କେରଳ ଓ ତାମିଲନାଡ଼ୁରୁ ଆସୁଛି ବସ୍‌,ବାହାର ରାଜ୍ୟମୁହାଁ ହେଲେଣି ପଟ୍ଟାମୁଣ୍ଡାଇ ଶ୍ରମିକ


ଶିଳ୍ପବିହୀନ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇରେ ଏବେ କାମଧନ୍ଦା ଅଭାବରୁ ପ୍ରତିଦିନ ଶ୍ରମିକ ବାହାର ରାଜ୍ୟ ମୁହାଁ ହେବାରେ ଲାଗିଛନ୍ତି । ଏଥିପାଇଁ ବିଭିନ୍ନ ରାଜ୍ୟରୁ ବସ ଆସି ପଟ୍ଟାମୁଣ୍ଡାଇ, ରାଜନଗର ଅଂଚଳରେ ଡେରା ପକାଇଛନ୍ତି । ଚାଷ ପ୍ରତି ବିମୁଖ ବର୍ତମାନର ଯୁବପିଢ଼ିଙ୍କୁ ଏଠାରେ ବର୍ଷ ସାରା କିଛି କାମଧନ୍ଦା ମିଳୁନି । ଚାଷ କାର୍ଯ୍ୟ ସଠିକ୍ ଭାବେ ହୋଇପାରୁନି । ଏପରିକି କେନାଲ ଥାଇ ମଧ୍ୟ ଜମିରେ ଜଳସେଚନ ସୁବିଧା ନଥିବା ହେତୁ ବର୍ଷା ଜଳ ଉପରେ ନିର୍ଭର କରି କେବଳ ବର୍ଷରେ ଥରେ ଧାନ ଚାଷ କରିଥାନ୍ତି । ଏଥିରେ ବି କେବେ କେବେ ଦଇବ ଦାଉ ସାଧୁଛି । ଏହି କାରଣରୁ ଏବେ ପ୍ରତିଦିନ ବହୁ ଶ୍ରମିକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି ।

ସାମାଜିକ କର୍ମୀ ଶଶିକାନ୍ତ ସ୍ୱାଇଁ କୁହନ୍ତି ପଟ୍ଟାମୁଣ୍ଡାଇ-ରାଜନଗର ଅଂଚଳରେ ଚାଷକୁ ଛାଡ଼ିଦେଲେ ଅନ୍ୟ କୌଣସି କାମ ଧନ୍ଦା ନାହିଁ । ନିଜ ଭିଟାମାଟିରେ କାମଧନ୍ଦା ନ ପାଇ ସ୍ଥାନୀୟ ଅଂଚଳର ହଜାର ହଜାର ଯୁବକଯୁବତୀ ଏବେ ସୁଦୂର କେରଳ, ତାମିଲନାଡୁ, କର୍ଣ୍ଣାଟକ ଭଳି ରାଜ୍ୟକୁ ଦାଦନ ଖଟିବା ପାଇଁ ଯିବାକୁ ବାଧ୍ୟ ହେଉଛନ୍ତି । କେରଳ ଓ ତାମିଲନାଡୁ କାରଖାନା ମାଲିକମାନେ ସେଠାରୁ ବସ୍ ପଠାଇ ଦଲାଲ୍ ମାଧ୍ୟମରେ ଶ୍ରମିକଙ୍କୁ ଯୋଗାଯୋଗ କରୁଛନ୍ତି । କେଉଁ ସମୟରେ କେଉଁଠି ବସ ଲାଗିବ ସୂଚନା ଦେଇ ଶ୍ରମିକଙ୍କୁ ନେଇଥାନ୍ତି । ପଟ୍ଟାମୁଣ୍ଡାଇ-ରାଜନଗର ବ୍ଲକ୍ ଅଂଚଳର ଶହ ଶହ ଶ୍ରମିକ ବସ୍ ଯୋଗେ ପ୍ରତିଦିନ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି ସେ ବିଷୟରେ ପ୍ରଶାସନ ନିକଟରେ ଖବର ନଥିବା ଅନୁମାନ କରାଯାଉଛି ।

ଶିକ୍ଷାବିତ ପ୍ରଫୁଲ୍ଲ ଦାଶ କୁହନ୍ତି, ସିଏଜି ଜାରି କରିଥିବା ରିପୋର୍ଟ ମୁତାବକ ଓଡ଼ିଶାରେ ଉତ୍ପାଦିନ ଖଣିଜ ପଦାର୍ଥରୁ ପ୍ରାୟ ୫୦ ହଜାର କୋଟି ଟଙ୍କାରୁ ଉର୍ଦ୍ଵ ରୟାଲିଟି ମିଳୁଛି  । ହେଲେ ଅନ୍ୟପଟେ ଦାଦନ ଶ୍ରମିକ ମରି ଚାଲିଛନ୍ତି । ଉଚ୍ଚଶିକ୍ଷିତ ଯୁବତୀଯୁବକ ଚାକିରି ପାଉନାହାନ୍ତି । ଅର୍ଥନୀତିର ସୁପରିଚାଳନାର ଅଭାବ, ସ୍ଥାନୀୟ ସମସ୍ୟା ପ୍ରତି ସରକାରଙ୍କ ଦୂରଦୃଷ୍ଟିର ଅଭାବ, ପ୍ରାକୃତିକ ସମ୍ପଦର ସୁବିନିଯୋଗରେ ତ୍ରୁଟି, ସାଧାରଣ ସମସ୍ୟା ପ୍ରତି ପ୍ରଶାସନିକ ସ୍ତରରେ ଆଖିବୁଜି ଦେବାରୁ ହିଁ ଜାତ ହେଉଛି ସମସ୍ୟା । କେଉଁମାନେ କୋଠାରେ ରହି ଅଜସ୍ର ସମ୍ପଦରେ ଡୁବିଛନ୍ତି ତ କେଉଁମାନେ ସାମାନ୍ୟ ଭାତ ମୁଠାଏ ପାଇଁ କୋମଳ ସନ୍ତାନର ମୁହଁକୁ ଦୂରେଇ କେଉଁ ଦୂରଦୂରାନ୍ତରେ ଖଟୁଛନ୍ତି । ଆଂଚଳିକ ସ୍ତରରେ ଦାରିଦ୍ର‌୍ୟର ପରିଚାଳନାର ଅଭାବ, ସ୍ଥାନୀୟ ପ୍ରଶାସନର ଅମନଯୋଗିତା, ଯୋଜନାବଂଟନରେ ଭାରସାମ୍ୟର ଅଭାବ, ଦୁର୍ନୀତି ଆଦି କାରଣଯୋଗୁଁ ଏହି ଅଂଚଳରେ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି ଦାଦନ ।

ଆଇନଜୀବୀ ଭବାନୀ ପଣ୍ଡା କୁହନ୍ତି , ଆନ୍ତଃରାଜ୍ୟ ଶ୍ରମିକ ଚାଲାଣ(ନିୟନ୍ତ୍ରଣ) ଆଇନ-୧୯୭୯ କାର୍ଯ୍ୟକାରୀ ହେଲା ସତ, ମାତ୍ର ଏହା ଯୋଗୁ ଦାଦନ ପରି କୁତ୍ସିତ ସମସ୍ୟାକୁ ରୋକାଯାଇପାରିଲା ନାହିଁ ବରଂ ସରକାରୀ ସ୍ୱୀକୃତ ଭାବେ ଏହା ଅବାଧରେ ଚାଲୁଛି । ଯଦି ସମାଜରେ ସମସ୍ତେ ସମାନଭାବେ ରହିପାରିବେ ନାହିଁ, ସମସ୍ତଙ୍କୁ ଅର୍ଥନୈତିକ ସମାନତା ପ୍ରଦାନ କରାଯାଇପାରିବ ନାହିଁ, ତେବେ ସେହି ସମାଜର ଅଗ୍ରଗତି ସମ୍ଭବ ନୁହେଁ । ୧୮୪୮ରେ କାର୍ଲ ମାର୍କ୍ସ ଓ ଫ୍ରେଡରିକ ଏଙ୍ଗେଲସଙ୍କର ଅମର ଗ୍ରନ୍ଥ ‘କମ୍ୟୁନିଷ୍ଟ ଇସ୍ତାହାର’ପ୍ରକାଶନ ପୂର୍ବରୁ ମାର୍କ୍ସ କହିଥିଲେ ‘କୌଣସି ଜାତି ଯଦି ଅନ୍ୟ ଜାତିମାନଙ୍କୁ ଉତ୍ପୀଡ଼ନ କରେ, ତେବେ ସେ ନିଜକୁ ଉତ୍ପୀଡ଼ନରୁ ମୁକ୍ତ କରିପାରିବ ନାହିଁ ।’ ଏହା ସ୍ପଷ୍ଟ କରୁଛି ଯେ, ଏଠାରେ ସେ ସର୍ବହରା ଶ୍ରେଣୀ ଉଦ୍ଦେଶ୍ୟରେ ନିଜ ମତ ରଖିଥିଲେ । ବାସ୍ତବରେ ଯଦି କୌଣସି ସରକାର ବା ପ୍ରଶାସନ ଗରିବମାନଙ୍କ ସ୍ୱାର୍ଥରକ୍ଷା କରିବାରେ ବିଫଳ ତେବେ ସେହି ସରକାର ଏକ ପ୍ରଗତିଶୀଳ ସରକାର ହୋଇପାରିବ ନାହିଁ ବୋଲି ସେ କହିଛନ୍ତି ।

ବୁଦ୍ଧିଜୀବୀ ଅନନ୍ତ ଦାଶ କୁହନ୍ତି କୃଷିଭିତିକ ଅର୍ଥନୀତିରେ ପରିଚାଳିତ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ-ରାଜନଗର ଅଂଚଳ ଏବେ ଭିତିିଭୂମି ଅଭାବରୁ କୃଷି କ୍ଷେତ୍ର ପଡିଆ ପଡୁଛି । ଜିଲାରେ ଖଣି ଓ ଶିଳ୍ପ ନାହିଁ । ପ୍ରାୟ ୨୨ ହଜାରରୁ ଅଧିକ ଗ୍ରାଜୁଏଟ ଓ ବୈଷୟିକ ଜ୍ଞାନଧାରୀ ଜିଲା କର୍ମ ନିୟୋଜନ ବିଭାଗରେ ନିଜର ନାମ ପଞ୍ଜୀକରଣ କରିଥିଲେ ମଧ୍ୟ ନିଯୁକ୍ତି ନାହିଁ । ଅଧିକାଂଶ ଦାଦନ ଋଣଗ୍ରସ୍ତ ହୋଇ ହିଁ ବାହାରକୁ ଚାଲିଯାଇଥାନ୍ତି । ରାଷ୍ଟ୍ରାୟତ ବ୍ୟାଙ୍କଗୁଡିକ ପ୍ରତିପତିଶାଳୀ ଲୋକଙ୍କୁ ବ୍ୟାଙ୍କ ସହାୟତା ଯୋଗାଉଥିବା ସତ୍ୱେ ଗରିବଲୋକମାନଙ୍କୁ ସହାୟତାର ବଢାଇ ନଥାନ୍ତି । ସରକାରଙ୍କ ଅନେକ ଯୋଜନା ରହିଥିଲେ ମଧ୍ୟ ତାହା କେବଳ କାଗଜ କଲମରେ ରହିଯାଇଥାଏ । ଫଳରେ ଯୋଜନା ତିଆରି ହୁଏ, ଅର୍ଥ ଆସେ, ଏହାର ବିନିଯୋଗ ପତ୍ର ଦାଖଲ ହୁଏ ମାତ୍ର ଲୋକମାନେ ଏହି ଯୋଜନା ସମ୍ପର୍କରେ ଜାଣିପାରନ୍ତି ନାହିଁ । ଫଳ ଏହା ହୁଏ ଯେ, ସରକାରଙ୍କ କୋଟି କୋଟି ଟଙ୍କାର ଯୋଜନା ବାଟବଣା ହୁଏ । ଜୀବନଧାରଣ ଓ ପରିବାର ପୋଷଣ ପାଇଁ ଯୁବବର୍ଗଙ୍କୁ ବାହାରକୁ ଯିବାକୁ ପଡେ । ହେଲେ ଏଦିଗରେ ଶ୍ରମ ବିଭାଗ ତତ୍ପର ହେବା ଜରୁରି ହୋଇଛି ବୋଲି ସେ କହିଛନ୍ତି ।

ଶୁକ୍ରବାର କେରଳ ବସରେ ଚଢ଼ୁଥିବା ବେଳେ ପଟ୍ଟାମୁଣ୍ଡାଇ ବାଇପଦା ଗ୍ରାମର ସିଦ୍ଧାନ୍ତ ମଲିକ, ସାହୁପଡାର ଲିଟନ ମଲିକ, ରାଜନଗର ତାଳଚୁଆର ପ୍ରହଲାଦ ସେଠୀ, ତନ୍ତିଆପାଳର ଉମାକାନ୍ତ ଦାସ ସମେତ ବହୁ ଯୁବତୀଯୁବକମାନେ ମନର କଥା କହିଛନ୍ତି, ରାଜ୍ୟରେ ରହିଥିବା ବିପୁଳ ଖଣିଖାଦାନ, ବିଶାଳ ଜଙ୍ଗଲ ଓ ସମୁଦ୍ରକୂଳ ସହିତ ବୃହତ ଲୋକଶକ୍ତିକୁ ଉପଯୋଗ କରିବାରେ ରାଜ୍ୟ ସରକାର ଫେଲ୍ ମାରିଛନ୍ତି । ଗ୍ରାମାଂଚଳରେ ରହିଥିବା ବସ୍ତ୍ର, କୃଷି, ପାରମ୍ପରିକ ଶିଳ୍ପର ବିକାଶକୁ ଦୃଷ୍ଟି ଦିଆଯାଉନି । ଖଣିକୁ ଖୋଳି ବିକ୍ରି କରିଦିଆଯାଉଛି । ଓଡ଼ିଶାର ଲୁହାପଥର, କୋଇଲା, ମାଙ୍ଗାନିଜ୍‌, ବକ୍ସସାଇଟ୍ ବିପୁଳ ପରିମାଣରେ ବିକ୍ରି କରାଯାଉଛି, ମାତ୍ରର ଏହାକୁ ବ୍ୟବହାର କରି ଜିନିଷ ପ୍ରସ୍ତୁତି ନିମନ୍ତେ ଶିଳ୍ପ କରାଯାଉନାହିଁ । କେବଳ ନିର୍ବାଚନ ଆସିଲେ ଶିଳ୍ପପତିମାନଙ୍କ ପାଖକୁ ଦୌଡ଼ି ଯାଉଛନ୍ତି । ଓଡ଼ିଶାର ବେକାର ଯୁବତୀ ଯୁବକ ନିଯୁକ୍ତି ପାଇପାରିଲେ ଗରିବ ସମସ୍ୟା ସମାଧାନ ହୋଇପାରିଥାନ୍ତା । ହେଲେ ଓଲଟା ଟଙ୍କିକିଆ ଚାଉଳ ହିତାଧିକାରୀଙ୍କ ସଂଖ୍ୟା ବଢ଼ୁଛି । ସରକାର ଏ ବାବଦରେ ନାଁ ନେବାକୁ ଚେଷ୍ଟା କରୁଛି । ଓଡ଼ିଶା ଧନୀ ହେଉଛି ବୋଲି କୁହାଯାଉଛି । ହେଲେ ଓଡ଼ିଆ ଗରିବ ହୋଇଚାଲିଛି ଓ ଦାଦନଙ୍କ ସଂଖ୍ୟା ବଢ଼ିଚାଲିଛି । ଓଡ଼ିଆ ଶିକ୍ଷିତ ବେକାର ଓ ଦାଦନ ଶ୍ରମିକଙ୍କ ଉପରେ ମାନସିକ ଚାପ ବଢ଼ିବଢ଼ି ଚାଲିଛି । ରାଜ୍ୟ ସରକାରଙ୍କ ବିଫଳତା ଏହାର କାରଣ ହୋଇଛି ବୋଲି ସେମାନେ ଲୁହଭରା କଣ୍ଠରେ କହିଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading