- ଶୋକାକୁଳ ପରିବେଶ,
- ଗୋବିନ୍ଦପୁର ଲୋକାରଣ୍ୟ,
- ନେତା ଓ ଜନତାଙ୍କ ସୁଅ ଚୁଟିଛି
ଭୁବନେଶ୍ୱରରୁ ଆମ୍ବଲାନ୍ସ ଯୋଗେ ଚିକିତ୍ସା ପାଇଁ ବାଙ୍ଗାଲୋର ଯାଇଥିବା ପଟ୍ଟାମୁଣ୍ଡାଇ ଗୋବିନ୍ଦପୁର ଓ ଆଳି ଅଙ୍ଗାରକ୍ଷ ଅଂଚଳର ବାପା, ଦାଦା ଓ ଝିଅ ଜ୍ୱାଇଁ ୪ ଜଣ ଫେରିବା ବାଟରେ ଆନ୍ଧ୍ରପ୍ରଦେଶର ଚିତୋର ଠାରେ ଆମ୍ବଲାନସ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ମୃତକ ପଟ୍ଟାମୁଣ୍ଡାଇ ବ୍ଳକ ଗୋବିନ୍ଦପୁର ଗ୍ରାମର ବିଜୟ ନାୟକ (୫୩), ତ୍ରିଲୋଚନ ନାୟକ (୫୫) , ଆଙ୍ଗାରଖ ଗ୍ରାମର ଉମେଶ ଚନ୍ଦ୍ର ସାହୁ(୪୩), ଲିଳିମା ସାହୁ(୩୭)ଙ୍କ ଶବ ଆନ୍ଧ୍ରପ୍ରଦେଶରେ ବ୍ୟବଛେଦ କରାଗଲା ପରେ ଓଡିଶା ମୋ ପରିବାର ଓ ଜିଲ୍ଲା ପ୍ରଶାସନ ସହଯୋଗରେ ସୁଦୂର ଆନ୍ଧ୍ରପ୍ରଦେଶରୁ ଆସି ଆଜି ସନ୍ଧ୍ୟାରେ ପଟ୍ଟାମୁଣ୍ଡାଇ ଗୋବିନ୍ଦପୁରରେ ପହଁଚିଛି । ମୃତକଙ୍କ ଶବ ପହଂଚିବା ପରେ ସମଗ୍ର ପଟ୍ଟାମୁଣ୍ଡାଇ ବିଶେଷ କରି ଗୋବିନ୍ଦପୁର ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ମୃତକଙ୍କ ପରିବାର ଲୋକମାନେ ମୃତ ଶବକୁ ଦେଖି କାନ୍ଦି କାନ୍ଦି ଭୂଇଁରେ ଲୋଟି ଯାଉଥିବା ଦେଖିବାକୁ ମିଳିଛି ।
ଏହି ଖବର ମିଳିବା ପରେ ଗୋବିନ୍ଦପୁର ଗାଁକୁ ନେତା ଓ ସାଧାରଣଜନତାଙ୍କ ସୁଅ ଛୁଟିଛି । ଅନ୍ୟପକ୍ଷରେ ଗୋବିନ୍ଦପୁର ଗ୍ରାମର ଦୁଇ ବାପା ଦାଦା ବିଜୟ ନାୟକ ଓ ତ୍ରିଲୋଚନ ନାୟକଙ୍କ ଶବ ଗାଁ ରେ ସତ୍କାର କରିବା ପାଇଁ ବ୍ୟବସ୍ଥା ହେଉଥିବାବେଳେ ଝିଅ ଲିଳିମା ସାହୁ ଓ ଜ୍ୱାଇଁ ଉମେଶ ସାହୁଙ୍କ ଶବ ତାଙ୍କ ଗ୍ରାମ ଆଳି ବ୍ଲକ ଅଙ୍ଗାରକ୍ଷ ଯିବା ପାଇଁ ବ୍ୟବସ୍ଥା କରାଯାଇଛି । କେନ୍ଦ୍ରାପଡ଼ା ପୂର୍ବତନ ବିଧାୟକ କିଶୋର ତରାଇ ଘଟଣା ସ୍ଥଳରେ ପହଂଚି ମୃତକ ପରିବାରକୁ ସମବେଦନା ଜଣାଇବା ସହିତ ସାନ୍ତ୍ୱନା ଦେଇଥିଲେ । ଏହାଛଡା ରାଜନଗର ବିଧାୟକ ଧ୍ରୁବ ସାହୁ, ପଟ୍ଟାମୁଣ୍ଡାଇ ପୌର ଅଧ୍ୟକ୍ଷ ହେମନ୍ତ ସାହୁ ଓ ନଗର ବିଜେଡି ସଭାପତି ବୁଢ଼ା ଲେଙ୍କାଙ୍କ ସହିତ ଗୋବିନ୍ଦପୁର ଗାଁ ରେ ପହଂଚି ମୃତ ପରିବାରକୁ ସମବେଦନା ଓ ସାନ୍ତ୍ୱନା ଦେବା ସହିତ ଶବ ସତ୍କାର ବ୍ୟବସ୍ଥା କରିଛନ୍ତି । ସେହିପରି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ମୃତକ ପରିବାରକୁ ସମବେଦନା ଜଣାଇବା ସହିତ ଘଟଣାସ୍ଥଳକୁ ତାଙ୍କ ପ୍ରତିନିଧି ପଠାଇଛନ୍ତି ଓ ପୂର୍ବତନ ସାଂସଦଙ୍କ ପକ୍ଷରୁ ଜିଲ୍ଲା ଭାଜପା ସଭାପତି କିଶୋର ପଣ୍ଡା,ଜିଲ୍ଲା ପଛୁଆବର୍ଗ ସମ୍ପାଦକ ସୁଶୀଲ ପରିଡା ଓ ଚନ୍ଦନ ପାତ୍ର ମୃତକ ପରିବାରକୁ ଭେଟି ସମବେଦନା ଜ୍ଞାପନ କରିବା ସହିତ ପୂର୍ବତନ ସାଂସଦଙ୍କ ପକ୍ଷରୁ ୨୫ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି ।