କେନ୍ଦ୍ରାପଡା ଜିଲାରେ ବସଯାତ୍ରା ସେବା ବିପର୍ଯ୍ୟସ୍ତ ହୋଇଯାଇଛି । ବସଭଡା ବାବଦକୁ ସରକାରଙ୍କ ନିରଦ୍ଧାରିତ ରେଟ ଠାରୁ ଅଧିକ ଭଡା ଜୋରଜବରଦସ୍ତ ଲୁଟି ନେଉଛନ୍ତି ବସ କର୍ମଚାରୀ । ଏଥିନେଇ ବାରମ୍ବାର ଅଭିଯୋଗ ହୋଇଥଲେ ସୁଦ୍ଧା ଜିଲା ପରିବହନ ବିଭାଗ ଚେଇଁ ଶୋଇରହିଛନ୍ତି । ବସ୍ ଯାତ୍ରୀମାନଙ୍କ ଠାରୁ ଯେଭଳି ଭାବେ ଭଡା ଆଦାୟ କରାଯାଉଛି ତାହାକୁ ଦେଖିଲେ ଏହା ଉପରେ କାହାରି ନିୟନ୍ତ୍ରଣ ଥିଲାଭଳି ମନେ ହେଉନାହିଁ । ଏଭଳି ମନଇଚ୍ଛା ଭଡା ଆଦାୟ କରାଯାଉଥିଲେ ବି ଏଥିପ୍ରତି ପରିବହନ ବିଭାଗ ଏକ ପ୍ରକାର ଆଖିବୁଜି ଦେଇଛି । ବିଭାଗୀୟ ଅଧିକାରୀଙ୍କର ତନଖି ନଥିବାରୁ ବସଗୁଡିକ ଯାତ୍ରୀମାନଙ୍କୁ ଶୋଷଣ କରୁଥିବା ଅଭିଯୋଗ ହେଉଛି ।
ଖବରଦାତା କୃତିବାସ ପ୍ରଧାନ କୁହନ୍ତି ସୋମବାର ମୋର ସଂପର୍କୀୟମାନଙ୍କ ସହିତ ପ୍ରିନ୍ସ (ଗୈାରୀ ଶଙ୍କର) ରେ ପଟ୍ଟାମୁଣ୍ଡାଇ ସଂସାରଫଳ ଆସୁଥିଲି । ପଟ୍ଟାମୁଣ୍ଡାଇ ରୁ ସଂସାରଫଳ ୧୩ କିଲୋମିଟର ହୋଇଥିବା ବେଳେ ରାଜ୍ୟ ପରିବହନ ବିଭାଗ କରିଥିବା ଧାର୍ଯ୍ୟ କିଲୋମିଟର ପିଛା ୯୨ପଇସାକୁ ହିସାବ କଲେ ୧୧ଟଙ୍କା ୯୬ପଇସା ହେଉଛି । ଉକ୍ତ ବସର କଣ୍ଡକ୍ଟର ମାନେ ୨୦ଟଙ୍କା ଲେଖାଏଁ ନେଇଛନ୍ତି । ଫଳରେ ଜଣେ ବ୍ୟକ୍ତିଠାରୁ ବସ ୮ଟଙ୍କା ଭଡା ଅଧିକ ନେଇଛନ୍ତି । ସାଧାରଣ ଯାତ୍ରୀଙ୍କୁ ସୁରକ୍ଷା ଦେବା ତ ଦୂରର କଥା ଭଡା ଆକାରରେ ଶୋଷଣ କରି ଚାଲିଛନ୍ତି । ନିଜର ମନମାନୀରେ ବସ କଣ୍ଡକ୍ଟର ସାଧାରଣ ଯାତ୍ରୀଙ୍କ ପାଖରୁ ସବୁବେଳେ ଡିଜେଲର ଅହେତୁକ ମୂଲ୍ୟବୃଦ୍ଧିକୁ ଆଳ କରି ଏହି ଶୋଷଣ କରୁଥିବା ଜଣାଯାଇଛି।
ସେହିପରି ସମାଜିକକର୍ମୀ ଜ୍ୟୋତିପ୍ରକାଶ ପ୍ରଧାନ କୁହନ୍ତି ପଟ୍ଟାମୁଣ୍ଡାଇରୁ ରାଜନଗର ପ୍ରାୟ ୨୦ କିଲୋ ମିଟର ରାସ୍ତା ହୋଇଥିବା ବେଳେ ବସ କଣ୍ଡକ୍ଟର ୩୦ ଟଙ୍କା ଲେଖାଏଁ ବସ ଭଡା ନେଉଛନ୍ତି । ରାଜନଗର ବ୍ଲକକୁ ପ୍ରତିଦିନ କଟକ ଓ ଭୁବନେଶ୍ୱରରୁ ପ୍ରତିଦିନ ୩୨ଟି ବସ ଯିବା ଆସିବା କରିଥାଏ । ଦୁଇଟି ବସ ମାତ୍ର ଶୀତତାପ ନିୟନ୍ତ୍ରିତ ହୋଇଥିବା ବେଳେ ଅନ୍ୟ ୩୦ଟି ବସ ସାଧାରଣ (ଅଡିନାରୀ) ବସ ଯିବା ଆସିବା କରୁଛି । ଏପରି ସ୍ଥିତିରେ ଯାତ୍ରୀମାନଙ୍କୁ ବସରେ ଶୋଷଣ କରାଯାଉଥିବା ନେଇ ଯେଉଁ ଅଭିଯୋଗ ଉଠୁଥିଲା ତାହା ସତ୍ୟତାରେ ପରିଣତ ହୋଇଛି ।
ଏନେଇ ଜିଲ୍ଲା ପରିବହନ ଅଧିକାରୀ ଧିରେନ୍ଦ୍ର କୁମାର ନାୟକଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଅନୁଧ୍ୟାନ କରି ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି ।