ରାଷ୍ଟ୍ରପତି, କେନ୍ଦ୍ରସଂସଦୀୟ ମନ୍ତ୍ରୀ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କୁ ପଟ୍ଟାମୁଣ୍ଡାଇ-ରାଜନଗର ବିକାଶ ପରିଷଦର ଦାବୀପତ୍ର

ପଟ୍ଟାମୁଣ୍ଡାଇ ; ବିଭିନ୍ନ କ୍ଷେତ୍ରରେ ନିଜର ଉତ୍କର୍ଷତା ପ୍ରଦର୍ଶନ କରି ପଟ୍ଟାମୁଣ୍ଡାଇ ଅଂଚଳ ସମଗ୍ର ବିଶ୍ୱରେ ଉପସ୍ଥିତି ଜାହିର କରିବାରେ ସଫଳ ହୋଇଛି । ରାଜ୍ୟ ରାଜନୀତିକୁ ନିୟଂତ୍ରଣ କରିଆସୁଥିବା କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରମୁଖ ଅଙ୍ଗ ଭାବେ ପଟ୍ଟାମୁଣ୍ଡାଇ ( ସଂ ) ବିଧାନସଭା ଆସନ ଓଡିଶାର ରାଜନୈତିକ ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଆସିଛି । ଓଡିଶାର ଅନ୍ୟତମ ପ୍ରମୁଖ ବାଣିଜ୍ୟକ ପେଣ୍ଠ ଭାବରେ ପଟ୍ଟାମୁଣ୍ଡାଇର ସୁନାମ ରହିଥିବାବେଳେ ଗତ ସୀମା ପୁନଃନିର୍ଧାରଣରେ ପ୍ରଶାସନିକ ଚକ୍ରାନ୍ତର ଶିକାର ହୋଇ ବିଧାନସଭା ଆସନ ଲୋପ ପାଇବା ସହିତ ପଟ୍ଟାମୁଣ୍ଡାଇ ତାର ସତା ହରାଇ ବସିଥିଲା । ଯାହା ପଟ୍ଟାମୁଣ୍ଡାଇ ବାସୀଙ୍କ ଭାବାବେଗକୁ କୁଠାରଘାତ କରିଛି । ବିଲୁପ୍ତ ପଟ୍ଟାମୁଣ୍ଡାଇ ବିଧାନସଭା ଆସନକୁ ଭାଗ ଭାଗ କରି ରାଜନଗର, କେନ୍ଦ୍ରାପଡ଼ା ଓ ଆଳି ବିଧାନସଭା ଆସନ ମଧ୍ୟରେ ମିଶାଇ ଦିଆଯାଇଛି । ପଟ୍ଟାମୁଣ୍ଡାଇବାସୀଙ୍କ ସ୍ୱାର୍ଥ ଓ ସ୍ୱାଭିମାନର ସୁରକ୍ଷା ଓ ହୃତ ଗୌରବକୁ ଫେରାଇ ଆଣିବା ପାଇଁ ଅଣରାଜନୈତିକ ଗଣସଂଗଠନ ପଟ୍ଟାମୁଣ୍ଡାଇ-ରାଜନଗର ବିକାଶ ପରିଷଦ ଦୀର୍ଘ ୧୫ବର୍ଷ ହେବ ବିଭିନ୍ନ ଆନ୍ଦୋଳନ ଜରିଆରେ ସଂଗ୍ରାମ ଜାରି ରଖିଛି । ରାଜନଗର ବିଧାନସଭା ଆସନ ସହିତ ପଟ୍ଟାମୁଣ୍ଡାଇ ନାଁ ଯୋଡ଼ି ରାଜନଗର-ପଟ୍ଟାମୁଣ୍ଡାଇ ବିଧାନସଭା ଆସନ ଘୋଷଣା ସହ ପଟ୍ଟାମୁଣ୍ଡାଇ ସବଡିଭିଜନ ଓ ରାଜନଗର ଏନଏସି ଘୋଷଣା ଦାବୀ ଉପରେ ଫୋକସ କରି ପଟ୍ଟାମୁଣ୍ଡାଇ-ରାଜନଗର ବିକାଶ ପରିଷଦ ଦୀର୍ଘ ଦିନ ଧରି ବିଭିନ୍ନ କାର୍ଯ୍ୟକ୍ରମ ଚଲାଇ ଆସିଛି । ଏହି ଦାବୀ ପୂରଣ ପାଇଁ ବିକାଶ ପରିଷଦ ଭାରତବର୍ଷର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମାନ୍ୟବର କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ, ଓଡିଶାର ମାନ୍ୟବର ରାଜ୍ୟପାଳ, ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ରାଜସ୍ୱ ସଚିବଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ଏ ସମ୍ପର୍କରେ ଖବରଦାତାମାନଙ୍କୁ ସବିଶେଷ ସୂଚନା ଦେଇ ପଟ୍ଟାମୁଣ୍ଡାଇ-ରାଜନଗର ବିକାଶ ପରିଷଦ ପ୍ରତିଷ୍ଠାତା ଆଡ଼ଭୋକେଟ ବିଜୟ କେତନ ସ୍ୱାଇଁ, ଆବାହକ ପ୍ରଫେସର ଉମେଶ ଚନ୍ଦ୍ର ପରିଡା, ଉପଦେଷ୍ଟାମଣ୍ଡଳୀ ଅଧକ୍ଷ ଆଡ଼ଭୋକେଟ ରାମକୃଷ୍ଣ ଦାଶ, ପଟ୍ଟାମୁଣ୍ଡାଇ ବ୍ଲକ କୃଷକ ପରିଷଦ ଆବାହକ ରଞ୍ଜନ ରାଉତ,ସଂଖ୍ୟାଲଘୁ ପରିଷଦ ଆବାହକ ସେକ ଜାକିର ହୁସେନ,ପଟ୍ଟାମୁଣ୍ଡାଇ ନଗର ଯୁବପରିଷଦ ଆବାହକ ସନ୍ତୋଷ କୁମାର ବିଶ୍ୱାଳ ପ୍ରମୁଖ କହିଛନ୍ତି ଯେ କେନ୍ଦ୍ରାପଡ଼ା ଜିଲ୍ଲାର ଦ୍ୱିତୀୟ ବୃହତମ ସହର ତଥା ଅଘୋଷିତ ସବଡିଭିଜନ ଏବଂ ପଟ୍ଟାମୁଣ୍ଡାଇ ଆଳି ରାଜକନିକା ଓ ରାଜନଗରର ପ୍ରବେଶଦ୍ୱାର ପଟ୍ଟାମୁଣ୍ଡାଇ ସୀମାପୁନଃ ନିର୍ଧାରଣ ପରେ ନିଜର ସତା ହରାଇ ବସିଥିବାବେଳେ ସମସ୍ତ ଯୋଗ୍ୟତା ଓ ଭିତିଭୂମି ସତ୍ୱେ ରାଜସ୍ୱ ସବଡିଭିଜନ ଘୋଷଣାରୁ ବଂଚିତ ହୋଇଛି । ଯାହାଫଳରେ ପଟ୍ଟାମୁଣ୍ଡାଇବାସୀଙ୍କ ଭାବାବେଗକୁ ଆଘାତ ଦେଇଛି ଓ ରାଜନଗର ନିର୍ବାଚନମଣ୍ଡଳୀରେ ପଟ୍ଟାମୁଣ୍ଡାଇ ନାଁ ନଥିବାବେଳେ ପଟ୍ଟାମୁଣ୍ଡାଇ ସବଡିଭିଜନ ଘୋଷଣା ଶୀତଳ ଭଣ୍ଡାରରେ ରହିଛି । ରାଜନଗର ବିଧାନସଭା ଆସନରୁ ପ୍ରତିନିଧିତ୍ୱ କରିଥିବା ପ୍ରତିନିଧିମାନେ ରାଜ୍ୟ ବିଧାନସଭାରେ ପଟ୍ଟାମୁଣ୍ଡାଇ ସବଡିଭିଜନ ଦାବୀ ବାରମ୍ବାର ଉଠାଇ ଥିଲେ ମଧ୍ୟ ସରକାରୀ ସ୍ତରରେ ଏ ଦିଗରେ କୌଣସି ଠୋସ ପଦକ୍ଷେପ ନିଆଯାଇନାହିଁ ଓ ବାଧ୍ୟ ହୋଇ ପଟ୍ଟାମୁଣ୍ଡାଇ -ରାଜନଗର ବିକାଶ ପରିଷଦ ପଟ୍ଟାମୁଣ୍ଡାଇ ସବଡିଭିଜନ ଦାବି ନେଇ ଓଡିଶା ମାନ୍ୟବର ଉଚ୍ଚନ୍ୟାୟାଳୟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିବା ପରେ ମାନ୍ୟବର ଉଚ୍ଚନ୍ୟାୟାଳୟ ଏ ଦିଗରେ ଉପଯୁକ୍ତ ବିଚାର କରି ଅବିଳମ୍ବେ ପଦକ୍ଷେପ ନେବାକୁ ସରକାରଙ୍କୁ ନିର୍ଦେଶ ଦେଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଏଥି ସହିତ ଓଡିଶାର ମାନ୍ୟବର ରାଜ୍ୟପାଳ ବିକାଶ ପରିଷଦର ପଟ୍ଟାମୁଣ୍ଡାଇ ସବଡିଭିଜନ ଦାବି ଉପରେ ହସ୍ତକ୍ଷେପ କରି ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ସୁପାରିଶ କରିଛନ୍ତି । ପଟ୍ଟାମୁଣ୍ଡାଇରେ ସବଡିଭିଜନ ହସ୍ପିଟାଲ, ଏଡିଜେ କୋର୍ଟ, ଜଳସମ୍ପଦ, ଗ୍ରାମ୍ୟଉନ୍ନୟନ, ପୂର୍ତ, ବିଦ୍ୟୁତ, ଗ୍ରାମ୍ୟଜଳଯୋଗାଣ ଓ ପରିମଳ ସବଡିଭିଜନ କାର୍ଯ୍ୟାଳୟ, କୃଷି ଜିଲ୍ଲା କାର୍ଯ୍ୟାଳୟ ବିଭିନ୍ନ ଉଚ୍ଚଶିକ୍ଷାନୁଷ୍ଠାନ ଓ ରାଷ୍ଟ୍ରାୟତ ବ୍ୟାଙ୍କ ସହ ପର୍ଯ୍ୟାପ୍ତ ସରକାରୀ ଜମି ରହିଛି ରାଜନଗର ବିଧାନସଭା ଆସନରେ ପଟ୍ଟାମୁଣ୍ଡାଇ ନାଁ ଯୋଡ଼ି ରାଜନଗର -ପଟ୍ଟାମୁଣ୍ଡାଇ ବିଧାନସଭା ଆସନ ଘୋଷଣା ସହ ପଟ୍ଟାମୁଣ୍ଡାଇ ସବଡିଭିଜନ ଓ ରାଜନଗର ଏନ ଏ ସି ଘୋଷଣା କରିବା ଏବଂ ବହୁ ପ୍ରତିକ୍ଷିତ ପଟ୍ଟାମୁଣ୍ଡାଇ ସରକାରୀ ବସଷ୍ଟାଣ୍ଡ ଓ ଯାତ୍ରୀ ବିଶ୍ରାମାଗାର ନିର୍ମାଣ ଦିଗରେ କେନ୍ଦ୍ର ଓ ରାଜ୍ୟ ସରକାର ପଦକ୍ଷେପ ନେଲେ ପଟ୍ଟାମୁଣ୍ଡାଇ ରାଜନଗରବାସୀଙ୍କ ସ୍ୱପ୍ନ ସାକାର ହେବା ସହିତ ଭୁଲୁଣ୍ଠିତ ସ୍ୱାଭିମାନ ଓ ହୃତ ଗୌରବ ଫେରିଆସିପାରିବ ବୋଲି ପଟ୍ଟାମୁଣ୍ଡାଇ -ରାଜନଗର ବିକାଶ ପରିଷଦ ନେତାମାନେ ଆଶା ପ୍ରକାଶ କରିବା ସହିତ ଦାବୀ ହାସଲ ପର୍ଯ୍ୟନ୍ତ ପଟ୍ଟାମୁଣ୍ଡାଇ -ରାଜନଗର ବିକାଶ ପରିଷଦ ତାର ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଜାରି ରଖିବ ବୋଲି ଚେତାବନୀ ଦେଇଛନ୍ତି ।










