
ଦେଶକୁ ଆବର୍ଜନାମୁକ୍ତ କରିବାକୁ କେନ୍ଦ୍ର ସରକାର ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିଥିଲେ । ପରିବେଶକୁ ଦୂଷିତ କରୁଥିବା ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ଓ ପଲିଥିନମୁକ୍ତ କରିବା ପାଇଁ ସରକାର ଆଇନ ପ୍ରଣୟନ କରିବା ସହ ଜନସଚେତନତା ସୃଷ୍ଟି କରୁଛନ୍ତି । ରାଜ୍ୟ ସରକାର ଏହି ନିୟମକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏଥିପାଇଁ ଜନସଚେତନତା ସୃଷ୍ଟି କରାଯିବାକୁ ବ୍ୟାପକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ କରାଯାଉଛି । ସରକାରଙ୍କ ବିଭିନ୍ନ ଏଜେନ୍ସି ଓ ସଂସ୍ଥା ମଧ୍ୟ ଏଥିପାଇଁ ସଜାଗ ହେବା ସହ ଜାଗତିଆର ରହିଛନ୍ତି ବୋଲି କୁହାଯାଉଛି । କିନ୍ତୁ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ସହର ଅବସ୍ଥା ଦେଖିଲେ ଏହି ଆଇନ ଏଠାରେ ଫେଲ୍ ମାରିଥିବା ସ୍ପଷ୍ଟ ପ୍ରତୀୟମାନ ହେଉଛି । ସହରସାରା କୁଢ଼ କୁଢ଼ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ଓ ପଲିଥିନ ଜମାହୋଇ ରହିଥିବା ଦେଖିବାକୁ ମିଳୁଛି । ସହରର ବିଭିନ୍ନ ଗଳିକନ୍ଦି, ରାସ୍ତାପାର୍ଶ୍ୱରେ ଖୋଲିଥିବା ଦୋକାନ ବଜାରଗୁଡିକରେ ବ୍ୟାପକ ଭାବେ ପ୍ଲାଷ୍ଟିକ, ପଲିଥିନ ବ୍ୟବହାର କରାଯାଇ ନଷ୍ଟ କରାଯାଇ ନ ଥିବାରୁ ଏସବୁ ଜମାହୋଇ ରହିିଛି । ପଟ୍ଟାମୁଣ୍ଡାଇ ସହରର ମୁଖ୍ୟରାସ୍ତା ବାଇପାସ୍ ପୋଲପାଖ, ତହସିଲ ଅଫିସ ସମ୍ମୁଖ, ଡେଲି ମାର୍କେଟ, ପଟ୍ଟାମୁଣ୍ଡାଇ କୋର୍ଟ ପାର୍ଶ୍ୱ, ବ୍ଲକ କଲୋନୀ, ପଟ୍ଟାମୁଣ୍ଡାଇ ବାଇପାସ୍ଠାରୁ ପଟ୍ଟାମୁଣ୍ଡାଇ କେନାଲ ପୋଲ ପର୍ଯ୍ୟନ୍ତ ମୁଖ୍ୟ କେନାଲର ଉଭୟ ପାର୍ଶ୍ୱ, ଯଜ୍ଞ ପଡ଼ିଆ ଆଦି ବହୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ କୁଢ଼ କୁଢ଼ ପ୍ଲାଷ୍ଟିକ ଓ ପଲିଥିନ ପଡିଛି । ସରକାରଙ୍କ ଯୋଜନା ଏଠାରେ ଫେଲ୍ ମାରିଛି । ବିଭିନ୍ନ ଦୋକାନ, ବଜାର ଓ ବ୍ୟବସାୟ ପ୍ରତିଷ୍ଠାନରେ ଏବେ ମଧ୍ୟ ପ୍ଲାଷ୍ଟିକ୍ ଓ ପଲିଥିନର ବହୁଳ ବ୍ୟବହାର ଚାଲିଥିବା ଦେଖିବାକୁ ମିଳୁଛି । ପଟ୍ଟାମୁଣ୍ଡାଇରେ ସମସ୍ତ ଆଇନକାନୁନ ଓ ନୀତିକୁ ପ୍ରଶାସନିକ ଅଧିକାରୀମାନେ ଫୁ କରି ଉଡ଼ାଇ ଦେଉଛନ୍ତି । ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏ ବାବଦରେ ପୌର ନିର୍ବାହୀ ଅଧିକାରୀ ଅଜିତ୍ ନାରାୟନ ପ୍ରସାଦ ଗିରିଙ୍କୁ ପଚାରିବାରୁ ଏପରି ଅଭିଯୋଗ ଆସିନାହିଁ ଯଦି ସତ୍ୟତା ଥାଏ ଆସନ୍ତା ଦୁଇଦିନ ଭିତରେ ସବୁ ସଫା ହୋଇଯିବ ବୋଲି ସେ କହିଛନ୍ତି ।











