କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଂଚଳ ପକ୍ଷରୁ ସହରରେ ସ୍ୱଚ୍ଛତା ଅଭିଯାନ ଜାରି ରହିଛି । ସୋମବାର ଗାନ୍ଧିଜୟନ୍ତି ଉପଲକ୍ଷେ ପୌରପରିଷଦ ପକ୍ଷରୁ ବ୍ୟାପକ ସଫାଇ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ବେଳେ ସହରର ବିଭିନ୍ନ ସ୍ଥାନରେ ଅଳିଆ ଗାଡି ଗାଡି ପଡି ରହି ଗନ୍ଧମୟ ପରିବେଶ ସୃଷ୍ଟି କରୁଛିା ତେବେ ପୌରାଂଚଳର ସ୍ୱଚ୍ଛତା ଅଭିଯାନ କାନ୍ଥରେ ଚିତ୍ର ଅଙ୍କା ଏବଂ ସ୍ଲୋଗାନ ଲେଖା ମଧ୍ୟରେ ସୀମିତ ରହିଯାଇଛି । ସହର ସାରା କୁଢ କୁଢ ଅଳିଆ ଆବର୍ଜନା ପଡିରହୁଥିବା ବେଳେ ଏହାକୁ ଉଠାଯାଉ ନ ଥିବା ଦେଖିବାକୁ ମିଳିଛି ।
ସହରବାସୀ ଅନନ୍ତ ଦାଶ କୁହନ୍ତି ପଟ୍ଟାମୁଣ୍ଡାଇ ସହର କିଭଳି ସ୍ୱଚ୍ଛ ରହିବ ସେ ନେଇ ବ୍ୟାପକ ଅର୍ଥ ଖର୍ଚ୍ଚ କରାଯାଉଛି । ଏôନେଇ ସମସ୍ତ ସରକାରୀ ଅଫିସ ପାଚେରିରେ ଚିତ୍ର ଅଙ୍କାଯିବା ସହ ସ୍ଲୋଗାନ ଲେଖି କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ଏଥିସହ ବହୁ ସଂଖ୍ୟକ ସ୍ୱଚ୍ଛସାଥୀଙ୍କୁ ନିୟୋଜିତ କରାଯାଇ ସହରକୁ ଅଳିଆମୁକ୍ତ କରିବା ପାଇଁ ସ୍ୱତନ୍ତ୍ର ଅଭିଯାନ ଚାଲିବା ଏକ ପ୍ରହଶନରେ ପରିଣତ ହୋଇଛି । ପଟ୍ଟାମୁଣ୍ଡାଇ ସହର ସମେତ ବିଭିନ୍ନ ୱାର୍ଡରେ ଗଦାଗଦା ଅଳିଆ କାଣ୍ଡି ହୋଇ ପଡିରହିଛି ।ଫଳରେ କାଉ, କୁକୁରଙ୍କ ସହିତ ଅଳିଆ ପ୍ଲାଷ୍ଟିକ ଓ ଅନ୍ୟାନ୍ୟ ସାମଗ୍ରୀ ଗୋଟାଉଥିବା ଲୋକେ ବି ଆବର୍ଜନାକୁ ଘାଂଟିବାରେ ଲାଗୁଛନ୍ତି । ଏହାଦ୍ୱାରା ଏବେ ସହରର ଚାରିଆଡେ ରୋଗବ୍ୟାଧି ବ୍ୟାପିବା ଭଳି ସ୍ଥିତି ଉପୁଜିଲାଣି । ସହର ସାରା ଡଷ୍ଟବିନ୍ ଏବଂ ପୌରାଂଚଳର ପ୍ରମୁଖ ସ୍ଥାନରେ ଡଷ୍ଟୟାର୍ଡ ସ୍ଥାପନ କରାଯାଇଛି । ଏଥିସହ ସହରର ଡଷ୍ଟ୍ ଡିଙ୍ଗ ୟାର୍ଡ ଗୁଡିକରୁ ଅଳିଆ ଆବର୍ଜନା ଉଠାଇବା ପାଇଁ ଅଳିଆଉଠା ଗାଡି ମଧ୍ୟ ନିୟୋଜିତ କରାଯାଇଛି । ତଥାପି ସହରର ବିଭିନ୍ନ ସ୍ଥାନରେ ଅଳିଆ ପଡିରହି ପୂର୍ତିଗନ୍ଧମୟ ପରିବେଶରେ ଗତିକରୁଛି । ପଟ୍ଟାମୁଣ୍ଡାଇ ସହର ଆବର୍ଜନା ମୁକ୍ତ ନ ହେବା ଚିନ୍ତାର ବିଷୟ ପାଲଟିଛି ।
ବୁଦ୍ଧିଜିବୀ ପ୍ରମୋଦ ସାହୁ କୁହନ୍ତି, ପଟ୍ଟାମୁଣ୍ଡାଇ ପୈାରସଂସ୍ଥା ପକ୍ଷରୁ ବିଭିନ୍ନ ୱାର୍ଡରୁ ବାହାରୁଥିବା ଅଳିଆ ଆବର୍ଜ୍ଜନା ସବୁକୁ ପଟ୍ଟାମୁଣ୍ଡାଇ କେନାଲ ବନ୍ଧର ଇଲେକ୍ଟ୍ରିକ ଅଫିସ ନିକଟ ପୋଲ ପାଖ କେନାଲ କଡରେ ପକାଯାଉଥିବାରୁ ସେଠାରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି । ସେହି ରାସ୍ତାଦେଇ ଲୋକମାନେ ନାକରେ କପଡ଼ା ଦେଇ ଯାଆସ କରୁଛନ୍ତି । ସଫେଇ ଦାୟିତ୍ୱରେ ଥିବା କର୍ମଚାରୀମାନେ ଡଷ୍ଟବିନ୍ରେ ପଡୁଥିବା ଅଳିଆସବୁ ଆଣି ରସ୍ତାକଡରେ ଫିଙ୍ଗି ଦେଉଛନ୍ତି । ପରେ କୁକୁର ଓ କାଉମାନେ ତାକୁ ନେଇ ରାସ୍ତାଘାଟରେ ପକାଇ ସହରକୁ ଅପରିଷ୍କାର କରିବାରେ ଲାଗିଛନ୍ତି । ସହରର ବିଭିନ୍ନ ଗଳିକନ୍ଦି ଠାରୁ ଆରମ୍ଭକରି ହାଟ ବଜାର ପର୍ଯ୍ୟନ୍ତ ସମାନ ଅବସ୍ଥା ବୋଲି କହିଛନ୍ତି ।
ସେହିପରି ସାମାଜିକକର୍ମୀ ମାନସ ବାରିକ କୁହନ୍ତି ପୂରୁଣା ପରିବହନ ବିଭାଗ ଭଗ୍ନବସଷ୍ଟାଣ୍ଡ ଭିତରେ ମାସ ମାସ ଧରି କୁଢ କୁଢ ଅଳିଆ ଗଚ୍ଛିତ ହୋଇ ରହୁଥିଲେ ସୁଦ୍ଧା ଉଠାଯାଉନାହିଁ । ସହରର ବିଭିନ୍ନ ସ୍ଥାନରେ ଅଳିଆ ଆବର୍ଜନା ପଡି ରହୁଛି । କେବଳ ସହର ମୁଖ୍ୟରାସ୍ତାରୁ ଅଳିଆ ହଟାଯାଇ ସହର ଅଳିଆମୁକ୍ତ ଦର୍ଶାଯାଉଛି । ଆଇନବିଭାଗ ପାଖ ପୋତା ଗୋବରୀ ନଦୀ ପୁଳା ପୁଳା ଅଳିଆ ପଡିରହିଡଛି । ସ୍ୱଛତା ଭତିିକ ଜନସଚେତନତା ପାଇଁ ପୋଷ୍ଟର, ବ୍ୟାନର, କାନ୍ଥଲେଖା ସହ ସ୍କୁଲ, କଲେଜରେ ପ୍ରତିଯୋଗିତା ଆୟୋଜନ କରାଯାଉଛି । ଏଥିପାଇଁ କେବଳ ସବୁସ୍ତରରେ ସଚେତନ ହେବାରୁ ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି ।
ଏ ନେଇ ପୌରନିର୍ବାହୀ ଅଧିକାରୀ ଅଜିତ୍ ନାରାୟଣ ଗିରିଙ୍କୁ ପଚାରିବାରୁ ସେ କହିଥିଲେ, ସହରର ସ୍ୱଚ୍ଛତା ଦିଗରେ ସର୍ବଦା ପଦକ୍ଷେପ ନିଆଯାଉଛି । ଯଦି ସହରରେ ସ୍ୱଚ୍ଛତା ଦିଗରେ ଅବହେଳା ହେଉଛି ସେ ଦିଗରେ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଥିଲେ ।