ଆସୁଛି ଲଘୁଚାପ, ଚାଷୀକୁଳ ଭୟଭୀତ



ଓଡ଼ିଶାର ଉପକୂଳ ଜିଲାଗୁଡ଼ିକରେ ୧୯୯୯ ଅକ୍ଟୋବର ୨୯ରେ ମହାବାତ୍ୟା ଭୟଙ୍କର ବିପର୍ଯ୍ୟୟ ଘଟାଇବା ଘଟଣା ଲୋକଙ୍କ ମନରୁ ଲିଭି ନଥିବା ବେଳେ ପୁଣି ଅକ୍ଟୋବର ୨୦ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ମହାବାତ୍ୟା ଏହି ଅକ୍ଟୋବର ମାସରେ ଆସିଥିଲା । ତେଣୁ ଅକ୍ଟୋବର ମାସରେ ଲଘୁଚାପ ଆସିବା ମାତ୍ରେ ମହାବାତ୍ୟା ଦୃଶ୍ୟକୁ ମନେପକାଇ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳ ଲୋକଙ୍କ ଛାତିରେ ଛନକା ପଶିବା ସହିତ ଚାଷୀକୁଳ ଭୟଭୀତ ହୋଇପଡିଛନ୍ତି ।

ଅବସର ପ୍ରାପ୍ତ ଶିକ୍ଷକ ପ୍ରଫୁଲ ଦାଶ କୁହନ୍ତି ଓଡ଼ିଶା ଇତିହାସରେ ସବୁଠାରୁ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ଥିଲା ୧୯୯୯ ମସିହା ଅକ୍ଟୋବର ୨୯ର ‘ମହାବାତ୍ୟା’ । ଆଉ ୧୦ ଦିନ ପରେ ‘ମହାବାତ୍ୟା’କୁ ୨୪ ବର୍ଷ ପୁରିବ । ମହାବାତ୍ୟାର ମହାତାଣ୍ଡବକୁ ପାଖରୁ ଦେଖିଥିବା ଲୋକେ ଯଦି ଅକ୍ଟୋବର ମାସରେ କୌଣସି ଲଘୁଚାପ କିମ୍ବା ବାତ୍ୟା ଆସିଲେ ଏକ ଅଜଣା ଭୟରେ ଆତଙ୍କିତ ଥାଆନ୍ତି ଏଠିକାର ଲୋକେ । ୧୯୯୯ ମହାବାତ୍ୟା ରାଜ୍ୟର ୧୪ ଜିଲାରେ ସମୁଦ୍ରକୂଳଠାରୁ ପ୍ରାୟ ୧୫୦ କିଲୋମିଟର ଆଭ୍ୟନ୍ତର ଅଂଚଳରେ ଘଂଟା ପ୍ରତି ୨୫୦ ରୁ ୩୫୦କିମି ବେଗରେ ପବନ ପ୍ରବାହିତ ହେବା ସହ ସମୁଦ୍ରରୁ ୩୦ ଫୁଟ୍ ଉଚ୍ଚର ଜୁଆର ଉଠିଆସିଥିଲା । କେହି କିଛି ବୁଝିବା ଆଗରୁ ଘରଦ୍ୱାର ରାସ୍ତାଘାଟ ସବୁ ନିଶ୍ଚିହ୍ନ ହୋଇଯାଇଥିଲା । ପ୍ରକୃତିର ଧ୍ୱଂସ ଲୀଲାରେ ୧୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନହାନି ହୋଇଥିବା ବେଳେ କେନ୍ଦ୍ରାପଡ଼ା ଜିଲାରେ ୩୯୭ ଜଣଙ୍କ ମୃତ୍ୟୁ ଘଟିଥିଲା । ୧୮୦୩ ଜଣ ଆହତ ହୋଇଥିବା ବେଳେ ୩୮ ଜଣଙ୍କ ସମ୍ବନ୍ଧରେ ଏ ପର୍ଯ୍ୟନ୍ତ କୌଣସି ଖୋଜ ଖବର ନାହିଁ । । ସେହିପରି ୩ ହଜାରରୁ ଅଧିକ ମାଛଧରା ଡଙ୍ଗା, ୪୮,୯୦୬ ଗୃହପାଳିତ ପଶୁପକ୍ଷୀଙ୍କ ସହ ଜିଲାରେ ୨,୯୭,୮୧୪ଟି ଘର ଭାଙ୍ଗିଥିବା ଜିଲା ଜରୁରିକାଳୀନ ବିଭାଗ ଏକ ସୂତ୍ରରୁ ଜଣାପଡିଛି ।
ପରିବେଶବିତ ବିଭୁତି ମହାପାତ୍ର କୁହନ୍ତି ଅକ୍ଟୋବର ମାସରେ ଅନେକ ବାତ୍ୟା ଦେଖିଛୁ । ସେ ମହାବାତ୍ୟା ଠାରୁ ଫାଇଲିନ ଯାଏଁ ସବୁ ବାତ୍ୟା ଆମକୁ ପ୍ରଭାବିତ କରିଛି । ଏବେ ପୁଣି ସେହି ଅକ୍ଟୋବରରେ ଆଉ ଏକ ପୂର୍ଣ୍ଣିବଳୟ ଦାନା ବାନ୍ଧୁଛି । ଯାହା ପରବର୍ତୀ ସମୟରେ ଘନୀଭୂତ ହୋଇ ବାତ୍ୟାର ରୂପ ନେବାର ସମ୍ଭାବନା ଅଛି । ଯଦି ଏହି ଆକଳନ ସତ ପ୍ରମାଣିତ ହୁଏ ତେବେ ପାର୍ବଣ ସମୟରେ ବର୍ଷାର ପ୍ରଭାବ ଯଥେଷ୍ଟ ଅଧିକ ରହିବ । ଯେହେତୁ ରାଜ୍ୟରେ ସର୍ବାଧିକ ଥର ବାତ୍ୟା ଅକ୍ଟୋବର ମାସରେ ସୃଷ୍ଟି ହୁଏ, ଅକ୍ଟୋବର ମାସ ଆସିଲେ ଉପକୂଳ ଚାଷୀଙ୍କୁ ଘାରେ ବାତ୍ୟା ଭୟ । ଅକ୍ଟୋବର ବାତ୍ୟା ତା’ର କରାଳ ପଂଞା ମେଲାଇ ଉପକୂଳ ଧାନ ଫସଲକୁ ଗ୍ରାସ କରିଦିଏ । କାରଣ ଏହି ସମୟରେ ଶାରଦ ଧାନ ଫସଲ ଫୁଲ ଉଡାଉଥାଏ ବା ପେଟଥୋଡ କରୁଥାଏ । ଧାନଗଛକୁ ଝଡ଼ ଝାଡ଼ିଦେଲେ ଧାନକେନ୍ଦା ଅଗାଡ଼ି ହୋଇଯାଏ । ପୂର୍ବରୁ ବି ଅକ୍ଟୋବର ମାସରେ ୧୯୯୯ ମହାବାତ୍ୟା, ୨୦୧୩ ମସିହାର ଫାଇଲିନ୍ ବାତ୍ୟା ଓ ବାତ୍ୟା ସିତ୍‌ରାଙ୍ଗ ଆଦି ଏହି ମାସରେ ହିଁ ହୋଇଛି ।
ବିିଶେଷଜ୍ଞ ପ୍ରଫୁଲ୍ଲ ମଲ୍ଲିକ କୁହନ୍ତି ବିଶେଷଜ୍ଞମାନଙ୍କ ମତରେ ଉପକୂଳର ଭୌଗୋଳିକ ଅବସ୍ଥିତି ଏବଂ ଗ୍ଲୋବାଲ୍ ୱାର୍ମିଂ କାରଣରୁ ବାରମ୍ବାର ବାତ୍ୟାର ସମ୍ମୁଖୀନ ହେଉଛି । ୧୯୯୯ ରୁ ଆଜି ପର୍ଯ୍ୟନ୍ତ ଛୋଟଛୋଟ ଳଘୁଚାପ ଘୂନିଝଡକୁ ଛାଡିଦେଲେ ୧୦ ଟି ବଡ ବାତ୍ୟା ଏହି ଅଂଚଳ ଲୋକେ ସମ୍ମୁଖିନ ହୋଇଛନ୍ତି । ୧୯୯୯ ମହାବାତ୍ୟା,୨୦୧୩ରେ ଫାଇଲିନ, ୨୦୧୪ରେ ହୁଡହୁଡ,୨୦୧୮ ରେ ତିତିଲି, ୨୦୧୯ ମେ ମାସରେ ଫନୀ ଏବଂ ନଭେମ୍ବରରେ ବୁଲବୁଲ,୨୦୨୦ ରେ ଅଫାନ୍‌, ୨୦୨୧ ରେ ୟାସ, ଗୁଲାବ ଏବଂ ଜୱାଦ ଭଳି ବାତ୍ୟାର ହୋଇଥିବା ବେଳେ ୨୦୧୬ ମେ’ରେ ସୃଷ୍ଟି ବାତ୍ୟା ରୁଆନୁ ପରେ ବାତ୍ୟା କ୍ୟାଂର୍ଟ ଓ ବାତ୍ୟା ବର୍ଦା ଉପକୂଳ ମୁହାଁ ନ ହୋଇ ଅନ୍ୟତ୍ର ସ୍ଥଳଭାଗରେ ମାଡ଼ି ଯାଇଥିଲା ।
ବୁଦ୍ଧିଜିବୀ ପ୍ରବିର ନାୟକ କୁହନ୍ତି ବନ୍ୟା, ବାତ୍ୟା, ସୁନାମି ପରି ପ୍ରାକୃତିକ ବିପର୍ଯ୍ୟୟରୁ ସୁରକ୍ଷା ପାଇଁ କେନ୍ଦ୍ରାପଡ଼ା ଜିଲାର ଆଳିଠାରେ ତଟବନ୍ଧ ଡିଭିଜନ ପ୍ରତିଷ୍ଠା ହୋଇଛି । ଆଳି ସମେତ ପଟ୍ଟାମୁଣ୍ଡାଇ, ରାଜକନିକା, ରାଜନଗର ଓ ମହାକାଳପଡ଼ାର ମୋଟ ୭୪୪.୪୭ କିଲୋମିଟର ତଟବନ୍ଧର ସୁରକ୍ଷା ପାଇଂ ଅନୁଦାନ ଆସି ବ୍ୟୟ କରାଯାଉଛି । ମାତ୍ର ତଟବନ୍ଧକୁ ଉଚ୍ଚା କରିବା, ଅଧିକ ହେନ୍ତାଳବଣ ସୃଷ୍ଟି କରିବା ଅଦ୍ୟାବଧି ସମ୍ଭବ ହୋଇନାହିଁ । ସାମୁଦ୍ରିକ ଝଡ଼ ଆସିଲେ ଜନଜୀବନ ବ୍ୟସ୍ତ ହୋଇପଡୁଛି । ବଙ୍ଗୋପସାଗରରେ ଅକ୍ଟୋବର ୨୦ରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ଚାଷୀକୁଳ ଭୟଭୀତ ଅବସ୍ଥାରେ ଅଛନ୍ତି । ପଟ୍ଟାମୁଣ୍ଡାଇ ଅଂଚଳରେ ପ୍ରାୟ ୧୨ ହଜାର ହେକ୍ଟରରୁ ଊର୍ଦ୍ଧ୍ୱ ଜମିରେ ଧାନଚାଷ ହୋଇଛି । ଚାଷ ହୋଇଥିବା ଧାନ ପେଟଥୋଡ଼ ବାହାରିଛି । ଯଦି ଲଘୁଚାପ ବାତ୍‌୍ୟାରୁପ ନେଇ ୩୦ରୁ ୩୫ କିଲୋମିଟର ବେଗରେ ପବନ ବହେ, ତେବେ ପେଟ ଥୋଡ଼ ଧରିଥିବା ଜମିର ଧାନ ପବନରେ ଖୋଲିଯିବ । ଫଳରେ ସମସ୍ତ ଧାନ ଅଗାଡି ହୋଇଯିବାର ଆଶଙ୍ଖାରେ ଚାଷୀକୁଳ ଭୟଭୀତ ଅବସ୍ଥାରେ ଅଛନ୍ତି ।


Next Post

୨୦ ତାରିଖରୁ ରାଜ୍ୟରେ ବସ୍‌ ମାଲିକ ସଂଘ ପକ୍ଷରୁ ଧର୍ମଘଟ

Wed Oct 18 , 2023
ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ବସ୍‌ ମାଲିକ ସଂଘ ଆସନ୍ତା ୨୦ ତାରିଖରୁ ରାଜ୍ୟରେ ଧର୍ମଘଟ ଡାକରା ଦିଆଯାଇଛି। ପୂର୍ବରୁ ମଧ୍ୟ ସଂଘ ଧର୍ମଘଟ ଡାକରା ଦେଇଥିବା ବେଳେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ସହିତ ଆଲୋଚନା ପରେ ସ୍ଥଗିତ ରଖିଥିଲା। ତେବେ ବର୍ତ୍ତମାନ ପୁଣି ଘରୋଇ ବସ୍ ମାଲିକ ସଂଘ ନିଷ୍ପତି ବଦଳାଇ ଧର୍ମଘଟ ଡାକରା ଦେଇଛି।

You May Like