- ପୁରଣ ହେଉନି ଡାକ୍ତର ପଦବି
- ଖୋଲା ହେଉଛି ନୁଆନୁଆ ଡାକ୍ତରଖାନା

କେନ୍ଦ୍ରାପଡା ଜିଲ୍ଲାର ଦ୍ୱିତୀୟ ବୃହତମ ସହର ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି । ଏହି ଚିକିତ୍ସାଳୟକୁ ଦୈନିକ ପଟ୍ଟାମୁଣ୍ଡାଇ ସମେତ ଆଳି, ରାଜନଗର, ମହାକାଳପଡା, ରାଜକନିକା ଅଂଚଳରୁ ହଜାର ହାଜାର ରୋଗୀ ଆସୁଥିବା ବେଳେ ଉତମ ସ୍ୱାସ୍ଥ୍ୟସେବା ପାଇବାରୁ ବଂଚିତ ହେଉଛନ୍ତି । ଏହାର ମୁଖ୍ୟ କାରଣ ଆବଶ୍ୟକୀୟ ଡାକ୍ତର ପଦବି ଖାଲି ପଡିଥିବା ବେଳେ ଆବଶ୍ୟକ ଭିତିଭୂମିର ଅଭାବ ରହିଛି । କିନ୍ତୁ ସ୍ଥାନୀୟ ପ୍ରଶାସନ ଡାକ୍ତର ପଦବୀ ପୁରଣ କରିବା ପରିବର୍ତେ ନୁଆନୁଆ ଡାକ୍ତଖାନା ଖୋଲି ‘ସରକାରୀ ମାଲ ଦରିଆ ମେ ଡାଲ. ସଦୃଶ ଅର୍ଥ ବ୍ୟୟ କରିବାରେ ବ୍ୟସ୍ତ ରହୁଥିବାରୁ ଜନସାଧରଣଙ୍କ ମଧ୍ୟରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହିତ ରୋଗିଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି ।

ସାମାଜିକ କର୍ମୀ ପ୍ରବିର ନାୟକ କୁହନ୍ତି ପଟ୍ଟାମୁଣ୍ଡାଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଉନ୍ନତ କରିବା ପାଇଁ ୨୦୧୪ ରେ ଉପଖଣ୍ଡସ୍ତରୀୟ ହସ୍ପିଟାଲ ମାନ୍ୟତା ମିଳିଥିବା ବେଳେ ସ୍ଥାନୀୟ ଲୋକେ ଉନ୍ନତ ସ୍ୱାସ୍ଥ୍ୟସେବା ପାଇପାରିବେ ବୋଲି ଆଶାରଖିଥିଲେ । ପୂର୍ବରୁ ଏଠାରେ ଚିକିତ୍ସାର ସମସ୍ତ ପ୍ରକାର ସୁବିଧା ମିଳୁଥିଲା । ହେଲେ ଏବେ ହସ୍ପିଟାଲରେ ରୋଗୀ ସେବା ତ ଦୂରର କଥା ଆବଶ୍ୟକୀୟ ମୁତାବକ ଡାକ୍ତର କି କର୍ମଚାରୀ ଏଠାରେ ନାହାଁନ୍ତି । ଫଳରେ ମୂଳ ଲକ୍ଷ୍ୟ ଠାରୁ ହସ୍ପିଟାଲଟି ଦୂରେଇ ଯିବା ଭଳି ମନେହେଉଛି । ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ୩୩ ଟି ଡାକ୍ତର ପଦବୀ ରହିଛି ।ସେଥିରୁ ୮ଟି ବିଭାଗରେ ବିଶେଷଜ୍ଞ ଡାକ୍ତରଙ୍କ ଆବଶ୍ୟକତା ରହିଛି । ହେଲେ ଏବେ ଡାକ୍ତରଖାନାରେ ଜଣେ ବିଶେଷଜ୍ଞ ଡାକ୍ତରଙ୍କ ସହ ୪ ଜଣ ଏମବିବିଏସ ଡାକ୍ତର କର୍ଯ୍ୟ କରୁଛନ୍ତି । ଶିଶୁ, ଭେଷଜ ଏବଂ ସ୍ତ୍ରୀ ଓ ପ୍ରସୂତି ପରି ଗୁରୁତ୍ୱପୁର୍ଣ୍ଣ ବିଭାଗ ଫାଙ୍କା ପଡିଛି । ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ସ୍ୱାସ୍ଥ୍ୟକେନ୍ଦ୍ରର ନୀରିକ୍ଷକ ହୋଇଥିବାରୁ ସେ ରୋଗୀ ଦେଖୁନାହାନ୍ତି । ପ୍ରତ୍ୟେକ ବ୍ୟକ୍ତିର ସ୍ୱାସ୍ଥ୍ୟ ରକ୍ଷା ପାଇଁ ସରକାର ମାଳ ମାଳ ଯୋଜନା କରିଥିଲେ ବି ତାହା ପଟ୍ଟାମୁଣ୍ଡାଇରେ ସଠିକ୍ ରୂପେ କାର୍ଯ୍ୟକାରି ହୋଇପାରୁନାହିଁ । ଫଳରେ ସାଧାରଣ ବ୍ୟକ୍ତିଟିଏ ଉତମ ସ୍ୱାସ୍ଥ୍ୟସେବା ପାଇଁ ବଂଚିତ ହେଉଛି ବୋଲି ସେ କହିଥିଲେ ।
ବୁଦ୍ଧିଜୀବୀ ଅନନ୍ତ ଦାଶ, ପ୍ରଫୁଲ୍ଲ ଦାଶ, ଦେବାଶିଷ ପଣ୍ଡା ପ୍ରମୁଖ କୁହିଛନ୍ତି ପଟ୍ଟାମୁଣ୍ଡାଇ ଡାକ୍ତରଖାନାରେ ଡାକ୍ତର ପଦବୀ ପୂରଣ ପାଇଁ ସରକାର ବାରମ୍ବାର କହୁଥିଲେ ମଧ୍ୟ ତାଙ୍କ ପ୍ରତିଶ୍ରୁତି ପାଣିର ଗାର ପରି ଲୋକେ କହନ୍ତି । କେବଳ ପ୍ରଚାର ପ୍ରସାର ଓ ନୁଆ ନୂଆ ହସ୍ପିଟାଲ ଉଦଘାଟନ କରି ପ୍ରଶଂସା ସାଉଁଟୁଥିବା ବେଳେ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଓଲଟା । ନିକଟରେ ଆରମ୍ଭ ହୋଇଥିବା ସହରାଂଚଳ ସ୍ୱାସ୍ଥ୍ୟସେବା ଏହାର ଏକ ଜ୍ୱଳନ୍ତ ଉଦାହରଣ । ଏହି ସହରାଂଚଳ ସ୍ୱାସ୍ଥ୍ୟକେନ୍ଦ୍ରରେ ମାତ୍ର ଜଣେ ଆୟୁସ ଡାକ୍ତର କାର୍ଯ୍ୟ ସମ୍ଭାଳୁ ଥିବା ବେଳେ ଯାହାର ସିଧାସଳଖ ପ୍ରଭାବ ରୋଗୀ ଉପରେ ପଡ଼ୁଛି । ପ୍ରତି ବିଭାଗରେ ପଦବୀ ଖାଲି ପଡିଛି । ନା ଅଛନ୍ତି ଡାକ୍ତର ନା ଅଛନ୍ତି ସହାୟକ ଷ୍ଟାଫ୍ । ପ୍ରତ୍ୟେକ ଦିନ ଏଠାକୁ ରୋଗୀ ଆସନ୍ତି ବୋଲି ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି । ସକାଳ ବେଳା ଯାହା ଯେତିକି ଚିକିତ୍ସା ସୁବିଧା ମିଳେ ଅପରାହ୍ନରେ ଏଠି ଡାକ୍ତର ସେବା ମିଳିବା କାଠିକର ପାଠ । ଜରୁରୀ ଚିକିତ୍ସା ପାଇଁ ଉପଖଣ୍ଡ ହସ୍ପିଟାଲକୁ ଯିବାକୁ ପଡ଼େ । ବର୍ତମାନ ଅବ୍ୟବସ୍ଥାରେ ଉପଖଣ୍ଡ ହସ୍ପିଟାଲ । ଦୂରରୁ ଆସିଥିବା ରୋଗୀଙ୍କ ଅବସା୍ଥ ନକହିଲେ ଭଲ । କେହି କେହି ଏମିତି ଭିଡ଼ ଦେଖି ଫେରିଯାଉଛନ୍ତି । ହସ୍ପିଟାଲରେ ଅଲ୍ଟ୍ରାସାଉଣ୍ଡ୍, ଏକ୍ସରୟ ପାଇଁ ସମସ୍ତ ପ୍ରକାର ଯନ୍ତ୍ରପାତି ରହିଛି । କିନ୍ତୁ ଏଥିପାଇଁ ବିଶେଷଜ୍ଞ ନାହାଁନ୍ତି । ଡାକ୍ତର ଅଭାବରୁ ଲୋକମାନେ ବାଧ୍ୟ ହୋଇ ଘରୋଇ ହସ୍ପିଟାଲ ଯିବାକୁ ବାଧ୍ୟ ହେଉଛନ୍ତି । ଫଳରେ ଲୋକମାନେ ଅଧିକ ଖର୍ଚ୍ଚାନ୍ତ ହେବା ସହ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖାଯାଉଛି । ସବୁ ବିଭାଗ ଚିକିତ୍ସା ପାଇଁ ସ୍ୱତନ୍ତ୍ର କୋଠା ନିର୍ମାଣ ହୋଇଛି । ଦୀର୍ଘ ଦିନ ହେବ କୋଠା ନିର୍ମାଣ ହୋଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ଲଗୁ ନାହିଁ ବୋଲି ସ୍ଥାନୀୟ ବ୍ୟକ୍ତିମାନେ ଅଭିଯୋଗ କରୁଛନ୍ତି । ସ୍ୱାସ୍ଥ୍ୟ ଭିତିଭୂମି ସଜାଡ଼ିବା ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିଲେ ମଧ୍ୟ ଡାକ୍ତର ନିଯୁକ୍ତି ଉପରେ ବିଶେଷ ଧ୍ୟାନ ଦିଆଯାଉନଥିବାରୁ ସ୍ୱାସ୍ଥ୍ୟସେବା ପ୍ରଭାବିତ ହୋଇଛି । ତେବେ ସ୍ୱାସ୍ଥ୍ୟାବସ୍ଥା ଭଳି ଜରୁରୀ ସେବା ଉପରେ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।ଏବାବଦରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରିଣୀ ଡା, ଅନିତା ପଟ୍ଟନାୟକ ଙ୍କୁ ଯୋଗଯୋଗ କରିବାରୁ କଉନସେଲିଙ୍ଗ ଚାଲିଛି ହେଲେ ଡାକ୍ତର ନିଯୁକ୍ତି ଦିଆଯିବ ।
















