
କେନ୍ଦ୍ରାପଡା ୧୯/୭- କେନ୍ଦ୍ରାପଡା ଏକ ପୁରାତନ ସହର ହୋଇଥିବାବେଳେ ଅଣ ଓସାରିଆ ରାସ୍ତାକୁ ବ୍ୟବସାୟୀମାନେ ଜବରଦଖଲ କରି ସଙ୍କୁଚିତ କରୁଛନ୍ତି । ବିଭିନ୍ନ ଛକ ଏବଂ ଗୁରୁତ୍ୱପୂର୍ଣ୍ଣ ସ୍ଥାନରୁ ଜିଲ୍ଲା ତଥା ପୌର ପ୍ରଶାସନ ଜବରଦଖଲ ହଟାଇ ସହରକୁ ସରସ ସୁନ୍ଦର କରିବାକୁ ଉଦ୍ୟମ ଆରମ୍ଭ କରିଛି । ନୂଆ ବସ୍ଷ୍ଟାଣ୍ଡ ଉପରେ ଥିବା ଦୋକାନଘର ଗୁଡିକୁ ପୌରସଂସ୍ଥା ଏକଦିନିଆ ନୋଟିସ ଦେଇ ଜବରଦଖଲ ହଟାଇଛି । ପୁରୁଣା ମୋଟର ଷ୍ଟାଣ୍ଡର ସୌନ୍ଦର୍ଯ୍ୟକରଣ ନିମନ୍ତେ ଏଠାରେ ଥିବା କେତେକ ଦୋକାନ ଘରକୁ ହଟାଇ ଦେବା ପାଇଁ ପୌର ପ୍ରଶାସନ ଅବଗତ କରାଇଥିଲା । ନୂଆ ବସ୍ଷ୍ଟାଣ୍ଡ ଜବରଦଖଲ ହଟିଲା ପରେ ଏମାନଙ୍କ ମନରେ ଛନକା ପଶିଯାଇଛି । ଯାହାଫଳରେ ଦୋକାନୀମାନେ ସ୍ୱତଃପୂର୍ତ୍ତଭାବେ ଦୋକାନ ଖାଲି କରି ଛାତ ଉଠାଇ ନେଇଛନ୍ତି । ଏମାନଙ୍କୁ ଯଥେଷ୍ଟ ସମୟ ଦିଆଯାଇଥିବାବେଳେ ନୂଆ ବସ୍ଷ୍ଟାଣ୍ଡ ବ୍ୟବସାୟୀମାନଙ୍କୁ ଏକଦିନିଆ ନୋଟିସ କରାଯାଇଥିବାରୁ ଏମାନେ କ୍ଷୋଭ ପ୍ରକାଶ କରିଛନ୍ତି ।











