ଗାନ୍ଧି ଶାନ୍ତି ପ୍ରତିଷ୍ଠାନର ଜିଲ୍ଲା ସାଂଗଠନିକ ସଭା ଓ କର୍ମକର୍ତ୍ତା ନିର୍ବାଚନ


କେନ୍ଦ୍ରାପଡ଼ା, ୧୭ା୧୨ : ଗାନ୍ଧିଜୀ କେବଳ ଜଣେ ବ୍ୟକ୍ତି ନଥିଲେ । ସେ ଥିଲେ ଗୋଟିଏ ବିଚାରର ପ୍ରତିନିଧି ଏବଂ ତାଙ୍କର ଜୀବନ ହିଁ ଥିଲା ତାଙ୍କ ବିଚାରର ପ୍ରତିଛବି । ଯେଉଁଥି ପାଇଁ କେବଳ ଭାରତରେ ନୁହେଁ ବରଂ ସମଗ୍ର ବିଶ୍ୱ ତାଙ୍କୁ ବିଶ୍ୱ ମାନବର ସମ୍ମାନ ଦେଉଥିବା ବେଳେ ଭାରତବର୍ଷ ତାଙ୍କ ପାଇଁ ଗର୍ବ ଅନୁଭବ କରିଥାଏ । ମାତ୍ର ଧର୍ମାନ୍ଧମାନଙ୍କ ଦ୍ୱାରା ତାଙ୍କୁ ହତ୍ୟା କରାଯିବା ଦିନଠୁଁ ଆଜିଯାଏ ତାଙ୍କ ବିଚାରକୁ ହତ୍ୟା କରିବା ପାଇଁ ସମସ୍ତ ଷଡଯନ୍ତ୍ର ସତ୍ୱେ ସେ ଓ ତାଙ୍କର ବିଚାର ଦିନକୁ ଦିନ ଅଧିକରୁ ଅଧିକ ଉଜ୍ଜ୍ୱଳି ଉଠିବା ଗାନ୍ଧି ବିଚାରର ଶ୍ରେଷ୍ଠତାକୁ ପ୍ରତିପାଦନ କରେ ବୋଲି ଗାନ୍ଧି ଶାନ୍ତି ପ୍ରତିଷ୍ଠାନର ଜିଲ୍ଲା ସାଂଗଠନିକ ସଭାରେ ପର୍ଯ୍ୟବେକ୍ଷକ ରୂପେ ଯୋଗଦେଇ ଗାନ୍ଧି ଶାନ୍ତି ପ୍ରତିଷ୍ଠାନର ରାଜ୍ୟ ସଭାପତି ଜଷ୍ଟିସ ମନୋରଞ୍ଜନ ମହାନ୍ତି ପ୍ରକାଶ କରିଛନ୍ତି । ସଂଗଠନର ଜିଲ୍ଲା ଆବାହକ ଆଦିକନ୍ଦ ରାଉଳଙ୍କ ସଭାପତିତ୍ୱରେ ପବ୍ଲିକ ରିଡିଂରୁମ ପରିସରରେ ଅନୁଷ୍ଠିତ ଏହି ସାଂଗଠନିକ ସଭାରେ ସଂଗଠନର କେନ୍ଦ୍ରୀୟ ନିୟାମକ ମଣ୍ଡଳୀ ସଭ୍ୟ ଡଃ. ବିଶ୍ୱଜିତ ରାୟ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଗାନ୍ଧି ବିଚାରର ପ୍ରଚାର ପ୍ରସାରରେ ଗାନ୍ଧି ଶାନ୍ତି ପ୍ରତିଷ୍ଠାନର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ରାଷ୍ଟ୍ରୀୟ ଯୁବ ସଂଗଠନର ରାଷ୍ଟ୍ରୀୟ ସମିତି ସଭ୍ୟ ମାନସ ପଟ୍ଟନାୟକ ସଂଗଠନର ଆଭିମୂଖ୍ୟ ସ୍ପଷ୍ଟ କରିଥିବା ବେଳେ ସର୍ବୋଦୟ ସମିତିର ଜିଲ୍ଲା ସମ୍ପାଦକ ପଦ୍ମନାଭ ଦାସ, ପ୍ରାଧ୍ୟାପକ ନନ୍ଦ କିଶୋର ପରିଡା, ଅଜୟ ସାମଲ, ଡଃ. ବାସୁଦେବ ଦାସ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଆଲୋଚନା ପରେ ଜଷ୍ଟିସ ମହାନ୍ତିଙ୍କ ଜିଲ୍ଲା କମିଟି ପାଇଁ ଅନୁଷ୍ଠିତ ନିର୍ବାଚନରେ ପ୍ରାଧ୍ୟାପକ ନନ୍ଦ କିଶୋର ପରିଡା ସଭାପତି, ଆଦିକନ୍ଦ ରାଉଳ ସମ୍ପାଦକ, ଭାଗୀରଥି ଜେନା ଉପସଭାପତି, ନିର୍ମଳ ଜେନା ସହ ସମ୍ପାଦକ ଓ ମୁକ୍ତାର ଖାଁଙ୍କୁ କୋଷାଧ୍ୟକ୍ଷ ସହ ଏକ ୧୧ଜଣିଆ ଜିଲ୍ଲା କମିଟିକୁ ସର୍ବସମ୍ମତ କ୍ରମେ ନିର୍ବାଚିତ କରାଯାଇଥିଲା । ଶେଷରେ ଅମର ପ୍ରସାଦ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ରମଣିରଞ୍ଜନ ରାଉତରାୟ, ଗୟାଧର ଧଳ, ଆଶିଷ ସେନାପତି, ଅବଧୂତ ରାଉତ, କୁଳମଣୀ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

 


Next Post

କେନ୍ଦ୍ରାପଡା ବିଜେଡି କର୍ମକର୍ତ୍ତା କାଉନସିଲରଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହୃତ

Sun Dec 17 , 2023
କେନ୍ଦ୍ରାପଡା ବିଜେଡି କର୍ମକର୍ତ୍ତା ଏବଂ ନିର୍ବାଚିତ କାଉନସିଲରଙ୍କ ଉପରୁ ଦଳୀୟ ନିଲମ୍ବନ ଆଦେଶକୁ ପ୍ରତ୍ୟାହୃତ କରିନିଆଯାଇଥିବା ଜଣାପଡିଛି । ବିଜୁ ଜନତା ଦଳର ରାଜ୍ୟ ସଭାପତିଙ୍କ ନିର୍ଦେଶ କ୍ରମେ ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏକ ପ୍ରେସ ବିଜ୍ଞପ୍ତି ଯୋଗେ ଏସମ୍ପର୍କରେ ସୂଚନା ଦେଇଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ଆସନ୍ତା କାଲି ୫-ଟି ଓ ନବୀନ ଓଡିଶାର ଅଧ୍ୟକ୍ଷ ଭି. କାର୍ତ୍ତିକେୟନ ପାଣ୍ଡିଆନଙ୍କ କେନ୍ଦ୍ରାପଡା […]