କେନ୍ଦ୍ରାପଡା, ୨/୬: ଥେରାପି ସେବା ଓ ଭିନ୍ନକ୍ଷମଙ୍କ ସହାୟତା କ୍ଷେତ୍ରରେ ଦୀର୍ଘ ଏକ ଦଶନ୍ଧିରୁ ଉର୍ଦ୍ଧ୍ୱକାଳ କେନ୍ଦ୍ରାପଡ଼ା ଜିଲ୍ଲାର ସକ୍ରିୟ ଅନୁଷ୍ଠାନ ପୁନର୍ବାସ ପକ୍ଷରୁ ଏକ ସ୍ୱତନ୍ତ୍ର ମହିଳା ଓ ଶିଶୁ ଥେରାପି କକ୍ଷ ମାଧପୁରସ୍ଥିତ ଥେରାପି କେନ୍ଦ୍ରଠାରେ ଲୋକାର୍ପିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଜିଲ୍ଲାର ସୁନାମଧନ୍ୟ ଚିକିତ୍ସକ ଡା. ବିଶ୍ୱପ୍ରକାଶ କାନୁନଗୋ ଓ ଡା. ସ୍ନେହଲତା କାନୁନଗୋ ଯୋଗଦେଇ ଏହି କକ୍ଷର ଶୁଭ ଲୋକାର୍ପଣ କରିଥିଲେ । ମୁଖ୍ୟ ଉପଦେଷ୍ଟା ଡକ୍ଟର ବିରଜା ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଯୋଜନା ଓ ପରିସଂଖ୍ୟାନ ଅଧିକାରିଣୀ ପୁଷ୍ପାଞ୍ଜଳି ପଣ୍ଡା, ଜିଲ୍ଲା ଶିଶୁ ସୁରକ୍ଷା କମିଟିର ଅଧ୍ୟକ୍ଷା ସ୍ୱାଗତିକା ପାତ୍ର, ୧୦ନମ୍ବର ୱାର୍ଡ଼ କାଉନସିଲର ରଶ୍ମିତା ସିଂ, କବିୟତ୍ରୀ ନବଜ୍ୟୋତି ରାୟ ଉପସ୍ଥିତ ରହି ଏହି ସ୍ୱତନ୍ତ୍ର କକ୍ଷ ମହିଳାମାନଙ୍କୁ ସଂକୋଚମୁକ୍ତ ଓ ନିରାପଦ ଥେରାପି ସେବା ପ୍ରଦାନରେ ବିଶେଷ ସହାୟକ ହେବ ବୋଲି ମତ ପ୍ରକାଶ କରିଥିଲେ । ଏହି କକ୍ଷଟିରେ ଅତ୍ୟାଧୁନିକ ଥେରାପି ସେବାର ସମସ୍ତ ସୁବିଧା ଉପଲବ୍ଧ ସହିତ ଜଣେ ମହିଳା ସହାୟିକା ନିୟୋଜିତ ରହିଛନ୍ତି ବୋଲି ଉପସଭାପତି ଜ୍ୟୋତିରଞ୍ଜନ ନାୟକ ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମରେ ସହସମ୍ପାଦକ ବଂଶୀଧର ମହାନ୍ତି, କାଉନସିଲର ସଞ୍ଜୀବ ଜେନା, ମହମ୍ମଦ ଜାହିଦ ଖାଁ, ଶେଷଦେବ ଦାସ ଓ ପୁନର୍ବାସର ସମସ୍ତ ଥେରାପିଷ୍ଟ ଏବଂ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।