କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକରେ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି ଶିବିରରେ ୧୯୬ଟି ଅଭିଯୋଗର ଶୁଣାଣୀ କରାଯାଇଥିଲା । ସେଥିମଧ୍ୟରୁ ୧୯୦ଟି ବ୍ୟକ୍ତିଗତ ଅଭିଯୋଗ ହୋଇଥିବା ବେଳେ ୬ଟି ସାମୁହିକ ଅଭିଯୋଗ ହୋଇଛି । ଏହି ଶିବିରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମଡକର ସନ୍ଦୀପ ସମ୍ପଦ , ଉପଜିଲ୍ଲାପାଳ ନିରଂଜନ ବେହେରା, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ରାଜେନ୍ଦ୍ର ପଣ୍ଡା, ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀନିବାସ ସାହୁ, ଏଡିଏମ(ପିଏଚଓ) ମୀର୍ଜାବାବର ବେଗ, ଏସଡିପିଓ କ୍ଷମାସାଗର ପଣ୍ଡାଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ, ତହସିଲଦାର ଅଶ୍ୱିନୀକୁମାର ଭୂୟାଁ, ବିଡିଓ ନିଶାନ ମିଶ୍ର, ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ରଶ୍ମିରଂଜନ ମହାନ୍ତି ଯୋଗଦେଇଥିଲେ । ମୁଖ୍ୟତଃ ବିଧବା,ବାର୍ଦ୍ଧକ୍ୟ ଓ ଅକର୍ମଣ୍ୟ ଭତା, ରାସନକାର୍ଡ, ଭୂମିହୀନ ପରିବାରଙ୍କୁ ପଟ୍ଟା ପ୍ରଦାନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରଭୃତି ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ । ମଧୁପୁର ଗ୍ରାମର ବୁଦ୍ଧଦେବଙ୍କ ସ୍ତ୍ରୀ ହେମଲତା ପଲାଇ ଦୁଇଥର ଭତା ପାଇଁ ଅନଲାଇନରେ ଆବେଦନ କରିଥିଲେ ମଧ୍ୟ ଭତା ପାଇନଥିବା ଅଭିଯୋଗ କରିଥିଲେ । ନରଣଗଡ ଅଙ୍ଗନୱାଡି କେନ୍ଦ୍ର ୨୦୧୮ମସିହାରୁ ନିର୍ମାଣ ସରିଥିଲେ ମଧ୍ୟ ସଂପୂର୍ଣ୍ଣ ବିଲ ମିଳିନଥିବା ନେଇ ଅଭିଯୋଗ ହୋଇଥିଲା । ବନ୍ଧପଡା ପଚାଂୟତର ସନ୍ଥପଡା ଓ ଗୋବିନ୍ଦପୁର ଗ୍ରାମର ୪ଟି ୱାର୍ଡକୁ ପାଇପ ଯୋଗେ ଜଳଯୋଗାଣ ବନ୍ଦ ହୋଇଯାଇଥିବା ଅଭିଯୋଗ ହୋଇଥିଲା । କୋଇଲିପୁର ପଚାଂୟତରେ ଦୁଇବର୍ଷ ହେବ ମନରେଗା କାମ ହେଉନଥିବା ଓ ମାର୍କେଟ କମ୍ପେ୍ଲକ୍ସ ୨୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ସରିଥିଲେ ମଧ୍ୟ ହିତାଧିକାରୀଙ୍କୁ ହସ୍ତାନ୍ତର କରାଯାଉନଥିବା ଏବଂ ୫ଏକର ସରକାରୀ ଜମି ଥିଲେ ମଧ୍ୟ ଅମୃତ ସରୋବର ଯୋଜନାରେ ପୋଖରୀ ଖନନ ପାଇଁ ମଂଜୁର ଦିଆଯାଉନଥିବା ନେଇ ସରଂପଚ ଦିଲ୍ଲୀପ ରାଉତ ଓ ସମିତି ସଭ୍ୟ ଅଭୟ ଖଣ୍ଡୁଆଳ ଅଭିଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଇଆଇସି ଅଜୟକୁମାର ଜେନାଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ ।