କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳରେ ଫେଲ ମାରିଛି କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ପରିମଳ ଯୋଜନା । ପାଇଖାନା ନିର୍ମାଣ ନ ହୋଇ ଆତ୍ମସାତ ହୋଇଛି ଲକ୍ଷାଧିକ ଟଙ୍କା ପୁରସ୍କାର ଅର୍ଥ । ଗାଁ ମୁଣ୍ଡରେ ବାହ୍ୟ ମଳମୁକ୍ତ ଅଂଚଳ ବୋଲି ଘୋଷଣା କରାଯାଇ ସବୁଆଡେ ଫଳକ ମରାଯାଇଛି । ମାତ୍ର ବାସ୍ତବ ଚିତ୍ର ଓଲଟା ହୋଇଥିବା ଦେଖିଲେ ଯେ କେହି ତାଜୁବ ହୋଇଯିବ । ଅଧିକାଂଶ ଗାଁରେ ପାଇଖାନା ନିର୍ମାଣ ହୋଇ ନ ଥିବା ବେଳେ କାଗଜ କଲମରେ ସବୁ କିଛି ଠିକ୍ ଚାଲିଥିବା କୁହାଯାଇଛି ।
ସାମାଜିକ କର୍ମୀ ଜ୍ୟୋତି ପ୍ରକାଶ ପ୍ରଧାନ କୁହନ୍ତି ପ୍ରାୟ ନଅବର୍ଷ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାର ପ୍ରାଚୀରରୁ ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଯାହାର ଉଦ୍ଦେଶ୍ୟ ଥିଲା ମହାତ୍ମା ଗାନ୍ଧୀଙ୍କ ପ୍ରତି ତାଙ୍କର ୧୫୦ ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ସ୍ୱରୂପ ଦେଶକୁ ବାହ୍ୟ ମଳମୁକ୍ତ କରିବା । ଏନେଇ ସ୍ୱଚ୍ଛ ପରିମଳ ଯୋଜନା ଅନୁଯାୟୀ, ସମସ୍ତ ପରିବାରରେ ପାଇଖାନା ନିର୍ମାଣ କରିବାକୁ ଘୋଷଣା କରିଥିଲେ । ଯେଉଁ ହିତାଧିକାରୀ ପାଇଖାନା ନିର୍ମାଣ କରିବେ ତାଙ୍କୁ ୧୨ ହଜାର ଟଙ୍କା ଲେଖାଏ ପୁରସ୍କାର ଦେବାକୁ ପ୍ରସ୍ତାବ ଦିଆଯାଇଥିଲା । ସେହି ଅନୁଯାୟୀ ୨୦୧୨ରୁ କେନ୍ଦ୍ରାପଡା ଜିଲା ପଟ୍ଟମୁଣ୍ଡାଇ ବ୍ଲକ ୩୧ ପଂଚାୟତର ୧୫୩ ଗ୍ରାମରେ ପାଇଖାନା ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଥିଲା । ଏଥିପାଇଁ ଜଳ ଓ ପରିମଳ ବିଭାଗର ଯନ୍ତ୍ରୀ ଏବଂ କର୍ମଚାରୀମାନେ ଦାୟିତ୍ୱ ନେଇ ଗାଁ ଗାଁ ବୁଲି ପାଇଖାନା କାର୍ଯ୍ୟର ତଦାରଖ କଲେ । କିନ୍ତୁ ଇତିମଧ୍ୟରେ ୯ ବର୍ଷ ବିତି ଯାଇଥିଲେ ମଧ୍ୟ ପାଇଖାନା ନିର୍ମାଣ କାର୍ଯ୍ୟ ଶେଷ ନ ହୋଇ ଅଧାପନ୍ତରିଆ ଭାବେ ପଡ଼ିରହିଥିବା ବେଳେ ଗାଁ ମୁଣ୍ଡରେ ମରାଯାଇଛି ବାହ୍ୟ ମଳମୁକ୍ତ ଫଳକ କିନ୍ତୁ ଅଜିବି ଲୋକେ ବାହାରେ ମଳ ତ୍ୟାଗ କରୁଛନ୍ତି ।
ସାମାଜିକ କର୍ମୀ ପ୍ରଫୁଲ୍ଲ ଦାଶ, କ୍ଷୀରୋଦ ମଲ୍ଲିକ, ଆଇନଜୀବୀ ପ୍ରମୋଦ ସାହୁ ପ୍ରମୁଖ କୁହନ୍ତି. ପ୍ରଥମେ ହିତାଧିକାରୀ ନିଜେ ପାଇଖାନା ନିର୍ମାଣ କରୁଥିବା ବେଳେ ପରେ ଟାର୍ଗେଟ ପୁରଣ ଆଶାରେ ବ୍ଲକ ପ୍ରଶାସନ ଓ ପରିମଳ ବିଭାଗ ପାଇଖାନା ନିର୍ମାଣ ଦାୟିତ୍ୱ ବାହାର ଠିକାଦାରଙ୍କ ହାତରେ ଟେକି ଦେଲେ । ପୁରସ୍କାର ଅର୍ଥ ୧୨ହଜାର ଟଙ୍କାରେ ଠିକାଦାର ପଇଖାନା ନିର୍ମାଣ କଲେ । ସେଥୁରୁ ଲାଭ ଉଠାଇବା ଆଶାରେ ନିମ୍ନମାନର ବ୍ୟବହାର ଅନୁପଯୋଗୀ ପାଇଖାନା ନିର୍ମାଣ କରି ଟାର୍ଗେଟ ପୂରଣ କଲେ । ପରେ ବାହ୍ୟ ମଳମୁକ୍ତ ଗାଁ ଘୋଷଣା କରାଯିବା ସହିତ ଫଳକ ଲଗାଇ ଦିଆଗଲା । ନିର୍ମାଣ ହୋଇଥିବା ପାଇଖାନା ମଧ୍ୟରୁ ଅଧିକାଂଶ ସ୍ଥାନରେ ଯନ୍ତ୍ରୀଙ୍କ ନିର୍ଦ୍ଦେଶ ଓ ଠିକାଦାରଙ୍କ ମାଧ୍ୟମରେ ନିମ୍ନମାନର କାମ ହୋଇଥିଲା । ଫଳରେ ତାହା ବ୍ୟବହାର ଅନୁପଯୋଗୀ ହୋଇ ମାଟିରେ ମିଶିଛି । ବାହାରକୁ ଦେଖିବାକୁ ସ୍ୱଛ ଭାରତ ଯୋଜନାରେ ପାଇଖାନା ନିର୍ମାଣ କରାଯାଇଛି କିନ୍ତୁ ପାଇଖାନା ଭିତରକୁ ଗଲେ ଅଲଗା । ପାଇଖାନା ପାଇଁ ଗୃହ ନିର୍ମାଣ କରାଯାଇଛି ସତ ନା ଅଛି ପ୍ୟାନ ନା ସଂଯୋଗ ହୋଇଛି ପାଣି, ନା ବସିଛି ମଳ ଟାଙ୍କି , ଅଳିଆ ହୋଇ ପଡିରହିଛି । ପାଇଖାନା କାନ୍ଥରେ ସ୍ୱଛ ଭାରତ ମିଶନ ଲେଖାଯାଇଛି । ଏହାପରେ ହିତାଧିକାରୀଙ୍କ ନାମରେ ପୁରସ୍କାର ଅର୍ଥ ୧୨ହଜାର ଟଙ୍କା ମଧ୍ୟ ମଞ୍ଜୁର କରାଯାଇଛି । ହେଲେ ନିର୍ମିତ ପାଇଖାନା ଘର ଭିତରେ କେଉଁଠି ପାଇଖାନା ବଦଳରେ ବର୍ଷାଦିନ ପାଇଁ ଜାଳ ସାଇତା ହୋଇ ରହିଛି । ଏଭଳି ଦୃଶ୍ୟ ସରକାରଙ୍କ ସ୍ୱଛ ଭାରତ ମିଶନର ଅସଲ ଚେହେରାକୁ ପଦାରେ ପକାଇଛି । ମାତ୍ର ଶୌଚାଳୟ ବ୍ୟବହାର ଅନୁପଯୋଗୀ ହୋଇଥିବାରୁ ଲୋକେ ବାହାରେ ମଳ ତ୍ୟାଗ କରୁଛନ୍ତି । ଯେଉଁଠି ପାଇଖାନାର ବ୍ୟବହାର ହେଉନି ସେଠାରେ କିପରି ଜଳ ଓ ପରିମଳ ବିଭାଗ ପକ୍ଷରୁ ବାହ୍ୟ ମଳମୁକ୍ତ ଗ୍ରାମ ବୋଲି ଘୋଷଣା କରି ବୋର୍ଡ ଲଗାଗଲା ତାହା ଏବେ ସବଠୁ ବଡ ପ୍ରଶ୍ନବାଚୀ ଛିଡା କରିଛି । ଗାଁରେ ନିର୍ମାଣ ହୋଇଥିବା ପାଇଖାନା ବ୍ୟବହାର ହେଉଛି ନା ଅପବ୍ୟବହାର କରାଯାଉଛି ତାହା ଦେଖିବାକୁ କାହା ପାଖରେ ସମୟ ନାହିଁ । ତେଣୁ ପାଇଖାନା ବାବଦକୁ କେତେ ଓ ବୋର୍ଡ ଲଗାଯିବା ପାଇଁ ସରକାରଙ୍କ କେତେ ଅର୍ଥ ନଷ୍ଟ ହୋଇଛି ତାହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ସବୁ କିଛି ସତ୍ୟାସତ୍ୟ ପଦାକୁ ଆସିବ ବୋଲି ସେମାନେ ମତ ପ୍ରକାଶ କରିଛନ୍ତି ।