ବଦଳି ଆଦେଶକୁ ଖାତିର ନ କରି ଗାଦି ଛାଡୁ ନଥିବା ରାଜନୀତି ବିଜ୍ଞାନ ଅଧ୍ୟାପକଙ୍କୁ କୈଫିୟତ ତଲବ


 

 

କେନ୍ଦ୍ରାପଡ଼ା,୨୨ା୭: କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ ଓଳାଭର ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ଜନୈକ ଅଧ୍ୟାପକଙ୍କର ସେହି ବ୍ଲକ ଅନ୍ତର୍ଗତ ଏସ.ଏନ. ମହାବିଦ୍ୟାଳୟକୁ ବଦଳି ହୋଇଥିବା ବେଳେ ସେ ଗାଦି ଛାଡୁନଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଫଳରେ ସେଠାରେ ଛାତ୍ର ଅଶାନ୍ତି ସୃଷ୍ଟି ହେବା ସହ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଠପଢାରେ ଗୁରୁତ୍ତର ବ୍ୟାଘାତ ସୃଷ୍ଟି ହେବାର ସମ୍ଭାବନା ସୃଷ୍ଟି ହୋଇଥିଲା । ଅଭିଯୋଗ ପାଇବା ପରେ ଜିଲ୍ଲାପାଳ ଏସମ୍ପର୍କରେ ଉଚ୍ଚଶିକ୍ଷା ବିଭାଗକୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଜଣାଇଥିଲେ । ଏବେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସଂପୃକ୍ତ ଅଧ୍ୟାପକଙ୍କୁ ପତ୍ରସଂଖ୍ୟା- ୩୦୮୭୦ ୨୧.ଜୁଲାଇ୨୦୨୩ ରେ ବିଭାଗୀୟ ନିର୍ଦେଶନାମାକୁ ଅବଜ୍ଞା କରିବା କୈଫିୟତ ମଗାଯାଇଥିବା ସୂଚନା ମିଳିଛି । ବିଭାଗୀୟ ନିର୍ଦେଶନାମାକୁ ଅବଜ୍ଞା କରିଥିବାରୁ ତାଙ୍କ ବିରୋଧରେ କାହିଁକି ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ ଏହିପତ୍ର ପାଇବାର ୭ଦିନ ମଧ୍ୟରେ କୈଫିୟତ ପ୍ରଦାନ କରିବାକୁ ଉଚ୍ଚଶିକ୍ଷା ବିଭାଗର ସ୍ୱରନ୍ତ୍ର ଶାସନ ସଚିବ ନିର୍ଦେଶ ଦେଇଛନ୍ତି । ଏଥିସହିତ ଏହି ଅଧ୍ୟାପକଙ୍କୁ ତୁରନ୍ତ ଭାରମୁକ୍ତ କରିଦେବାକୁ ସଂପୃକ୍ତ ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତିଙ୍କୁ ଉଚ୍ଚଶିକ୍ଷା ବିଭାଗର ସ୍ୱରନ୍ତ୍ର ଶାସନ ସଚିବ ନିର୍ଦେଶ ଦେଇଛନ୍ତି । ସୂଚନା ଅନୁଯାୟୀ ଓଡିଶା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ସଂଖ୍ୟା- ୨୪୭୫୩ /୯.୦୬.୨୦୨୩ରେ ଓଳାଭର ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ଜନୈକ ଅଧ୍ୟାପକଙ୍କର ପ୍ରଶାସନିକ ଦୃଷ୍ଟିକୋଣରୁ ରାଜକନିକା ଏସ.ଏନ. ମହାବିଦ୍ୟାଳୟକୁ ବଦଳି ନିର୍ଦେଶନାମା ପ୍ରକାଶ ପାଇଥିଲା । କିନ୍ତୁ ଅଦ୍ୟାବଧି ସେହି ଅଧ୍ୟାପକ ଜଣଙ୍କ ଓଳାଭର ମହାବିଦ୍ୟାଳୟରୁ ଭାରମୁକ୍ତ ହୋଇ ଏସ.ଏନ. ମହାବିଦ୍ୟାଳୟରେ ଯୋଗଦେଇନଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଉକ୍ତ ଅଧ୍ୟାପକ ଜଣଙ୍କ ସେଠାରୁ ଭାରମୁକ୍ତ ନହେଉଥିବାରୁ ସେହି ମହାବିଦ୍ୟାଳୟରେ ବିଭିନ୍ନ ସମସ୍ୟା ଦେଖାଦେଇଥିବା ବେଳେ ଏନେଇ ଛାତ୍ର ଅଶାନ୍ତି ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି । ଉକ୍ତ ଅଧ୍ୟାପକଙ୍କୁ ଓଳାଭର ମହାବିଦ୍ୟାଳୟରୁ ଭାରମୁକ୍ତ କରାଯିବାକୁ ସୁମନ୍ତ ମଲିକ, ସୁକାନ୍ତ ବେହେରା, ଶ୍ରୀନିବାସ ସାହୁ, ପ୍ରତାପ ମହାନ୍ତି, ରାଜକିଶୋର ବେହୁରା, ସତ୍ୟବାଦୀ ମିଶ୍ର ପ୍ରମୁଖ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରି ତାଙ୍କ ନିକଟରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଦାବି କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading