
ପଟ୍ଟାମୁଣ୍ଡାଇ ୧/୧୦ -ଜଙ୍ଗଲ ଜମିରେ ରାଜନଗର ବିଧାୟକ ଧ୍ରୁବ ସାହୁ ହୋଟେଲ କରିଥିବା ନେଇ ପଟ୍ଟାମୁଣ୍ଡାଇ ମେଡିକାଲଛକ ଓ ରାଜନଗରରେ ଗତ ୨୯ ତାରିଖରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ, କୁଶପୁତଳିକା ଦାହ, ଖବରଦାତା ସମ୍ମିଳନୀ କରାଯାଇଥିବା ବେଳେ ରବିବାର ବରିଷ୍ଠ ବିଜେଡି ନେତା ଆଇନଜୀବୀ କ୍ଷୀରୋଦ ପ୍ରଧାନ ଏକ ପ୍ରେସ ବିବୃତିରେ ଜବାବ ରଖିଛନ୍ତି । ସେ ରାଜନଗର କଂଗ୍ରେସ ଆଣିଥିବା ଅଭିଯୋଗକୁ ଖଣ୍ଡନ କରିବା ସଂଙ୍ଗେ କଂଗ୍ରେସର ଏହା ବିଧାୟକଙ୍କ ବିରୋଧରେ ଏକ କପୋଳ କଳ୍ପିତ ଓ ମନଗଢା କାହାଣୀ ବୋଲି କହିଛନ୍ତି । । କଂଗ୍ରେସର ଅଭିଯୋଗରେ ସତ୍ୟତା ନାହିଁ, ଏବଂ ଜଣେ ଜନପ୍ରିୟ ବିଧାୟକଙ୍କୁ ଜନତାଙ୍କ ସମ୍ମୁଖରେ ମିଥ୍ୟା ଆରୋପ କରି ଜନତାଙ୍କ ଆଗରେ ତାଙ୍କ ଜନ ସମର୍ଥନକୁ ପ୍ରତିରୋଧ କରିବା ଏହା ଏକ କଂଗ୍ରେସର ଷଡଯନ୍ତ୍ର । ବିଧାୟକଙ୍କ ନାମରେ ନେଇଥିବା ଯେଉଁ ଜମି ଉପରେ କଂଗ୍ରେସ ଅଭିଯୋଗ ଉଠାଇଛନ୍ତି ସେ ଅଂଚଳରେ ବିଧାୟକ ଧ୍ରୁବ ସାହୁ କିମ୍ବା ତାଙ୍କ ପରିବାରର କୌଣସି ସଦସ୍ୟ ନାମରେ ଜମି ନାହିଁ ବୋଲି ସେ ଦୃଢତାର ସହିତ କହିଛନ୍ତି । ଯଦି କଂଗ୍ରେସ ପାଖରେ ଏହାର ପ୍ରମାଣ ଅଛି ତାହେଲେ ତାହାକୁ ସାର୍ବଜନିତ କରାଯାଉ ବୋଲି ସେ ଆହ୍ୱାନ ଦେଇଛନ୍ତି ।ବିଧାୟକ କୌଣସି ସ୍ଥାନରେ ଜଙ୍ଗଲ ଜମି ହେଉ କି ସରକାରୀ ଜମି ଦଖଲ କରିନାହାନ୍ତି ବୋଲି ସେ ଏହି ପ୍ରେସ ବିବୃତିରେ ସ୍ପଷ୍ଟ କରାଇଛନ୍ତି । କଂଗ୍ରେସ ଯେଉଁ ଅଂଚଳ ହୋଟେଲ୍ କଥା କହୁଛନ୍ତି ସେହି ମୌଜା ବାଙ୍କୁଆଳରେ ଜମି ଦଖଲରେ ଥିବା ବ୍ୟକ୍ତିଙ୍କ ନାମ ଯଥା, କମଳିନୀ କୁଅର, ଖଗେଶ୍ୱର କୁଅଁର, ଦିନବନ୍ଧୁ କୁଅଁର, ନିରାକାର କୁଅଁର, ପ୍ରମିଳା କୁଅଁର, ସୁକାନ୍ତ କୁଅଁର, ଅଭୟ ଦଳାଇ, ଉର୍ମିଳା ଦଳାଇ, ଚିନା ଦଳାଇ, ନିର୍ମଳ ଦଳାଇ, ମିନକେତନ ପାଢ଼ୀ, କେଶବାନନ୍ଦ ବେହେରା, ବାବାଜୀ ବେହେରା, ଭାଗିରଥି ବେହେରା, ମଦନ ବେହେରା, ସୁଜାତା ରାଉତ, ସୂର୍ଯ୍ୟ ନାରାୟଣ ଲେଙ୍କା, ଦୁର୍ଯ୍ୟୋଧନ ସ୍ୱାଇଁ, ବୃନ୍ଦାବନ ସ୍ୱାଇଁ ସ୍ୱାତ୍ୱାଧିକାରୀ ଅଟନ୍ତି । ଏଠାରେ ପ୍ରଶ୍ନ ଉଠୁଛି ବିଧାୟକଙ୍କ ସଂପୃକ୍ତି କେଉଁଠି ।ଯଦି କଂଗ୍ରେସ ଏହାର ସତ୍ୟତା ପ୍ରମାଣ ନକରେ କାହିଁକି ତାଙ୍କ ବିରୋଧରେ ବିଧାୟକଙ୍କ ସମ୍ମାନହାନୀ ମକଦମା କରାନଯିବ ତାହାର ଜବାବ ପଟ୍ଟାମୁଣ୍ଡାଇ-ରାଜନଗର କଂଗ୍ରେସ ଦେଉ ବୋଲି ସେ କହିଛନ୍ତି । ସେ ତାଙ୍କ ଅଭିଯୋଗରେ କହିଛନ୍ତି ପଟ୍ଟାମୁଣ୍ଡାଇ ଅଂଚଳରେ ନଦୀ, ନୟନଜୋରି ଓ ସରକାରୀ ଜମି କଂଗ୍ରେସର କେତେକ ପ୍ରଭାବଶାଳୀ ବ୍ୟକ୍ତିଙ୍କ କବଜାରେ ରହିଛି ଏହା ମଧ୍ୟ ଅନୁସଂନ୍ଧାନ ସାପେକ୍ଷ । କଂଗ୍ରେସ ପ୍ରଥମେ ଆଇନକୁ ସମ୍ମାନ ଦେଇ ଜବରଦଖଲରେ ଥିବା ନଦୀ ଜମିକୁ ଜବରଦଖଲ ମୁକ୍ତ କରୁ ବୋଲି ବିଜେଡି ନଗର ସଭାପତି ଖଗେଶ୍ୱର ଲେଙ୍କା, ବ୍ଲକ ସଭାପତି କିଶୋର ସାହୁ, ଯୁବବାହିନୀ ସଂପାଦକ ଦିଲ୍ଲିପ ସାହୁ, ପ୍ରାକ୍ତନ ପୌର ଉପାଧ୍ୟକ୍ଷ ସୁମନ୍ତ ପାତ୍ର, ପିଂଟୁ ସେଠୀ ଓ ପୂର୍ବତନ କାଉନସିଲର ମଳୟ ମଲିକ ପ୍ରମୁଖ କଂଗ୍ରେସ ଉପରେ ବର୍ଷିବା ସହ କଂଗ୍ରେସ ଏଥିପାଇଁ କ୍ଷମା ପ୍ରାର୍ଥନା କରୁ, ନ ହେଲେ ଆଇନର ଆଶ୍ରୟ ନେବୁ ବୋଲି କହିଛନ୍ତି ।










