ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ସଙ୍ଗୀନ , ପରିସ୍ଥିତି ନସୁଧୁରିଲେ ଏସପି କାର୍ଯ୍ୟାଳୟ ଘେରିବ ବିଜେଡି



କେନ୍ଦ୍ରାପଡ଼ା,୭ା୧:କେନ୍ଦ୍ରାପଡ଼ା ଜିଲ୍ଲାରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ସଙ୍ଗୀନ ଅବସ୍ଥାକୁ ଚାଲି ଯାଇଛି। ପରିସ୍ଥିତି ନ ସୁଧୁରିଲେ ଆସନ୍ତା ୧୬ ତାରିଖରେ ଏସ୍‌ପିଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ବିଜେଡି ଧମକ ଦେଇଛି। ଏ ନେଇ ବିଜେଡିର ଏକ ପ୍ରତିନିଧି ଦଳ ଏସ୍‌ପି ଓ ଜିଲ୍ଲାପାଳଙ୍କୁ ଭେଟି ଆଇନ୍ ଶୃଙ୍ଖଳା ପରିସ୍ଥିତି ଉପରେ ଆଲୋଚନା କରିଛନ୍ତି। ସେହିପରି ରାଜନଗର ବ୍ଲକରେ ମହିଳା ବିଡିଙ୍କୁ ଆକ୍ରମଣ କରାଯିବା ଘଟଣାରେ ପୋଲିସର ନିଷ୍କ୍ରିୟତା ନେଇ ଏସ୍‌ପି ଓ ଜିଲ୍ଲାପାଳଙ୍କ ସହ ପ୍ରତିନିଧି ଦଳ ଆଲୋଚନା କରିଥିଲା। ଆଲୋଚନା ଶେଷ ହେବା ପରେ ବିଜେଡି ଜିଲ୍ଲା ସଭାପତି ଶିବପ୍ରସାଦ ଭଳ ଗଣମାଧ୍ୟକୁ କହିଲେ କେନ୍ଦ୍ରାପଡ଼ା ଜିଲ୍ଲାରେ ପୋଲିସ ସରକାରୀ ଦଳର ଏଜେଣ୍ଟ ସାଜିଛନ୍ତି। ପୋଲିସ ଲୋକଙ୍କ ସେବା କରିବାକୁ ନିଯୁକ୍ତ ହୋଇ ନାହାନ୍ତି। ସରକାରୀ ଦଳର ନେତାମାନଙ୍କୁ କିପରି ସୁରକ୍ଷା ଦିଆଯିବ ସେଥିପାଇଁ ପୋଲିସ ଦିନରାତି ଏକକାର କରି ଦେଉଛନ୍ତି। ସାଧାରଣ ଲୋକ ଏପରିକି ସରକାରୀ ଅଧିକାରୀ ତଥା ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ରାଜନଗର ବିଡିଓଙ୍କୁ ବିଜେପି ନେତା ଲଳିତ ବେହେରା ଆକ୍ରମଣ କରିଥିଲେ ମଧ୍ୟ ପୋଲିସ ସେହି ଘଟଣାରେ ନିରବଦ୍ରଷ୍ଟା ସାଜିଛି। ଯଦି ଅନ୍ୟ କେହି ବିଡିଓଙ୍କ ଉପରେ ଆକ୍ରମଣ କରିଥାନ୍ତେ ତାହା ହେଲେ ଅଭିଯୁକ୍ତ ଏବେ ଜେଲରେ ଥାଆନ୍ତେ। ତାହା ହେଲେ ରାଜନଗରର ବିଜେପି ନେତା ଲଳିତ ବେହେରାଙ୍କ ପାଇଁ କ’ଣ ସମ୍ବିଧାନର ଅନ୍ୟ ପ୍ରକାର ଆଇନ୍ ଲେଖା ଯାଇଛି କି ବୋଲି ସେ କହିଥିଲେ। ଭାରତୀୟ ସମ୍ବିଧାନ ଅନୁଯାୟୀ ଆଇନ୍ ଆଗରେ ଆମେ ସମସ୍ତେ ସମାନ। ଯିଏ ଦୋଷ କରିବ ସେ ଦଣ୍ଡ ପାଇବ। ଯଦି ସାଧାରଣ ଲୋକଟେ ଦୋଷ କରୁଛି ପୋଲିସ ତାକୁ ସଙ୍ଗେ ସଙ୍ଗେ ବାନ୍ଧି ନେଉଛି। ହେଲେ ବିଜେପି ନେତା ଲଳିତ ବେହେରା କ୍ଷେତ୍ରରେ ପୋଲିସ ଆଇନ୍‌କୁ ଦଳି ମକଚି ଦେଉଛି। ରାଜନଗର ପୋଲିସ ସମ୍ବିଧାନ ବିରୋଧୀ କାର୍ଯ୍ୟ କରୁଛି ବୋଲି ବିଜେଡି ଜିଲ୍ଲା ସଭାପତି ଶ୍ରୀ ଭଳ କହିଛନ୍ତି। ଏହି ପ୍ରତିନିଧି ମଣ୍ଡଳୀରେ ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସ, କେନ୍ଦ୍ରାପଡ଼ା ପୌରାଧ୍ୟକ୍ଷା ସରିତା ସାହୁ, ଜିଲ୍ଲା ବିଜେଡି ସଭାପତି ଶିବ ପ୍ରସାଦ ଭଳ, ରାଜନଗର ବିଧାୟକ ଧ୍ରୁବ ସାହୁ, ଆଳି ବିଧାୟକ ପ୍ରତାପ ଦେବ, କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ବ୍ଲକ ଉପାଧ୍ୟକ୍ଷା ପ୍ରତାପ ନାରାୟଣ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।


Next Post

କିଶୋର/କିଶୋରୀ ମାନଙ୍କର ‘କିଶୋର ସ୍ପନ୍ଦନ’

Sat Jan 10 , 2026
ପୁସ୍ତକ ମେଳା ପଞ୍ଚମ ସଂନ୍ଧ୍ୟାରେ କେନ୍ଦ୍ରାପଡ଼ା,୧୦ା୧: କେନ୍ଦ୍ରାପଡା ଇଭେଣ୍ଟ ମ୍ୟାନେଜର୍ସ (କେମ) ଦ୍ୱାରା ଆୟୋଜିତ କେନ୍ଦ୍ରାପଡା ସହରସ୍ଥ ଟେଲିକମ୍ ପଡିଆରେ ଦ୍ୱାବିଂଶତମ ରାଜ୍ୟସ୍ତରୀୟ ପୁସ୍ତକମେଳାର ପଞ୍ଚମସନ୍ଧ୍ୟାରେ କିଶୋର/କିଶୋରୀ ମାନଙ୍କର ପ୍ରତିଭାର ପ୍ରଦର୍ଶନ ‘କିଶୋର ସ୍ପନ୍ଦନ’ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କିଶୋର/କିଶୋରୀ ମାନଙ୍କର ପ୍ରତିଭାର ପ୍ରୋତ୍ସାହନ ପାଇଁ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଏକ ସଭାର ଆୟୋଜିନ କରାଯାଇଥିଲା । ଏଥିରେ ପୁଷ୍ପିତା ସାହୁ […]

KANIKA