ମେଡିକାଲ କଲେଜ ଦାବି : ଜାରି ରହିବ ଆନ୍ଦୋଳନ,ସେପ୍ଟେମ୍ବର ୨୩ରେ ହେବ ଅର୍ଥନୈତିକ ଅବରୋଧ


କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ନିମନ୍ତେ ଆନ୍ଦୋଳନ ଥମିବାର ନାଁ ଧରୁନି । ଗତ ମଙ୍ଗଳବାର ଠାରୁ ଗରାପୁରସ୍ଥିତ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ନିକଟରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ କ୍ରିୟାନୁଷ୍ଠାନ କମିଟି ଆହ୍ୱାନରେ ଚାଲିଥିବା ଗଣଧାରଣାକୁ ଆଜି ପଞ୍ଚମ ଦିନ ପୁରିଛି । ଗତ ୭ତାରିଖରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ)ଙ୍କ ପ୍ରକୋଷ୍ଠରେ ପ୍ରଶାସନର ଆହ୍ୱାନ କ୍ରମେ ହୋଇଥିବା ଦ୍ୱିପାକ୍ଷିକ ଆଲୋଚନା ଆଧାରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କୁ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ନିମନ୍ତେ ସୁପାରିଶ କରି ତାର ନକଲ କ୍ରିୟାନୁଷ୍ଠାନ କମିଟିକୁ ପ୍ରଦାନ କରିବାର ନିଷ୍ପତ୍ତି ହୋଇଥିଲା । ଏହି ସର୍ତ୍ତରେ କ୍ରିୟାନୁଷ୍ଠାନ କମିଟି ଆନ୍ଦୋଳନକୁ ସାମୟିକ ଭାବେ ସ୍ଥଗିତ ରଖିବାକୁ ପ୍ରତିଶ୍ରୁତି ଦେଇଥିଲା । ମାତ୍ର କ୍ରିୟାନୁଷ୍ଠାନ କମିଟି ପାଖରେ ଗତ କାଲି ଅର୍ଥାତ୍ ୮ତାରିଖ ସନ୍ଧ୍ୟାରେ ପହଞ୍ଚିଥିବା ପ୍ରଶାସନର ଚିଠିରେ ଆଲୋଚନା ମୁତାବକ ମେଡିକାଲ କଲେଜ ପ୍ରତିଷ୍ଠା ସମ୍ପର୍କିତ କୌଣସି ସୁପାରିଶ ନଥିବା ଜଣାଯାଇଛି । ଗଣଧାରଣା ପରେ ପରେ କମିଟିର ସଭାପତି ଅଧ୍ୟାପକ ଅଜୟ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାଧାରଣ ପରିଷଦ ବୈଠକରେ ଆଲୋଚନାରେ ଅଂଶ ଗ୍ରହଣ କରି ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା, ଚିନ୍ମୟ ପ୍ରସାଦ ବେହୁରା, ରମଣୀ ରାଉତରାୟ, ଗୟାଧର ଧଳ, ପ୍ରଫୁଲ୍ଲ ଦାସ, ଭାଗୀରଥି ଜେନା, ମୁକ୍ତାର ଖାଁ, ଆଡଭୋକେଟ ବିଚିତ୍ରାନନ୍ଦ ମହାନ୍ତି, ସରୋଜରାଜ ସିଂ, ପ୍ରଦୀପ ମହାନ୍ତି, ସୂର୍ଯ୍ୟକାନ୍ତ ପରିଡା, ଫକୀର ଖଟୁଆ, ଚିତ୍ତରଞ୍ଜନ ଦାସ, ନିରାକାର ଜେନା ପ୍ରମୁଖ ପ୍ରଶାସନର ମେଡିକାଲ କଲେଜ ପ୍ରତିଷ୍ଠା ପ୍ରତି ବିଶ୍ୱାସଘାତକତା ଓ ଚଞ୍ଚକତା ପୂର୍ଣ୍ଣ ଚିଠିର ତୀବ୍ର ନିନ୍ଦା କରିଥିଲେ । ପ୍ରଶାସନ କ୍ରିୟାନୁଷ୍ଠାନ କମିଟି ସହିତ ଆଲୋଚନା ବେଳେ ଦେଇଥିବା ପ୍ରତିଶ୍ରୁତିକୁ ରକ୍ଷା କରି ନଥିବାରୁ ଆନ୍ଦୋଳନ ପୂର୍ବବତ୍ ଚାଲୁ ରହିବ ବୋଲି କମିଟି ଘୋଷଣା କରିଛି । ଏହି ସମୟ ମଧ୍ୟରେ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ସମ୍ପର୍କରେ ସରକାରଙ୍କ ପକ୍ଷରୁ କୌଣସି ଠୋସ ପଦକ୍ଷେପ ନିଆ ନଗଲେ ପୂର୍ବ ଘୋଷିତ ୨୨ ତାରିଖ ପରିବର୍ତ୍ତେ ସେପ୍ଟେମ୍ବର୨୩ ତାରିଖରେ ଅର୍ଥନୈତିକ ଅବରୋଧ କରାଯିବ ବୋଲି ଚେତାବନୀ ଦିଆଯାଇଛି ।


Next Post

ମାଛ ଧରା ଜାଲରେ ପଡିଲା ହିଂସ୍ର କୁମ୍ଭୀର, ଗ୍ରାମବାସୀ ଭୟଭୀତ

Sun Sep 10 , 2023
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଥାନା ନିକଟସ୍ଥ ନାଇଆଡିଆ ଗାଁ ଦେଇ ପ୍ରବାହିତ ହେଉଥିବା ବ୍ରହ୍ମଣୀ ନଦୀରେ ରବିବାର ସଂନ୍ଧ୍ୟା ଦୁଇଜଣ ଧୀବର ମାଛ ଧରିବା ପାଇଁ ଜାଲ ଟାଣୁଥିବାବେଳେ ଏକ ୪ ଫୁଟ୍ ଲମ୍ବର ହିଂସ୍ର କୁମ୍ଭୀର ଜାଲ ଫାଶରେ ପଡିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ତେବେ ବଡ ମାଛ ଭାବି ଡଙ୍ଗା ଦ୍ୱାରା ନଦୀ କୂଳକୁ ଜାଲ ଆଣିବା ପରେ ହିଂସ୍ର କୁମ୍ଭୀରଟି ସେଥିରେ ଫଶି […]

KANIKA