ଶିକ୍ଷକ ଶିକ୍ଷୟିତ୍ରୀ ସାମୁହିକ ଛୁଟିରେ


ରାଜ୍ୟ ସରକାର ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ୫ଟି ରୁପାନ୍ତରିକରଣରେ କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି । ହେଲେ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳରେ ପ୍ରଶାସନିକ ଅଧିକାରୀଙ୍କ ନିଷ୍କ୍ରିୟତା ଓ ସ୍ୱାର୍ଥ ଶିକ୍ଷକତା ଯୋଗୁ ଏହାର ସୁଫଳ ମିଳିପାରୁନାହିଁ । କେଉଁଠି ଭିର୍ତି ଭୁମି ଅଛି ଶିକ୍ଷକ ନାହାଁନ୍ତି ଆଉ କେଉଁଠି ଶିକ୍ଷକ ଅଛନ୍ତି ପାଠପଢା ହେଉନି । ଏସବୁ ସତ୍ବେ ସରକାରୀ ସ୍କୁଲଗୁଡିକର ଆଶାନୁରୂପ ବିକାଶ ସମ୍ଭବ ହୋଇପାରୁନାହିଁ । ନିଜ ସ୍ୱାର୍ଥ ଲୋଭରେ ସ୍କୁଲରେ ତାଲା ପକାଇ ପିଲାଙ୍କ ପାଠପଢ଼ା ବନ୍ଦ କରି ପ୍ରାଥମିକ ଶିକ୍ଷୟିତ୍ରୀ-ଶିକ୍ଷକ ଧାରଣା ଦେଇ ଥିବାରୁ ଅଭିଭାବକଙ୍କ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଅଭିଭାବକ ସଂଘ ସମ୍ପାଦକ ନରେନ୍ଦ୍ର ଧଳ କୁହନ୍ତି ଅତିତରେ ଗୁରୁକୁଳ ଆଶ୍ରମ ଥିଲା ଆମ ଶିକ୍ଷା ବ୍ୟବସ୍ଥାର ମୂଳସୂତ୍ର । ଆତ୍ମସଂଯମ ଓ ଆତ୍ମଶୃଙ୍ଖଳା ବଳରେ ସେମାନେ ଶିଷ୍ୟମାନଙ୍କୁ ପ୍ରଦାନ କରୁଥିଲେ ଆଲୋକ ଓ ଅମୃତ ପଥରେ ଯାତ୍ରୀ ହେବାର ମନ୍ତ୍ର । ଆଶ୍ରମ ଯୁଗର ଅବସାନ ପରେ ଆରମ୍ଭ ହେଲା ଚାଟଶାଳୀ ଶିକ୍ଷା ବ୍ୟବସ୍ଥା ପ୍ରର୍ଯ୍ୟାୟକ୍ରମେ ସରକାର ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚଶିକ୍ଷା ବ୍ୟବସ୍ଥା ଆରମ୍ଭକଲେ । ବିଦ୍ୟାଳୟ , ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଶିକ୍ଷାଦାନ ପାଇଁ ନିୟୋଜିତ ହେଲେ ଶିକ୍ଷକ ଓ ଅଧ୍ୟାପକ । ମା୍‌ତ୍ର ଆଜିର ସରକାରୀ ଶିକ୍ଷକ କେଉଁଭଳି ଶିକ୍ଷାଦାନ କରିଥାନ୍ତି ସମୀକ୍ଷା କରାଗଲେ ହୁଏତ ସମଗ୍ର ଶିକ୍ଷକ ସମାଜ ବଦନାମ ହୋଇଯିବ ।

ବୁଦ୍ଧିଜିବୀ ପ୍ରମୋଦ ସାହୁ କୁହନ୍ତି ସମୟ ବଦଳିବା ସହିତ ଆଜି ଶିକ୍ଷା ବଦଳିଛି । ଘରୋଇ ବିଦ୍ୟାଳୟଗୁଡ଼ିକର ପର୍ଯ୍ୟାପ୍ତ ଉପସ୍ଥିତି ପ୍ରଭାବିତ କରିଛି ପାରମ୍ପରିକ ଶିକ୍ଷାନୁଷ୍ଠାନଗୁଡିକୁ । ସରକାରୀ ବିଦ୍ୟାଳୟଗୁଡ଼ିକରେ ଉପସ୍ଥାନ ଉଦ୍‌ବେଗଜନକ ଭାବେ ହ୍ରାସ ପାଇ ଚାଲିଥିବାବେଳେ ଘରୋଇ ସ୍କୁଲରେ ଏହା ବୃଦ୍ଧି ପାଇଚାଲିଛି । ସରକାର ସରକାରୀ ସ୍କୁଲ ରୂପାନ୍ତିକରଣ ନାଁ ରେ ଚାଲିଛି ଦୁର୍ନୀତି । ଗୋଟିଏ ଶ୍ରେଣୀରେ ବସି ବିଭିନ୍ନ ଶ୍ରେଣୀର ପିଲା ପାଠ ପଢୁଛନ୍ତି । ଗୋଟିଏ କୋଠରୀରେ ଗୋଟିଏ କି ଦୁଇଟି ନୁହେଁ ବରଂ ପାଂଚଟି ଶ୍ରେଣୀର ପିଲା ପାଠ ପଢୁଛନ୍ତି । ସରକାରୀ ସ୍କୁଲରେ ଖାଲି କୋଠରୀ ଅଭାବ ତାହା ନୁହେଁ । ଶିକ୍ଷକର ଶିକ୍ଷାର୍ଥୀଙ୍କୁ ଶିକ୍ଷା ଦେବାର ଅଭାବ ।   ଶିକ୍ଷକ ଶିକ୍ଷାର୍ଥୀ ଶିକ୍ଷାର ମାନ ତଥା ଆଧାର ଉପରେ କୌଣସି ଜ୍ଞାନ ନଦେଇ କେବଳ କୌଣସି ମତେ ଶିକ୍ଷା ବର୍ଷ ଶେଷରେ ଉଚ୍ଚ ସଂଖ୍ୟା ବିଶିଷ୍ଟ ପ୍ରମାଣପତ୍ର ଦେବେ ସେନେଇ ଲକ୍ଷ ରଖୁଛନ୍ତି ।

ସାମାଜିକକର୍ମୀ ପ୍ରତାପ ପଢୀ କୁହନ୍ତି ବର୍ତମାନ ସରକାରୀ ବିଦ୍ୟାଳୟ ମାନଙ୍କରେ ଯେଉଁମାନେ ବି ନିୟମିତ ବିଦ୍ୟାଳୟକୁ ଆସୁଛନ୍ତି ସେମାନଙ୍କ ମଧ୍ୟରୁ ଏକ ବୃହଦାଂଶ ନିଜଶ୍ରେଣୀ ପାଇଁ ଅଯୋଗ୍ୟ । ତୃତୀୟ ଶ୍ରେଣୀ ପିଲା ଓଡ଼ିଆ ପଢ଼ିପାରୁନାହିଁ । ସପ୍ତମ ଶ୍ରେଣୀ ପିଲା ଶୁଦ୍ଧ ଓଡ଼ିଆ ବାକ୍ୟଟିଏ ଲେଖିପାରୁ ନାହିଁ । ଅଥଚ ମାଟ୍ରିକ ପରୀକ୍ଷାରେ ସେହି ପିଲା ୮୦ ପ୍ରତିଶତରୁ ଊର୍ଦ୍ଧ୍ୱ ନମ୍ବର ରଖୁଛି । ଶିକ୍ଷକ ମାନେ କୋଚିଂ ସେଂଟର ନାମରେ ପିଲାଙ୍କଠୁ ଅଧିକ ପଇସା ନେଉଛନ୍ତି । ଆମ ସମୟରେ ଅତି ମେଧାବୀ ଛାତ୍ର ଏପରିକି ପ୍ରଥମ ଦଶ ଜଣଙ୍କ ମଧ୍ୟରେ ସ୍ଥାନ ପାଇଥିବା ପିଲା ୭୦ ପ୍ରତିଶତ ନମ୍ବର ରଖିବା କଷ୍ଟକର ଥିଲା । ଅଧିକ ନମ୍ବର ରଖିବା ଭଲକଥା କିନ୍ତୁ ତଦନୁଯାୟୀ ଗୁଣାତ୍ମକ ବିକାଶ ସାଧିତ ହେବା ଉଚିତ । ଆଜିର ଶିକ୍ଷକ ଶିକ୍ଷାଦାନ କରିଥାନ୍ତି ସ୍ୱାର୍ଥକୁ ଗୁତୁତ୍ୱ ଦେଇ ବୋଲି ସେ କହିଥିଲେ ।

ପୁରାତନ ଶିକ୍ଷକ ପ୍ରଫୁଲ୍ଲ ଦାଶ କୁହନ୍ତି ଆଗକାଳରେ ଗୁରୁଶିଷ୍ୟର ସମ୍ପର୍କ ଅତି ଉଚ୍ଚକୋଟିରେ ଥିଲା । ଆଗରୁ ଶିକ୍ଷକ ଶିକ୍ଷାଦାନ ଦେବାକୁ ପିଲାଙ୍କ ଘରକୁ ଯାଇ ପାଠ ପଢାଉଥିଲେ ମଧ୍ୟ କୌଣସି ଦେୟ ନେଉନଥିଲେ । ପିଲାମାନେ ଶନିବାରିଆ ମୁଠି ଚାଉଳ ଅଣୁଥିଲେ । ମାସିକିଆ ଦରମା ମଧ୍ୟ ଦେଉଥିଲେ । ସେତେବେଳେ ନୈତିକତା ଓ ଆଧ୍ୟାତ୍ମିକତା ଶିକ୍ଷାକୁ ପ୍ରକୃତ ମୂଲ୍ୟ ଓ ମହତ୍ୱ ଦିଆଯାଉଥିଲା । ଶିକ୍ଷା ଜୀବିକା ଅର୍ଜନ ପାଇଁ ନ ହୋଇ ଜୀବନ ପାଇଁ ହେବା ଉଚିତ । ଏବେ ଶିକ୍ଷାନୁଷ୍ଠାନଗୁଡ଼ିକ ବିଶୃଙ୍ଖଳା ଓ ଅବ୍ୟବସ୍ଥାର ଆଶ୍ରୟସ୍ଥଳ ହୋଇଛି । ଶିକ୍ଷକମାନେ ଆନ୍ଦୋଳନ କରୁଛନ୍ତି ଅସନ୍ତୁଷ୍ଟ ହେଉଛନ୍ତି । ଆଗକାଳରେ ମା’ବାପା, ସାଧୁସନ୍ଥ ବୀରମାନଙ୍କ କାହାଣୀ ଦେଶର ସଂସ୍କୃତି ଐତିହ୍ୟକୁ ପିଲାମାନଙ୍କୁ ଶିକ୍ଷା ଦେଉଥିଲେ । ଏବେ ମାତାପିତା ପିଲାକୁ ନିଜ ବାଟରେ ଯିବା ପାଇଁ ଓ ଉତମ, ମହାନ୍‌, ସମୁଚିତ କଥାକୁ ଏଡ଼ାଇ ଯିବା ପାଇଁ ଅନୁମତି ଦେଉଛନ୍ତି । ଏବେ ଶିକ୍ଷକମାନେ ଛାତ୍ରମାନଙ୍କୁ ମୂଲ୍ୟବୋଧ ଶିକ୍ଷା ଦେଉନାହାନ୍ତି । ପରିତାପର ବିଷୟ, ଦେଶର ଅଧିକାଂଶ ସମସ୍ୟା ଶିକ୍ଷିତ ଲୋକମାନଙ୍କ ଦ୍ୱାରା ସୃଷ୍ଟି ହେଉଛି । ଅଶିକ୍ଷିତ ବା ନିରକ୍ଷରମାନଙ୍କ ପାଇଁ ନୁହେଁ । କାରଣ ଶିକ୍ଷିତ ଉପଯୁକ୍ତ ଶିକ୍ଷା ଲାଭ କରି ନାହାନ୍ତି ବୋଲି ସେ କହିଛନ୍ତି ।


Next Post

୧୫ ବର୍ଷର ଗାଡ଼ିକୁ ରାସ୍ତାରୁ ହଟାଇବାକୁ ନିଷ୍ପତି, ଟ୍ରେକରରେ ଯାତ୍ରୀ ପରିବହନ, କାର୍ଯ୍ୟାନୁଷ୍ଠାନ ଶୂନ

Sun Sep 10 , 2023
ପୁରୁଣା ଗାଡ଼ିରୁ ବାହାରୁଥିବା ଧୂଆଁ ଯୋଗୁଁ ପରିବେଶ ପ୍ରଦୂଷଣ ହେଉଥିବାରୁ ୧୫ ବର୍ଷରୁ ଅଧିକ ସମୟର ଗାଡ଼ିକୁ ରାସ୍ତାରୁ ହଟାଇ ଦେବାକୁ ସରକାର ନିଷ୍ପତି ନେଇଛନ୍ତି । ତେଣୁ ରାଜ୍ୟରେ ଏଣିକି ୧୫ ବର୍ଷ ପୁରୁଣା ଗାଡ଼ିକୁ ସ୍କ୍ରାପିଂ କରାଯିବ । ଏଥିନେଇ ଟାଟା ମୋଟର୍ସ ସହଯୋଗରେ ଖୋର୍ଦ୍ଧାରେ ସ୍କ୍ରାପିଂ କରିଥିବା ବ୍ୟକ୍ତିମାନଙ୍କୁ ନୂଆ ଗାଡି କିଣିବା ପାଇଁ ପ୍ରୋତ୍ସାହନ ରାଶି ଦିଆଯିବାର ବ୍ୟବସ୍ଥା ରହିଛି । ମାତ୍ର ପଟ୍ଟାମୁଣ୍ଡାଇ […]

You May Like