୁ ଗାଡ଼ି ଦୁର୍ଘଟଣାଗସ୍ତ ହେଉଛି ।
କେନ୍ଦ୍ରାପଡା ଜିଲାରେ ୨୫୧୮ ଟ୍ରକ୍ (ଅନରୋଡ଼) ପଞ୍ଜୀକୃତ ଅଛନ୍ତି । ୭୦ ଯାତ୍ରୀ ପରିବହନ ବସ୍ (ଅନରୋଡ୍) ଥିବା ବେଳେ ୨୫୭୬ ଅଟୋ ପଞ୍ଜୀକୃତ ଅଛନ୍ତି । ଏସବୁ ଗାଡିିକୁ ଛାଦିଦେଲେ ଅଲଗାକାର ଆଦି ଗାଡ଼ିରେ ସ୍ପିଡ୍ ଗଭର୍ନାନ୍ସ ଲାଗିଥିବା ଆରଟିଓ ଧିରେନ୍ଦ୍ର କୁମାର ନାୟକ କହିଛନ୍ତି । ହେଲେ କେତେ ଗାଡ଼ିରେ ସ୍ପିଡ୍ ଗଭର୍ନାନ୍ସ କାମ କରୁଛି ଏବଂ କେତେ ଗାଡ଼ିରେ କାମ କରୁନି ତାହାର ତଥ୍ୟ ନ ଥିବା ସେ କହିଛନ୍ତି । ଓଭର ସ୍ପିଡ୍ ଗାଡ଼ି ଚଳାଇଲେ ମକଦ୍ଦମା ରୁଜୁ କରାଯାଉଛି । ପ୍ରତ୍ୟେକ ମାସରେ କିଛିନା କିଛି ଗାଡ଼ି ବିରୋଧରେ ମାମଲା କରାଯାଉଛି ବୋଲି ଆରଟିଓ କହିଛନ୍ତି ।
ଲକ୍ଷ୍ମୀକାନ୍ତ ନାୟକ କୁହନ୍ତି ଜିଲାରେ ଗତବର୍ଷ ଫିଟନେସ୍ ପାଇଁ ଆସିଥିବା କେତେକ ଗାଡ଼ିର ସିଡ୍ ଗଭର୍ନାନ୍ସ ନ ଥିଲା । ତେଣୁ ଉକ୍ତ ଗାଡିଗୁଡିକର ଫିଟନେସ ପାଇଁ ଗ୍ରହଣ କରାଯାଇନଥିଲା ବୋଲି ଆରଟିଓଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି । ପରିବହନ ବିଭାଗ ନିର୍ଦ୍ଦେଶନାମା ଅନୁଯାୟୀ ବିଭିନ୍ନ ରୋଡ଼ ପାଇଁ ବେଗ ନିର୍ଦ୍ଧାରଣ କରାଯାଇଛି । ଏହା ଅନୁଯାୟୀ ଗାଡ଼ିର ସ୍ପିଡ୍ ରହିବ । କିନ୍ତୁ ଏହି ନିୟମକୁ କେହି ମାନୁନାହାନ୍ତି । ଗାଡ଼ିର ସ୍ପିଡ୍ ଜାତୀୟ ରାଜପଥରେ ୮୦ ରୁ ୧୦୦ ରାଜ୍ୟପଥରେ ୬୦ ରହିବାକୁ ଥିବା ବେଳେ ଆଂଚଳିକ ରାସ୍ତାରେ ୨୦ରୁ ୪୦ ଭିତରେ ରହିବା କଥା । କିନ୍ତୁ ପଟ୍ଟାମୁଣ୍ଡାଇ ଅଂଚଳରେ ଓଭର ସ୍ପିଡିଂ, ବେପରୁଆ ଡ୍ରାଇଭିଂ, ମଦ୍ୟପାନ କରି ଗାଡ଼ି ଚାଳନା ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁର ବଡ଼ କାରଣ ପାଲଟିଛି । କେନ୍ଦ୍ରାପଡା-ପଟ୍ଟାମୁଣ୍ଡାଇ, ପଟ୍ଟାମୁଣ୍ଡାଇ-ଆଳି ଓ ପଟ୍ଟାମୁଣ୍ଡାଇ-ରାଜନଗର ରାସ୍ତାରେ ବହୁ ଦୃର୍ଘର୍ଟଣା ଘଟୁଛି ।
ପ୍ରଫୁଲ୍ଲ ଦାଶ କୁହନ୍ତି ରାଜ୍ୟରେ ଦିନକୁ ହାରାହାରି ୩୨ଟି ସଡ଼କ ଦୁର୍ଘଟଣା ଘଟୁଥିବା ବେଳେ ସେଥିରୁ ୧୫ ଜୀବନ ଚାଲିଯାଉଛି । ୨୦୨୩ରେ ଏନସିଆରବି ଦ୍ୱାରା ପ୍ରକାଶିତ ସଦ୍ୟତମ ରୋଡ୍ ଆକ୍ସିଡେସ୍ ଆଣ୍ଡ ସୁଇସାଇଡ୍ ଇନ୍ ଇଣ୍ଡିଆ ରିପୋର୍ଟର ତଥ୍ୟ ଅନୁଯାଇ ୨୦୨୨ରେ କେବଳ ଓଭର ସ୍ପିଡିଂ ଯୋଗୁଁ ରାଜ୍ୟରେ ୩ ହଜାର ୬୬୬ ଜଣଙ୍କ ଜୀବନ ଯାଇଛି । ବେପରୁଆ ଗାଡ଼ି ଚାଳନା ୪୪୬ ଜଣଙ୍କ ଜୀବନ ନେଇଥିବା ବେଳେ ଏହାମଧ୍ୟରୁ ଗାଡ଼ି ଚାଳନା ବେଳେ ମୋବାଇଲ ଫୋନ୍ ବ୍ୟବହାର ୧୨୦ ଜଣଙ୍କ ମୃତ୍ୟୁର କାରଣ ପାଲଟିଛି । ସେହିପରି ଡ୍ରଗ୍ସ ଓ ମଦ୍ୟପାନ କରି ଗାଡ଼ି ଚାଳନା ଯୋଗୁଁ ୩୩୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସଡ଼କ ଭିତିଭୂମି ଅଭାବରୁ ୩୪ ଜଣ, ରାସ୍ତାକଡ଼ରେ ଗାଡ଼ି ପାର୍କିଂ ଯୋଗୁ ୧୩ ଜଣଙ୍କ ମୃତ୍ୟୁ ହୋଇଛି । ୭୩ଟି ମୃତ୍ୟୁର କାରଣ ଅସ୍ପଷ୍ଟ ଅଛି ।